ଓସ୍କାର ପ୍ରବେଶ ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ‘କଣ୍ଠୋ’

ଭୁବନେଶ୍ବର: ଚଳିତ ବର୍ଷ ଓସ୍କାର ପାଇଁ ଭାରତରୁ ମନୋନୀତ ଚଳଚ୍ଚିତ୍ର ତାଲିକାରେ ସାମିଲ୍‌ ହୋଇଛି ଅକ୍ଷୟ ପରିଜା ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ‘କଣ୍ଠୋ’। ପ୍ରଥମ ପର୍ଯ୍ୟାୟରେ ‌୨୮ଟି ଚଳଚ୍ଚିତ୍ର ଏହି ମନୋନୟନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିବା ବେଳେ ସେଥିମଧ୍ୟରେ ଅକ୍ଷୟ ପରିଜାଙ୍କ ‘କଣ୍ଠୋ’ ସ୍ଥାନ ପାଇବା ଓଡ଼ିଶା ପାଇଁ ଖୁସି ଖବର ଆଣି ଦେଇଛି। ଗତବର୍ଷ ମଧ୍ୟ ଶ୍ରୀ ପରିଜାଙ୍କ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘କଡ୍‌ୱି ହାୱା’ ଓସ୍କାର ଦୌଡ଼ରେ ସାମିଲ୍‌ ହୋଇଥିଲା। ସେପ୍ଟେମ୍ବର ୧୮ରୁ ୨୧ ତାରିଖ ମଧ୍ୟରେ ହୋଇଥିବା ସ୍କ୍ରିନିଂ ପ୍ରକ୍ରିୟାରେ ‘କଣ୍ଠୋ’କୁ ଚୟନ କରାଯାଇଥିଲା। ଜୁରି ସଦସ୍ୟଙ୍କ ଦ୍ବାରା ଏହି ଚଳଚ୍ଚିତ୍ର ବେଶ୍‌ ପ୍ରଶଂସିତ ହୋଇଥିଲା। ଆକର୍ଷଣୀୟ କଣ୍ଠସ୍ବର ପାଇଁ ପରିଚିତ ଜଣେ ରେଡିଓ ଜକିଙ୍କ କାହାଣୀକୁ ନେଇ ଏହା ନିର୍ମିତ ହୋଇଛି। ଅର୍ଜୁନ ମଲ୍ଲିକ ନାମକ ଜଣେ ରେଡିଓ ଜକି ନିଜ ସ୍ବରର ଯାଦୁରେ ଜୀବିକା ଅର୍ଜନ ସହ ଲକ୍ଷଲକ୍ଷ ଲୋକଙ୍କ ଭଲ ପାଇବା ପାଇ ପାରିଛି। ମାତ୍ର ଆକସ୍ମିକ ଭାବେ ନିଜର କଣ୍ଠସ୍ବର ହରାଇବା ପରେ କ’ଣ ଘଟୁଛି ସେହିଭଳି ଏକ କଥାବସ୍ତୁକୁ ନେଇ କାହାଣୀ ଗତିଶୀଳ‌ ହୋଇଛି। ନନ୍ଦିତା ରୟ ଓ ଶିବପ୍ରସାଦ ମୁଖୋପାଧ୍ୟାୟଙ୍କ ନିର୍ଦେଶନାରେ ଏହା ପ୍ରସ୍ତୁତ ହୋଇଥିବା ବେଳେ ଶିବପ୍ରସାଦ ନିଜେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ପୂର୍ବ ଭାରତରେ ଏହି ଚଳଚ୍ଚିତ୍ର ଆଶାତୀତ ବ୍ୟାବସାୟିକ ସଫଳତା ସହ ପ୍ରଦର୍ଶନ ୧୦୦ ଦିନ ପୂରଣ କରିଛି। ପ୍ରଯୋଜକ ଅକ୍ଷୟ ପରିଜା ଏହି ସଫଳତା ସମ୍ପର୍କରେ ମତ ରଖି କହିଛନ୍ତି, ଆମେ ସବୁବେଳେ ମୂଲ୍ୟବୋଧଭିତ୍ତିକ ଚଳଚ୍ଚିତ୍ରକୁ ଗୁରୁତ୍ବ ଦେବା ସହ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଗୌରବ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିଛୁ।

ସମ୍ବନ୍ଧିତ ଖବର