ଏଣିକି ରିସେପ୍‌ସନ୍‌ ଡେସ୍କରୁ ମିଳିବ ଏଫ୍‌ଆଇଆର୍‌ କପି

ଭୁବନେଶ୍ୱର : କୌଣସି ଜିନିଷ ହଜିଲେ ଏହାର ଏଫ୍‌ଆଇଆର୍‌ କପି ପାଇଁ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡ଼ିବନି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ଯୋଜନା କରାଯାଇଛି। ହଜିଯାଇଥିବା ଜିନିଷ କିମ୍ବା ପରିଚୟପତ୍ର ପାଇଁ ଅଭିଯୋଗ ମାତ୍ରେ ଅଭିଯୋଗକାରୀଙ୍କୁ ଏକ ରିସିଭ୍‌ କପି ଦିଆଯିବ। ରିସେପସନ୍‌ ଡେସ୍କ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା କର୍ମଚାରୀ ଏକ ଷ୍ଟାମ୍ପ କପି ଅଭିଯୋଗକାରୀଙ୍କୁ ଦେବେ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି।

ଏଥିପାଇଁ ପ୍ରତି ଥାନାର ରିସେପସନ୍‌ ଡେସ୍କକୁ ଗୁରୁତ୍ୱ ଦିଆଯାଇଛି। ରିସେପସନ୍‌ରେ ଉପସ୍ଥିତ ଥିବା ଅଧିକାରୀ ଜଣଙ୍କ ଅଭିଯୋଗକାରୀଙ୍କୁ କିଭଳି ବ୍ୟବହାର କରିବେ ତାହା ଉପେର ମଧ୍ୟ ଆଲୋଚନା କରାଯାଇଛି। ହଜିବା ଛଡ଼ା ଅନ୍ୟ ଅଭିଯୋଗଗୁଡ଼ିକୁ ମଧ୍ୟ ରିସେପସନ୍‌ ଡେସ୍କରେ ପଞ୍ଜୀକରଣ କରାଯିବ। ତେବେ ଅଭିଯୋଗକାରୀ ରିସେପସନ୍‌ ଡେସ୍କ ଡାଏରିରେ ଦସ୍ତଖତ କରିବେ। ଆଉ ଡାଏରିରେ ଥିବା ତାଙ୍କର ଅଭିଯୋଗ ନମ୍ବରକୁ ନେଇପାରିବେ। ତେବେ ଅଭିଯୋଗ ଉପରେ ତଦନ୍ତ ପରେ ଏହାର କପି ଦିଆଯିବ କି ନାହିଁ ତାହା ଡିସିଓ ବା ଉପରିସ୍ଥ ଅଧିକାରୀ ସ୍ଥିର କରିବେ। ଏହି ପ୍ରକ୍ରିୟାକୁ କିଛିଦିନ ପାଇଁ ପରୀକ୍ଷାମୂଳକ ଭାବେ ସମସ୍ତ ଥାନାରେ ଲାଗୁ କରାଯିବ। ଏହାପରେ ଏକ ସମୀକ୍ଷା କରାଯାଇ ଦରକାର ପଡ଼ିଲେ ନିୟମରେ ପରିବର୍ତ୍ତନ ଅଣାଯିବ ବୋଲି ସିପି ସତ୍ୟଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର