କୋଭିଡ୍‌ ଗାଇଡ୍‌ଲାଇନ୍ ଉଲ୍ଲଂଘନ : ବିଏମ୍‌ସି ଆଦାୟ କଲାଣି ୨ ଲକ୍ଷ ୬୭ ହଜାର

ଭୁବନେଶ୍ବର : କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭି‌ଯୋଗରେ ବିଏମ୍‌ସି କର୍ତ୍ତୃପକ୍ଷ ଦୋକାନୀ, ସାଧାରଣ ଜନତାଙ୍କଠାରୁ ୨ ଲକ୍ଷ ୬୭ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ମାସ୍କ ନ ପିନ୍ଧିବା, ଦୋକାନ ଆଗରେ ଭିଡ଼ ଜମାଇବା, ସାମାଜିକ ଦୂରତା ନିୟମକୁ ପାଳନ ନ କରିବା ଆଦି ଅଭିଯୋଗରେ ଏହି ଜରିମାନା ଆଦାୟ ହୋଇଛି। ଚଳିତ ମାସରେ ଏହି ଜରିମାନା ଆଦାୟ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ସୂଚନାଯୋଗ୍ୟ ଯେ ଗତ ସପ୍ତାହକ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଏମ୍‌ସିର ଅଧିକାରୀମାନେ ଏକ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଲୋକେ ସଚେତନ ହେବା ସହ ନିୟମକୁ ପାଳନ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

ବିବାହ ଭୋଜିରୁ ୨ ହଜାର ଜରିମାନା
ବାଲିଅନ୍ତା : ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରା ଆଜି ମଧ୍ୟାହ୍ନରେ ବଇଁଚୁଆ ବିଶ୍ବନାଥ ପ୍ରାଥମିକ ସ୍କୁଲ ନିକଟରେ ହେଉଥିବା ଏକ ବିବାହ ଭୋଜିରେ ଅତର୍କିତ ଚଢ଼ଉ କରିଥିଲେ। ମହାମାରୀ କୋଭିଡ-୧୯ ନିୟମକୁ ଉଲ୍ଲଂଙ୍ଘନ କରି ବିବାହ ଭୋଜିର ଆୟୋଜନ ହୋଇଥିବାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଖାଁ ଗାଡ଼ିଆ ସାହିର ପିଣ୍ଟୁ ବେହେରାଙ୍କ ବିବାହ ଭୋଜି ଆୟୋଜନ ହୋଇଥିଲା। ବହୁ ସଂଖ୍ୟାରେ ଲୋକ ଭୋଜି ଖାଇବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏଥିପାଇଁ ପିଣ୍ଟୁ ବାଲିଅନ୍ତା ଥାନା, ବଇଁଚୁଆ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନଠାରୁ ଅନୁମତି ନିଆଯାଇ ନଥିଲା। ଖବର ପାଇ ବିଡିଓ ଶ୍ରୀ ବେହରା ତୁରନ୍ତ ସେଠାରେ ପହଞ୍ଚି ପିଣ୍ଟୁଙ୍କୁ ପଚରାଉଚରା‌ କରିବା ସହ ତାଙ୍କଠାରୁ ଜରିମାନା ଅର୍ଥ ଆଦାୟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର