ବାସି ଖାଦ୍ୟ ଅଭିଯୋଗ: ହୋଟେଲ୍‌ରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ଉ

ସୁଧୁରୁ ନାହାନ୍ତି ରାଜଧାନୀର ଖାଦ୍ୟ ପ୍ରତିଷ୍ଠାନ, ବାସି ଖାଦ୍ୟ ନଷ୍ଟ ସହିତ ନମୁନା ସଂଗ୍ରହ

ଭୁବନେଶ୍ବର: ସୁଧୁରୁ ନାହାନ୍ତି ରାଜଧାନୀର ‌ହୋଟେଲ ଓ ରେଷ୍ଟୁରାଣ୍ଟ। ଚଢ଼ଉ ହେଉଛି, ହେଲେ ନିମ୍ନମାନର ଖାଦ୍ୟ ବିକ୍ରି କରିବା ଛାଡ଼ୁ ନାହାନ୍ତି। କିଛିଦିନ ପୂର୍ବରୁ ରାଜଧାନୀର ଏକ ନାମୀ ରେଷ୍ଟୁରାଣ୍ଟକୁ ବିରିୟାନିରେ ଅସରପା ପଡ଼ିଥିବା ଅଭିଯୋଗରେ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ସମାନ ଢଙ୍ଗରେ ଗତକାଲି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ହୋଟେଲ ଭିନିଥ୍ ଗ୍ରାହକଙ୍କୁ ବାସି ଖାଦ୍ୟ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ହୋଟେଲରେ ପହଞ୍ଚି ବାସି ଖାଦ୍ୟ ନଷ୍ଟ କରିବା ସହିତ ଖାଦ୍ୟ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି।

୨ଦିନରେ ରାଜଧାନୀରେ ୫୪ ଖାଦ୍ୟ ଓ ପାଣି ନମୁନା ସଂଗୃହୀତ

ସୂଚନା ଅନୁସାରେ, କିଛି ଗଣମାଧ୍ୟମ ପ୍ରତିନିଧି ହୋଟେଲ ଭିନିଥ୍‌ରେ ଖାଉଥିବା ସମୟରେ ତାଙ୍କୁ ଦିଆଯାଇଥିବା ଚଟଣି ଅତ୍ୟନ୍ତ ଖଟା ଲାଗିଥିଲା। ଏ ସଂପର୍କରେ ସେମାନେ ହୋଟେଲ କର୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ, କର୍ତୃପକ୍ଷ ସିଧା ସିଧା ଏହାକୁ ଫାଙ୍କି ଦେଇଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଓ ହୋଟେଲ କର୍ତୃପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରେଷ୍ଟୁରାଣ୍ଟରୁ ଖାଇ ଫେରିବା ସମୟରେ ଜଣେ ପ୍ରତିନିଧି ବାନ୍ତି କରିଥିଲେ। ଏ ସଂପର୍କରେ ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ବାତ୍ୟା ପରେ ରାଜଧାନୀ ବିଭିନ୍ନ ସ୍ଥାନରେ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ବାତ୍ୟା ଯୋଗୁଁ ଅନେକ ଛୋଟ ଓ ଠେଲା ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଏହାର ସୁଯୋଗ ନେଇ ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ‌ ହେଉଛି। ଲୋକମାନେ ଅଭିଯୋଗ କଲେ ହୋଟେଲ ବ୍ୟବସାୟୀ ଏହାକୁ ଫାଙ୍କି ଦେଉଛନ୍ତି। କେବଳ ଖାଦ୍ୟ ନୁହେଁ ବାତ୍ୟା ପରେ ରାଜଧାନୀରେ ପାଣି ମଧ୍ୟ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଭଳି ପରିସ୍ଥିତିରେ ନିୟମିତ ଖାଦ୍ୟ ଓ ପାଣିର ଯାଞ୍ଚ ପାଇଁ ସାଧାରଣରେ ଦାବି ହେଉଛି।

ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲଙ୍କ କହିବା ମୁତାବକ, ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଅଭିଯୋଗ ପାଇବା ପରେ ହୋଟେଲ ଭିନିଥ୍‌ରେ ଚଢ଼ଉ ହୋଇଥିଲା। ବଳକା ଖାଦ୍ୟକୁ ନଷ୍ଟ କରି ଦିଆଯିବା ସହିତ ଚଟଣି ଓ ସମ୍ବରକୁ ମିଶାଇ ୨ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷରେ ବାତ୍ୟା ପରବର୍ତୀ ସମୟରେ ରାଜଧୀନର ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ ୫୪ଟି ନମୁନା ସଂଗ୍ରହ ହୋଇଛି। ୟୁନିଟ ୩, ୟୁନିଟ୍ ୪, ପୁରୁଣା ବସଷ୍ଟାଣ୍ଡ, ସିଆରପି ଛକ, ୟୁନିଟ୍ ୮ ଭଳି ଅଞ୍ଚଳରୁ ଠେଲା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ହୋଟେଲ ଓ ରୋସ୍ତୋରାଁଠାରୁ ଏହିସବୁ ନମୁନା ସଂଗ୍ରହ କରାଯାଇଛି। ଏହାସହ ପାଇପ୍ ପାଣି ସହିତ ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ମଧ୍ୟ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ମୋବାଇଲ ପରୀକ୍ଷା ଭ୍ୟାନ୍ ଏବେ ପୁରୀରେ ପରୀକ୍ଷା ପାଇଁ ରହିଥିବାରୁ ରାଜଧାନୀରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍କ୍ବାଡ୍ ହିଁ ନମୁନା ସଂଗ୍ରହ କରିବେ। ଆଗକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ଚଢ଼ଉ ଜାରି ରହିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର