ବାପା ପର କରିଦେଲେ, ମା’ ଆରପାରିକୁ ଚାଲିଗଲେ : ଚାରି ଛୁଆ ବେସାହାରା

ବାଲିଅନ୍ତା : ରୋଜଗାର କରିବା ବାହାନାରେ ବାପା‌ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ମା’ ଆରପାରିକୁ ଚାଲିଗ‌ଲେ। ଫଳରେ ଚାରିଛୁଆ ବେସାହାରା ହୋଇପଡ଼ିଛନ୍ତି। ୧୭ ବର୍ଷ ବୟସର ବଡ଼ ପୁଅ କାନ୍ଧରେ ଏବେ ଅନ୍ୟ ତିନି ଛୋଟ ପିଲାଙ୍କ ବୋଝ। କରୋନା ସଂକଟ ବେଳେ ଏହି ଦୁଃଖଦ ଘଟଣାଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲିଅନ୍ତା ବ୍ଲକ କୂଳସାହି ଗ୍ରାମରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଦୁଇ ବର୍ଷ ତଳେ ଦିନ ମଜୁରିଆ ରାଜୁ ଦାସ ତାଙ୍କ ସ୍ତ୍ରୀ ଝୁନ ଓ ପିଲାଙ୍କୁ ଛାଡ଼ି ପଳାଇଛନ୍ତି। ଅଧିକ ରୋଜଗାର କରିବା ବାହାନାରେ ଘରୁ ପଳାଇଥିଲେ। ସେହିଦିନଠାରୁ ତାଙ୍କର ପତ୍ତା ମିଳୁନାହିଁ। ତେଣୁ ପରଘରେ ମୂଲପାତି ଲାଗି ଝୁନ ପିଲାମାନଙ୍କୁ ଚଳାଉଥିଲେ। କିନ୍ତୁ ପରେ ସେ ଯକ୍ଷ୍ମା ଏବଂ କିଡ୍‌ନୀ ରୋଗରେ ପୀଡ଼ିତ ହେଲେ। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରି ନଥିଲା। ତେଣୁ ରୋଗ ଶଯ୍ୟାରେ ପଡ଼ି ପଡ଼ି ସେ ଆଜି ଆଖି ବୁଜି ଦେଲେ। ଆଜି ସକାଳେ ବଡ଼ ପୁଅ ବାପି ମା’ଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପିଲାମାନଙ୍କ ଅସହାୟତା ଦେଖି ଗ୍ରାମବାସୀମାନେ ଚାନ୍ଦାଭେଦା କରି ଗ୍ରାମ ଶ୍ମଶାନରେ ଝୁନଙ୍କ ଶବ ଦାହ କରାଇଥିଲେ। ଏବେ ଝୁନଙ୍କ ଶୁଦ୍ଧିକ୍ରିୟା ଓ ପିଲାମାନଙ୍କ ବଞ୍ଚି ରହିବାକୁ ନେଇ ଗ୍ରାମବାସୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ଅସହାୟ ସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର