ଫେସ୍‌ବୁକ୍‌ରେ ବୁଲୁଛି ହତିଆର, ଫାଳିକିଆ ବସ୍ତିରେ ଆତଙ୍କ

ଭୁବନେଶ୍ୱର : ପ୍ରାଣାନ୍ତକ ଆକ୍ରମଣ, ବଟି ଆଦାୟ, ଲୁଟ୍‌ପାଟ୍‌, ଅସଦାଚରଣ ଭଳି ୧୦ରୁ ଊର୍ଧ୍ବ ସଂଗିନ୍‌ ମାମଲାର ଅଭିଯୁକ୍ତ କେ. କ୍ରିଷ୍ଣା ରାଓ ଏବେ ଫେସ୍‌ବୁକ୍‌ ଜରିଆରେ ଆତଙ୍କ ଖେଳାଇବାକୁ ଚେଷ୍ଟା ଚଳାଇଛି। କ୍ରିଷ୍ଣାର ଘର କ୍ୟାପିଟାଲ ଥାନା ଫାଳିକିଆ ବସ୍ତିରେ। ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ସେ ଏବେ ଏକ ଫଟୋ ଅପଲୋଡ୍‌ କରିଛି, ଯେଉଁଥିରେ ତା’ ନିକଟରେ ବିଭିନ୍ନ ପ୍ରକାର ଖଣ୍ଡା, ଭୁଜାଲି ଓ କଟୁରି ସହ ଅନ୍ୟାନ୍ୟ ମାରଣାସ୍ତ୍ର ଥୁଆ ହୋଇଛି ଓ ସେ ମଦ ପିଉଛି। ଫଟୋର ଷ୍ଟାଟସ୍‌ରେ ଲେଖା ହୋଇଛି, ‘ଟାଇଗର୍‌ ଅବ୍‌ ଭି ଜିନ୍ଦା ହୈ’। ଏପରି ଫଟୋ ପୋଷ୍ଟ କରି ସେ ବସ୍ତିରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ବସ୍ତିର ସୀମା ସେଠୀଙ୍କ ଅଭିଯୋଗ ମୁତାବକ, କ୍ରିଷ୍ଣା ଓ ତା’ ପରିବାର ମଦ ବ୍ୟବସାୟ କରନ୍ତି। ବିରୋଧ କରିବାରୁ କିଛି ଦିନ ତଳେ ସେ ସୀମାଙ୍କ ପରିବାରକୁ ବାଟରୁ ହଟାଇ‌ ଦେବା ପାଇଁ ଧମକ ଦେଇଛି। ପୂର୍ବରୁ ମଧ୍ୟ ସେ ସୀମାଙ୍କୁ ଚାରିଚାରି ଥର ଆକ୍ରମଣ କରିଥିବା ବେଳେ ଅଟୋକୁ ପୋଡ଼ି ଦେଇଥିଲା। ଦୁଇଦିନ ତଳେ ତାଙ୍କ ଭାଇଙ୍କ ଦୋକାନ ଭାଙ୍ଗିବା ସହ ସ୍କୁଟି ଚୋରିରେ ମଧ୍ୟ ତା’ ହାତ ରହିଛି। ଏଥିରେ କ୍ରିଷ୍ଣାର ଅନ୍ୟତମ ସହଯୋଗୀ କାଶୀ ରାଉତ ମଧ୍ୟ ସାମିଲ ଥିବା ନେଇ ସୀମା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏ ସଂପର୍କରେ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, କ୍ରିଷ୍ଣା ପୂର୍ବରୁ ଅନେକଥର ଜେଲ୍‌ ଯାଇଛି। ଦଫା ୧୧୦ରେ ମଧ୍ୟ ତାକୁ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ଯେଉଁ ଫଟୋଟି ଭାଇରାଲ ହେଉଛି, ତାହା ପୁରୁଣା। ଅପରପକ୍ଷେ ସୀମା ସେଠୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର