ରାଜେନ୍ଦ୍ର ଆପାର୍ଟମେଣ୍ଟରେ ନିଆଁ, ବର୍ତ୍ତିଗଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର : ଗୁରୁବାର ବିଳମ୍ବିତ ରାତିରେ ଫରେଷ୍ଟ ପାର୍କ ନିକଟ ରାଜେନ୍ଦ୍ର ଆପାର୍ଟମେଣ୍ଟର ସି-ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି। ଖବର ଲେଖା ହେବା ବେଳକୁ କଳ୍ପନାସ୍ଥିତ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ନିଆଁକୁ ଆୟତ୍ତ କରୁଥିବା ଜଣାଯାଇଛି। ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୂରା ବ୍ଲକ୍‌କୁ ଖାଲି କରାଇବା ସହ ବିଲ୍‌ଡିଂର ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରି ଦେଇଛନ୍ତି।

ରାତି ପ୍ରାୟ ୧ଟା ବେଳେ ସି-ବ୍ଲକ୍‌ରେ ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଇଲେକ୍ଟ୍ରି ପ୍ୟାନେଲ୍‌ ରୁମ୍‌ରେ ସର୍ଟସର୍କିଟ୍‌ରୁ ନିଆଁ ଲାଗି ଯାଇଥିଲା। ଏହି ନିଆଁ ବିଦ୍ୟୁତ୍‌ ତାର ଦେଇ ୬ମହଲା କୋଠା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏଥିଯୋଗୁଁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହା ଦେଖି କିଛି ସ୍ଥାନୀୟ ଲୋକ ହୋ-ହଲ୍ଲା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହୋ-ହଲ୍ଲା ଶୁଣି ଏହି ବ୍ଲକ୍‌ରେ ରହୁଥିବା ଲୋକମାନେ ଜୀବନ ବିକଳରେ ତଳକୁ ପଳାଇ ଆସିଥିଲେ। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବାରୁ ଏହି ବିଲ୍‌ଡିଂରେ ରହୁଥିବା ଲୋକମାନେ ଏକପ୍ରକାର ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ବ୍ଲକ୍‌ରେ ବହୁ ବରିଷ୍ଠ ନାଗରିକ ଓ ରୋଗୀ ରହୁଛନ୍ତି। ତେଣୁ ଏକ ବଡ଼ଧରଣର ଅଘଟଣ ଅଳ୍ପ‌କେ ବର୍ତ୍ତି ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର