ପୋଖରୀରେ ଗାଧୋଇବାକୁ କେନ୍ଦ୍ରକରି ଆକ୍ରମଣ, ୬ ଆହତ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ରାତିରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଲାଗି ଅଠାନ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଆହତ ହୋଇଥିବା କ୍ଷୀରେନ୍ଦ୍ର ଦାସ(୫୮), ନରେନ୍ଦ୍ର ଦାସ (୫୦), ପ୍ରଦୀପ୍ତ ଦାସ(୨୬), କାଞ୍ଚନ ଦାସ, ଟିକିନା ଦାସ ଓ ପୂଜା ଦାସଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି।

ଗତ ଦୁଇଦିନ ତଳେ ନରେନ୍ଦ୍ରଙ୍କ ପୋଖରୀକୁ ସେହି ଗ୍ରାମର କାର୍ତ୍ତିକ ଦାସ ଏବଂ ନିମେଇଁ ଦାସ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେମାନେ ଗାଧୋଇ ପାଣି ଗୋଳି କରିବାରୁ ନରେନ୍ଦ୍ରଙ୍କ ପରିବାର ତରଫରୁ ବାରଣ କରାଯିବାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତକାଲି ରାତି ୧୨ଟା ସମୟ ମଧ୍ୟରେ ୪/୫ଜଣ ଯୁବକ ମାରଣାସ୍ତ୍ର ଧରି ନରେନ୍ଦ୍ରଙ୍କ କବାଟ ବାଡ଼େଇ ଥିଲେ। କବାଟ ଖୋଲିବା ପରେ ହଠାତ୍ ସେମାନେ ଆକ୍ରମଣ କରିଥିଲେ ବୋଲି ପରିବାର ତରଫରୁ ବାଲିପାଟଣା ଥାନାରେ ଅଭିଯୋଗ କରାଯାଇଛି। ଉକ୍ତ ଘଟଣାରେ ଦୁଇପକ୍ଷରୁ ଏତଲା ହୋଇଥିବା ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର