ଜଙ୍ଗଲକୁ ନିଆଁ ଭୟ : ଚନ୍ଦକାର ୩ଟି ସ୍ଥାନରେ ନିଆଁ, ଜଳିଗଲା ୬ ଏକର

୧୦ ଦିନରେ ୨୦ ଏକର ଜଙ୍ଗଲ ଜଳିଲାଣି, ଏକାମ୍ରକାନନ, ଧଉଳି, ବାଣୀବିହାରରେ ବି ଲାଗିଥିଲା

ଭୁବନେଶ୍ବର/ମେଣ୍ଢାଶାଳ : ଜଳୁଛି ଜଙ୍ଗଲ। କେଉଁଦିନ ଭୁବନେଶ୍ବର ଭିତରେ ତ ଆଉ କେଉଁଦିନ ଉପକଣ୍ଠରେ। ଲଗାତାର ୧୦ ଦିନ ହେବ ନିଆଁର ଆଁ ଭିତରକୁ ଠେଲି ହୋଇଯାଉଛି ରାଜଧାନୀରେ ଥିବା ଗୋଟିଏ ପରେ ଗୋଟିଏ ଜଙ୍ଗଲ। ନିଆଁ ଲାଗିବାର କାରଣ ଜଣାପଡ଼ୁ ନ ଥିଲେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ୧୦ରୁ ଅଧିକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ତେବେ ଆଜି ଗୋଟିଏ ଦିନରେ ଚନ୍ଦକା-ଡମପଡ଼ା ଅଭୟ୍ୟାରଣ୍ୟର ୩ଟି ସ୍ଥାନରେ ନିଆଁ ଲାଗିବା ରାଜଧାନୀ ପାଇଁ ବିପଦ ବଢ଼ାଇଛି। ବନ କର୍ମଚାରୀଙ୍କ ସହ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ନିଆଁକୁ ଆୟତଃ କରାଯାଇଛି ସତ; ତେବେ ଏହା ଭୁବନେଶ୍ବର ଲାଗି ସତର୍କ ଘଣ୍ଟି ସଦୃଶ ହୋଇଛି। କେତେବେଳେ ଯେ ନିଆଁ ଭୟଙ୍କର ରୂପ ନେଇ ବ୍ୟାପକ କ୍ଷତି ନ ଘଟାଇବ, ତାହା କହି ହେବନି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ୧୦ ଦିନ ମଧ୍ୟରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୦ ଏକର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଗଲାଣି। ଆଜି ଗୋଟିଏ ଦିନରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୩ଟି ସ୍ଥାନରେ ନିଆଁ ଲାଗିଥିଲା। ଧନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ୬ ଏକର ପରିମିତ ଜଙ୍ଗଲ ଜଳିଯାଇଛି। ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡର ଫିରିକିନାଳିରେ ଏକ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଫିରିକିନାଳି ଗାଁକୁ ମାଡ଼ି ଆସୁଥିବାବେଳେ ବନ ବିଭାଗ ଅଧିକାରୀ ଓ ସାହିର ଲୋକେ ମିଶି ନିଆଁକୁ ଆୟତଃ କରିଥିଲେ। ଭୁବନେଶ୍ୱରରୁ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଞ୍ଚିଲା ବେ‌ଳକୁ ନିଆଁକୁ ଆୟତଃ କରାଯାଇ ସାରିଥିଲା। ସେହିପରି ଏହି ରେଞ୍ଜର ଚୁଡ଼ଙ୍ଗ ଜଙ୍ଗଲକୁ ଲାଗି ରହିଥିବା ଏକ ଏକର ବାଉଁଶ ବୁଦା ଓ ଶୁଖିଲା ଅନାବନା ଗଛରେ ନିଆଁ ଲାଗିଥିଲା। ଯାହାକୁ ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ଲୋକେ ଲିଭାଇଥିଲେ।

ମଧ୍ୟାହ୍ନରେ ଭରତପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଅନ୍ଧାରୁଆ ଖଡ଼ିଖଣି ନିକଟବର୍ତ୍ତୀ ବାଉଁଶ ଜଙ୍ଗଲରେ ନିଆଁ ଲାଗିଯିବାରୁ ୪ ଏକରରୁ ଅଧିକ ପରିମାଣର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁରେ ଅଳ୍ପ କିଛି ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ତେବେ ବନ ବିଭାଗ କର୍ମଚାରୀ ଓ ଗାଁ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ଼ଧରଣର ବିପଦକୁ ଟାଳି ଦିଆଯାଇପାରିଛି। ଅନ୍ଧାରୁଆ ସରପଞ୍ଚ ଦିଲ୍ଲୀପ କୁମାର ତରାଇ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ‌ଯୋଗୁଁ ପୋଖରୀରୁ ପାଣି ଆଣି ନିଆଁକୁ ଆୟତଃ କରାଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁଚାହୁଁ ବାଉଁଶ ବୁଦା ଓ ଶୁଖିଲା ଗଛ ଜଳିଯାଇଥିଲା। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମରେ ନିଆଁକୁ ଲିଭା ଯାଇଛି। ଏଥିପାଇଁ ସେ ଭରତପୁର ବନ୍ୟପ୍ରାଣୀ ବନଖଣ୍ଡ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୧୪ରେ ନନ୍ଦନକାନନ ବଟାନିକାଲ ଗାର୍ଡେନ୍‌ରେ ଲାଗିଥିବା ନିଆଁରେ ପାଖାପାଖି ୧୦ ଏକର ପରିମିତ ଜଙ୍ଗଲ ଜଳି ଯାଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୧୫ ତାରିଖରେ ସିଆର୍‌ପି ଛକ ନିକଟସ୍ଥ ଏକାମ୍ରକାନନ ଫାର୍ମରେ ନିଆଁ ଲାଗିଥିଲା। ଦିନ ଦ୍ବିପ୍ରହରରେ ଏକାମ୍ରକାନନ ଫାର୍ମରେ ଅଗ୍ନିକାଣ୍ଡ ଯୋଗୁଁ ପଲି ହାଉସ୍‌ ସମେତ ବହୁ ମୂଲ୍ୟବାନ ଗଛ, ପାଣି ପାଇପ୍ ଆଦି ପୋଡ଼ି ହୋଇଥିଲା। ରେଣ୍ଟାଲ କଲୋନି ପାର୍ଶ୍ବରେ ନିଆଁ ଲାଗି ଯାଇଥିବାରୁ ପଲି ହାଉସ୍‌ ଭିତରେ ଓ ବାହାରେ ଥିବା ବିଭିନ୍ନ ପ୍ରଜାତିର ଲିଚୁ ଗଛ, ଔଷଧୀୟ ଗଛ, ଫୁଲ ଗଛ, ଚାରା ପୋଡ଼ି ନଷ୍ଟ ହୋଇଥିଲା। ଗତ ୨୨ ତାରିଖରେ ଜୟଦେବ ବିହାର ନିକଟରେ ଏକ ଖୋଲା ସ୍ଥାନରେ ନିଆଁ ଲାଗିଯାଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିଲେ ମଧ୍ୟ କେତେକ ଗଛ ପୋଡ଼ି ଯାଇଥିଲା।

୨୩ ତାରିଖରେ ବାଣୀବିହାର କ୍ୟାମ୍ପସରେ ନିଆଁ ଲାଗିଥିଲେ ମଧ୍ୟ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଭିଏସ୍‌ଏସ୍‌ ନଗରକୁ ରକ୍ଷା କରାଯାଇଥିଲା। ଭୟଙ୍କର ରୂପ ନେବା ପୂର୍ବରୁ ନିଆଁ ଆୟତଃ ହୋଇଥିଲା। ସେହିପରି ଉକ୍ତ ଦିନ ସନ୍ଧ୍ୟା ସାଢ଼େ ୫ଟାରେ ଧଉଳି ଶାନ୍ତିସ୍ତୂପର ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ବହୁ ଗଛଲତା ପୋଡ଼ି ନଷ୍ଟ ହୋଇଥିଲା। ଛୋଟ ଛୋଟ ଗଛଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା। ଖରାଦିନ ନ ଆସୁଣୁ ବାରମ୍ବାର ଏମିତି ଜଂଗଲରେ ନିଆଁ ଲାଗୁଥିବାରୁ ଆଗକୁ ଏହା ଭୟଙ୍କର ରୂପ ‌େନବାର ଆଶଙ୍କା ରହିଛି।

ଶୁଖିଲା ବାଉଁଶ ସାଜିଛି ବିପଦ
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଉଁଶ ପାଇଁ ମୁଖ୍ୟତଃ ପ୍ରସିଦ୍ଧି ଲାଭ କରିଛି। ବର୍ତ୍ତମାନ ଖରା ଦିନ ହୋଇଥିବାରୁ ଭରତପୁର ଜଙ୍ଗଲରେ ଏକର ଏକର ବାଉଁଶ ଗଛ ଶୁଖିଛି। ତଳେ ବାଉଁଶ ପତ୍ର ପଡ଼ିଥିବା ବେଳେ ଗଛ ଡାଳଗୁଡ଼ିକ ଶୁଖିଲା ରହିଛି। ଅଭୟାରଣ୍ୟ ୧୯୩ ବର୍ଗ କି.ମି. ଜଙ୍ଗଲରେ ପରିବ୍ୟାପ୍ତ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୨୫ ବର୍ଗ କି.ମି. ଅଞ୍ଚଳରେ ବାଉଁଶ ବଣ ରହିଛି। କୌଣସି କାରଣ ବଶତଃ ଯଦି ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ନିଆଁ ସହରକୁ ମାଡ଼ି ଆସେ ତେବେ ନିଆଁରେ ଆଁ ଭିତରକୁ ରାଜଧାନୀର କିଛି ଅଂଶ ଚାଲିଯିବାର ଭୟ ସୃଷ୍ଟି ହୋଇଛି। ବନ ବିଭାଗ ଅଧିକାରୀ ଭୟ କଲେଣି ଯେ ଏଭଳି ଜଙ୍ଗଲରେ ନିଆଁ ଥରେ ଲାଗିଲେ, ଏହାକୁ ନିୟନ୍ତ୍ରଣ କରିବା ସହଜ ନୁହେଁ। କେବଳ ଜଙ୍ଗଲ ଧ୍ୱଂସ ହେବ ନାହିଁ; ଏହି ଅଭୟାରଣ୍ୟରେ ଥିବା ଶହଶହ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡ଼ିବେ। ବନ୍ୟ ସମ୍ପଦ ଧ୍ୱଂସ ପାଇବ। ଜଙ୍ଗଲକୁ ଲାଗି ରହିଥିବା ରାଜଧାନୀର ଜନବସତିକୁ ବି ନିଆଁ ବ୍ୟାପିବାର ବିପଦକୁ ଟାଳି ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର