ଗଣେଶ ପୂଜା ପାଇଁ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ବିବାଦୀୟ ଜାଗାରେ ୧୪୪ ଜାରି

ଭୁବନେଶ୍ବର: ଇନ୍ଦ୍ରଧନୁ ମାର୍କେଟ୍‌ରେ ଗଣେଶ ପୂଜାକୁ ନେଇ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି। ଗୋଟିଏ ସ୍ଥାନରେ ଦୁଇ ଗୋଷ୍ଠୀ ପୂଜା କରିବାକୁ ଜିଦ୍‌ ଧରିବାରୁ ପରିସ୍ଥିତି ଅସମ୍ଭାଳ ‌ହୋଇପଡ଼ିଛି। ତେଣୁ ବଡ଼ଧରଣର ଅଘଟଣର ଆଶଙ୍କା ଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ସେଠାରେ ୧୪୪ ଧାରା ଜାରି କରାଯାଇଛି। ବିବାଦୀୟ ସ୍ଥାନରେ ପୂଜାକୁ ନେଇ ଯଦି କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

‌ତେବେ ୧୪୪ ଧାରା ଜାରି ପୂର୍ବରୁ ଗୋଟିଏ ଗୋଷ୍ଠୀ ସେଠାରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଅପରଗୋଷ୍ଠୀ ଏହାକୁ ବିରୋଧ କରି ଆଜି ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଇନ୍ଦ୍ରଧନୁ ମା‌ର୍କେଟ୍‌ ବିଜ୍‌ନେସ୍‌ ଡେଭଲପ୍‌ମେଣ୍ଟ ଆସୋସିଏସନ୍‌ର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ଶତାଧିକ ବ୍ୟବସାୟୀ ଡିସିପି କାର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ ପୂଜା ପାଇଁ କାହାକୁ ଅନୁମତି ଦିଆଯାଇ ନଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ଟେଣ୍ଟ ପୋତିଲା, ତାହାର ତଦନ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ପକ୍ଷପାତିତା କରି ଗୋଟିଏ ପକ୍ଷକୁ ପୂଜା ପାଇଁ ଅନୁମତି ଦିଆଗଲେ, ପରିସ୍ଥିତି ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛି। ସୂଚନାଯୋଗ୍ୟ, ଗତକାଲି ଇନ୍ଦ୍ରଧନୁ ମାର୍କେଟ୍‌ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ଡିସିପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ସମ୍ବନ୍ଧିତ ଖବର