ଶରଧାବାଲିରେ ଅପରାଧୀ ମୁହାଁମୁହିଁ: ଗୁଳିମାଡ଼ରେ ‌ଦୁର୍ଦ୍ଦାନ୍ତ ପାରା ମୃତ

ପୁରୀ: ଦାଦାବଟିକୁ ନେଇ ଆଜି ସକାଳେ ବଡ଼ଦାଣ୍ଡରେ ଗୁଳି ଫୁଟିଛି। ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ପାରା ଓରଫ ସଞ୍ଜୟ ବେହେରା(୨୭)ର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ଦାଦାବଟିକୁ କେନ୍ଦ୍ର କରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ତିନୋଟି ଦୋକାନକୁ ବୋମାମାଡ଼ ହୋଇଥିଲା। ଏହାକୁ‌ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଆଜି ସକାଳ ପ୍ରାୟ ୯ଟା ସମୟରେ ପାରା ଶରଧାବାଲି ନିକଟକୁ ଚା’ ପିଇବାକୁ ଆସିଥିବାବେଳେ ବିରୋଧୀ ଗୋଷ୍ଠୀର ସମର୍ଥିତ ଦୁଇ ଯୁବକ ସେଠାରେ ପହଞ୍ଚି ଅତି ନିକଟରୁ ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ। ପାରା ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ବି ଗୁଳି ତା ଦେହରେ ବାଜିଥିଲା। ଦୁର୍ବୃତ୍ତମାନେ ମାଟିଆପଡ଼ା ଛକ ଦେଇ ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ଫେରାର ହୋଇଯାଇଥିଲେ। ଉପସ୍ଥିତ ଲୋକେ ପାରାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ମାତ୍ର ରକ୍ତସ୍ରାବ ବନ୍ଦ ନ ହେବାରୁ ପରିବାର ଲୋକେ ପାରାକୁ ଭୁବନେଶ୍ବର ଏମ୍‌ସରେ ଭର୍ତି କରିଥିଲେ। ରାତି ପ୍ରାୟ ପାରାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାରାର ମା’ ରଞ୍ଜୁଲତା ବେହେରା କୁମ୍ଭାରପଡ଼ା ଥାନାରେ ଏ ସଂପର୍କରେ ୮ ଜଣଙ୍କ ନାମରେ କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର