‘ସଫାଇ ମିତ୍ର’ ପାଇଁ ଆଗଭର ବିଏମ୍‌ସି, ଜାରି କଲା ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ବର : ନଭେମ୍ବର ୧୯ରେ ଦେଶରେ ଆରମ୍ଭ ହୋଇଛି ‘ସଫାଇ ମିତ୍ର’ ଯୋଜନା। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗୁରୁତ୍ବ ଦେଇଛି। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଏକ ଦେୟମୁକ୍ତ ୨୪ ଘଣ୍ଟିଆ ଫୋନ୍‌ ସେବା ଆରମ୍ଭ କରାଯାଇଛି। ନାଗରିକଙ୍କୁ ସଠିକ୍‌ ସୂଚନା ଦେଇ ସମସ୍ୟା ସମାଧାନରେ ଭାଗୀଦାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଦେୟମୁକ୍ତ ୨୪ଘଣ୍ଟିଆ ଫୋନ୍‌ ସେବା-୧୪୪୨୦ ଜାରି ହୋଇଛି। ଏହି ଫୋନ୍‌ ସେବା ଲାଗୁ କରିବାରେ ବିଏମ୍‌ସି ସମଗ୍ର ଦେଶରେ ଆଗରେ ରହିଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ଥିବା ସେପ୍ଟିକ୍ ଟାଙ୍କି ଓ ସ୍ବରେଜ୍‌ ଲାଇନ୍‌ର ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ ଦିଆଯିବ। ଯାନ୍ତ୍ରିକ ସଫେଇକୁ ଆଗେଇ ନେବା ଓ ବିପଦପୂର୍ଣ୍ଣ ସଫେଇରୁ ଦୂରେଇ ରହିବା ଏବଂ ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ରାଜଧାନୀବାସୀ ଉକ୍ତ ଟୋଲ୍ ଫ୍ରି ନମ୍ବରର ଅହୋରାତ୍ର ଫୋନ୍‌ କରିପାରିବେ। ଏହି ଟୋଲ୍ ଫ୍ରି ନମ୍ବରକୁ ବିଏମ୍‌ସିର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ସହିତ ଲିଙ୍କ୍ କରାଯାଇଛି। ଯାହାଦ୍ୱାରା ରାଜଧାନୀବାସୀ କୌଣସି ପ୍ରକାରର ସନ୍ଦେହରେ ରହିବେ ନାହିଁ। ସେପ୍ଟିକ୍ ଟାଙ୍କି ଓ ସ୍ବରେଜ୍ ଲାଇନ୍‌ର ନିରାପଦ ମଳ ନିସ୍ତାରଣକୁ ଉତ୍ସାହିତ କରିବା କ୍ଷେତ୍ରରେ ଲୋକଙ୍କ ଆଚରଣଗତ ପରିବର୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନେକ ଶିକ୍ଷା ସୂଚନା ଓ ଯୋଗାଯୋଗ ପଦକ୍ଷେପ ନେବାକୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ରହିଥିବା ସେବାଗୁଡ଼ିକ ହେଉଛି, ସୂଚନା ପ୍ରଦାନ, ଅହୋରାତ୍ର ଟୋଲ୍ ଫ୍ରି ସେବା ଉପଲବ୍ଧ, ରିଅଲ୍ ଟାଇମ୍ ବା ନିର୍ଦ୍ଧିଷ୍ଟ ସମୟରେ କେତେ ଅଭିଯୋଗ, କେତେ ସମାଧାନ ହୋଇଛି ସେ ସମ୍ବନ୍ଧୀୟ ବ୍ୟବସ୍ଥା, ଯଦି ଅଭିଯୋଗ ସମାଧାନ ହୋଇନାହିଁ, ତେବେ ଏହାକୁ କ୍ଲୋଜ୍ କରାଯାଇ ପାରିବ ନାହିଁ ଆଦି ବ୍ୟବସ୍ଥା ରହିଛି। ଲୋକମାନେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ୱାର୍ଡସ୍ତରୀୟ ଓ ଜୋନ୍‌ସ୍ତରୀୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମ ହେବ। ହେଲ୍ପଲାଇନ୍ ସମ୍ବନ୍ଧୀୟ ଧାରଣା, ସଫାଇ ମିତ୍ର(ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ଲାଇନ୍‌ର ସଫେଇ ଦାୟିତ୍ୱରେ ଥିବା)ଙ୍କୁ ପ୍ରୋତ୍ସାହନ, ବେନିୟମ କାର୍ଯ୍ୟ ପାଇଁ କଡ଼ା ପଦକ୍ଷେପ, ଅଧିକରୁ ଅଧିକ ମଳ ପରିଚାଳନା ଆବଶ୍ୟକ କରୁଥିବା ସ୍ଥାନଗୁଡ଼ିକର ଚିହ୍ନଟକରଣ, ରହିଥିବା ଆଇନ ବ୍ୟବସ୍ଥା ବାବଦରେ ଧାରଣା ଓ ନାଗରିକଙ୍କ ଉପରେ କାର୍ଯ୍ୟକ୍ରମର ପ୍ରଭାବ ଆଦି ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବ। ଏଥିରେ ସମସ୍ତ ମହାନଗର ନିଗମ ସାମିଲ୍ ହୋଇଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସମୀକ୍ଷା କରାଯିବାର ବ୍ୟବସ୍ଥା ସାଙ୍ଗକୁ ଉତ୍ତମ ପରିଚାଳନା କରିଥିବା ମହାନଗର ନିଗମକୁ ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର