ଦୁଃଖ ଯେବେ ଆସେ… : କର୍କଟ ପୀଡ଼ିତା ସ୍ତ୍ରୀଙ୍କୁ ଧରି ବିଦ୍ୟାଳୟରେ ଆଶ୍ରୟ

ବାଲିପାଟଣା : କଥାରେ ଅଛି ଦୁଃଖ ଯେବେ ଆସେ ସାଥୀରେ ବନ୍ଧୁ ସହୋଦର ଧରି ଆସେ। କଲବଲ ନ କଲା ପର୍ଯ୍ୟନ୍ତ ପିଛା ଛାଡ଼େ ନାହିଁ। ଠିକ୍‌ ସେମିତି ଅବସ୍ଥା ବାବୁଲାଙ୍କର। ସ୍ତ୍ରୀଙ୍କୁ ରୋଗରୁ ଭଲ କରିବା ପାଇଁ ଅଳଙ୍କାରଠାରୁ ଆରମ୍ଭ କରି ୭୦/୮୦ ଛେଳି ବିଶିଷ୍ଟ ଥିବା ଗୋଠକୁ ବିକିଦେଲେ। ଦିନେ ବେଶ୍ ଭଲ ଜୀବନଯାପନ କରୁଥିବା ବାବୁଲା ପର ପାଖରେ ହାତ ପାତିଲେ ଓ ଧାରକରଜରେ ବୁଡ଼ିଗଲେ। ସ୍ତ୍ରୀ ପେଟରୋଗରୁ ଆରୋଗ୍ୟ ଲାଭ କରିବା ପୂର୍ବରୁ କୁଆଡ଼େ ଥିଲା ମାଡ଼ି ଆସିଲା କର୍କଟ। କଥା ଏତିକିରେ ସରିନଥିଲା। ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ତ୍ରୀଙ୍କ ପାଇଁ ସଂଘର୍ଷ କରୁଥିବା ବାବୁଲା ଉପରେ ପୁଣି ଦାଉ ସାଧିଲା ସାମୁଦ୍ରିକ ବାତ୍ୟା ଫନି। ଘରଖଣ୍ଡିକୁ ପୂରା ମାଟିରେ ମିଶାଇ ଦେଲା। ତାଙ୍କୁ ବାସହରା କରିଦେଲା ଫନି। ତେଣୁ ରୋଗୀଣା ସ୍ତ୍ରୀକୁ ସାଙ୍ଗରେ ବୋହି ଗାଁ ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଲେ ବାବୁଲା। ସେହିଦିନଠାରୁ ଦୀର୍ଘ ୧୫ ମାସ ହେଲା ବିଦ୍ୟାଳୟ ପାଲଟିଛି ବାବୁଲାଙ୍କ ଆଶ୍ରୟସ୍ଥଳ।

ଏହା ହେଉଛି ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଜିତେନା ଗ୍ରାମର କାଶ୍ଚ୍ୟଲ୍ୟ ଜେନା ଓରଫ ବାବୁଲାଙ୍କ କାହାଣୀ। ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ ଝୁନି ଜେନା(୪୭)। ଝୁନି ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ଗର୍ଭାଶୟରେ ଟ୍ୟୁମର୍‌ ଓ ଖାଦ୍ୟ ନଳୀରେ ଷ୍ଟୋନ୍‌ ଭଳି ମାରାତ୍ମକ ରୋଗର ଶିକାର ହେଲେ। ବହୁ ଡାକ୍ତରଖାନା ବୁଲିବୁଲି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। ଶେଷରେ ଝୁନିଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଅସ୍ତ୍ରୋପଚାର କରାଇଲେ। କିନ୍ତୁ ୨ ମାସ ପରେ ପୁଣି ଟେଷ୍ଟ୍‌ କରିବା ପରେ ସେ କର୍କଟ ପୀଡ଼ିତା ହୋଇଥିବା ଜଣାପଡ଼ିଥିଲା। ସେତେବେଳକୁ ଘରର ଜିନିଷପତ୍ର ବିକି ସାରିଥିବା ବାବୁଲା ଧାରକରଜ କରି ଝୁନିଙ୍କୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ। ପୁନର୍ବାର ସେହି ମେଡିକାଲରେ ଅସ୍ତ୍ରୋପଚାର ହେଲା। ପର୍ଯ୍ୟାୟକ୍ରମେ ୬/୭ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ଭିତରେ ବାବୁଲାଙ୍କ ମୁଣ୍ଡରେ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କାର କରଜ ଲଦି ହୋଇ ଯାଇଥିଲା। ପରିତାପର କଥା, ଫନି କ୍ଷତିପୂରଣ ବାବଦରେ ବାବୁଲାଙ୍କୁ ମିଳିଥିବା ୯୫ ହଜାର ଟଙ୍କା ମଧ୍ୟ ଝୁନିଙ୍କ ଚିକିତ୍ସାରେ ସରି ଯାଇଛି। ଏବେ ପ୍ରତି ମାସରେ ୨/ ୩ ହଜାର ଟଙ୍କାର ଔଷଧ ଦରକାର ହେଉଛି। କିନ୍ତୁ ରୋଜଗାର ନାହିଁ। ରୋଗୀଣା ସ୍ତ୍ରୀକୁ ଛାଡ଼ି ବାହାରକୁ କାମ କରିବାକୁ ଯାଇ ହେଉନାହିଁ। ଭୁବନେଶ୍ବର ଏମ୍‌ସ ଡାକ୍ତରଙ୍କ କହିବା କଥା ଝୁନିଙ୍କୁ ମୁମ୍ବାଇ ନେବାକୁ ପଡ଼ିବ। ନଚେତ ବାହାରୁ ମେଡିସିନି ମଗାଇଲେ ୯୫ ହଜାର ଟଙ୍କା ପଡ଼ିବ। ଏହା ଶୁଣିବା ପରେ ବାବୁଲା ପୂରା ଅସହାୟ ହୋଇପଡ଼ିଛନ୍ତି। ତଥାପି ହାରି ଯାଇନାହାନ୍ତି। ଏତେ କଷ୍ଟ ଓ ଯନ୍ତ୍ରଣା ସତ୍ତ୍ବେ ସେ ଝୁନିଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଦାନ ଅର୍ଥ ପାଇବା ଆଶାରେ ବାବୁଲା ଅପେକ୍ଷା କରି ବସିଛନ୍ତ।

ସମ୍ବନ୍ଧିତ ଖବର