ରାଜଧାନୀରେ ୫ଶହ ଡେଇଁଲା ଡେଙ୍ଗୁ

୨୪ ଘଣ୍ଟାରେ ଆଉ ୫୨ ଆକ୍ରାନ୍ତ ଚିହ୍ନଟ, ଆଜିଠାରୁ ୩ଟି ଜୋନ୍‌ରେ ବିଏମ୍‌ସିର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ଶହ ଡେଇଁ ଯାଇଛି। ଗତକାଲି ୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୩ରୁ ବଢ଼ି ୫୦୫ରେ ପହଞ୍ଚିଛି। ଏହା କେବଳ ରାଜଧାନୀବାସୀଙ୍କୁ ଆତଙ୍କିତ କରିନାହିଁ; ବିଏମ୍‌ସିକୁ ମଧ୍ୟ ଅକଳରେ ପକାଇଛି।

ଅନ୍ୟପକ୍ଷରେ ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ଓ ବିଭିନ୍ନ ରାଜନୈତିକ ଦଳଙ୍କ ଗର୍ଜନ ପରେ ବିଏମ୍‌ସିର ନିଦ ଭାଙ୍ଗିଛି। ପ୍ରତ୍ୟେକ ଘରେ ସଚେତନତା ଟିମ୍‌ ପହଞ୍ଚିବା ସହ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବା ଲକ୍ଷ୍ୟରେ ବିଏମ୍‌ସି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଆସନ୍ତାକାଲି ସକାଳ ୮ଟାରୁ ୩ଟି ଜୋନ୍‌ରେ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ, ଦକ୍ଷିଣ ପୂର୍ବ ଜୋନ୍‌ର ଶ୍ରୀୟାଛକ, କୁଲିବସ୍ତି, ବୁଦ୍ଧେଶ୍ବରୀ କଲୋନି ଓ ସହିଦନଗର ଦୁର୍ଗାପୂଜା‌ ମଣ୍ଡପ ଅଞ୍ଚଳରେ ସଚେତନତା ଅଭିଯାନ ହେବ। ସେହିଭଳି ଉତ୍ତର ଜୋନ୍‌ର ତାରିଣୀ ବସ୍ତି, ଡମଣା ହାଟ ବସ୍ତି, ଏଟିଏମ୍‌ ଛକ, ନୀଳାଦ୍ରିବିହାର ଏବଂ ଦକ୍ଷିଣପଶ୍ଚିମ ଜୋନ୍‌ର ଇନ୍ଦ୍ରଧନୁ ମାର୍କେଟ୍‌ ଗାନ୍ଧୀବସ୍ତି, ରେଣ୍ଟାଲ ‌କଲୋନି ବସ୍ତିରେ ସଚେତନତା ଅଭିଯାନ ହେବ। ସୁରିଆ ଛକ, ଗାନ୍ଧୀବସ୍ତି ଓ କେୟାର ହସ୍‌ପିଟାଲ ନିକଟରେ ଥିବା ତାରିଣୀ ବସ୍ତିରେ ଫଗିଙ୍ଗ୍‌ ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଛି। ଗତ କିଛିଦିନ ହେଲା ବିଏମ୍‌ସି କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି; ମଶା ବଂଶ ବୃଦ୍ଧି ପାଉଥିବା ଉତ୍ସଗୁଡ଼ିକୁ ନିୟମିତ ନଷ୍ଟ କରାଯାଉଛି ଏବଂ ସଫେଇ କର୍ମଚାରୀମାନେ ଛୋଟ ଗଛ ଓ ବୁଦା କାଟିବା ସହ ପାଣି ଜମିଥିବା ଜାଗାରେ ଔଷଧ ସ୍ପ୍ରେ କରୁଛନ୍ତି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଜି ପର୍ଯ୍ୟନ୍ତ ୫ ହଜାର ୩ଶହ ୬୬ ଘରେ ସଚେତନତା ଟିମ୍‌ ପହଞ୍ଚିଥିବା ବେଳେ ୨୨ ହଜାର ୨୬୦ ଜଣଙ୍କୁ ସଚେତନ କରାଯାଇଛି। ଆଜି ପର୍ଯ୍ୟନ୍ତ ୧୩୯୦ ଉତ୍ସ ନଷ୍ଟ କରାଯାଇଥିବା ବେଳେ ୫୮୮ ଉତ୍ସରୁ ମଶା ଲାର୍ଭା ନଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର