ଥାନା ବାରାକ୍‌ରେ ଅଗ୍ନିକାଣ୍ଡ, ଜଣେ ଆହତ

ଭୁବନେଶ୍ୱର: ରବିବାର ମଧ୍ୟାହ୍ନରେ କ୍ୟାପିଟାଲ ଥାନା ବାରାକ୍‌ରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ସତ୍ୟପ୍ରକାଶ ନାୟକ ନାମକ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସତ୍ୟପ୍ରକାଶଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ୱରିତ ସେବା ଯୋଗୁଁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି। ତେବେ ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ରବିବାର  ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ହଠାତ୍‌ ବାରାକ୍‌ର ଏକ ରୁମ୍‌ ଜଳିବାରେ ଲଗିଥିଲା। ତେବେ ଅଗ୍ନିକାଣ୍ଡ ଦେଖି ପାଖ ରୁମ୍‌ରେ ଥିବା କର୍ମଚାରୀ ଚିତ୍କାର କରିଥିଲେ। ଜୀବନ ବିକଳରେ ରୁମ୍‌ରୁ ବାହାରକୁ ପଳାଇଥିଲେ।  ପାଟିଶୁଣି ଥାନା ଅଧିକାରୀ ମଧ୍ୟ ବାହାରକୁ ଚାଲି ଆସିଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଘଟଣା ବିଷୟରେ ଜଣାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି କର୍ମଚାରୀ ଭିତରେ ଥିବେ ବୋଲି ଅଗ୍ନିଶମ କର୍ମଚାରୀ ଘର ଯାଞ୍ଚ କରିଥିଲେ। ସତ୍ୟପ୍ରକାଶ ପାଇଖାନା ଭିତରେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ସତ୍ୟପ୍ରକାଶଙ୍କୁ ଏଭଳି ଅବସ୍ଥାରେ ଦେଖି ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଶ୍ୱାସରୁଦ୍ଧ ଯୋଗୁଁ ସେ ଅଚେତ ହୋଇପଡ଼ିଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ସତ୍ୟପ୍ରକାଶ ସୁସ୍ଥ ଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର