ବିଏମ୍‌ସି ଡାକ୍ତରଖାନା: ଟଙ୍କା ନଦେଲେ ଚିକିତ୍ସା ନାହିଁ

ମାସେ ହେଲା ଏକ୍ସ୍‌-ରେ ଅଚଳ, ତଦନ୍ତ କରିବେ ସିଏମ୍‌ଏମ୍‌ଓ

ପୁରୁଣା ଭୁବନେଶ୍ୱର: ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ବେଳେ ଏବେ ଆଉ ଏକ ବିବାଦ ଯୋଗୁଁ ମେଡିକାଲ୍‌ କର୍ତୃପକ୍ଷ ସମା‌ଲୋଚନାର ଶିକାର ହୋଇଛନ୍ତି। ଏଠାରେ ଟଙ୍କା ନଦେଲେ ସେବା ମିଳୁ ନଥିବା ପରି ଗୁରୁତର ଅଭିଯୋଗ ଆସିଛି। ତେବେ ଏହାର ତଦନ୍ତ କରାଯିବ ବୋଲି ସିଏମ୍‌ଏମ୍‌ଓ ଡା. ଗଣେଶ ପ୍ରସାଦ ଦାଶ କହିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ କୁଞ୍ଜପାଟଣା ସାହିର ସଖି ନାମକ ୬୦ ବର୍ଷର ମହିଳା ଅପରେସନ୍‌ କରିବାକୁ ଆସିଥିବା ବେଳେ ତାଙ୍କୁ ଜନୈକ ଡାକ୍ତର ଟଙ୍କା ମାଗିଥିଲେ। ଏ ନେଇ ସେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି। ସେହିପରି ମିଶ୍ର ସାହିର ସବିତା ଜେନାଙ୍କୁ ପରେ ଅସ୍ତ୍ରୋପଚାର କରାଯିବ କହି ଫେରାଇ ଦିଆଯାଇଥିଲା ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ଏ ନେଇ ଡା. ଦାଶ କହିଛନ୍ତି, ଅଭିଯୋଗକାରୀଙ୍କୁ ହସ୍ପିଟାଲରେ ଆଡମିସନ୍ କରାଯାଇଛି। ଅଭିଯୋଗର ତଦନ୍ତ କରାଯିବ। ତେବେ ହସ୍ପିଟାଲରେ ଜୁନିୟର ସର୍ଜନ ନଥିବାରୁ ଅସ୍ତ୍ରୋପଚାରରେ ସମସ୍ୟା ହେଉଛି। ଅନ୍ୟପକ୍ଷରେ ହସ୍ପିଟାଲ୍‌ରେ ମାସେ ହେଲା ଏକ୍ସ-ରେ ମେସିନ୍‌ ବନ୍ଦ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏକ୍ସ-ରେ କରିବାକୁ ହେଲେ ରୋଗୀଙ୍କୁ ହସ୍ପିଟାଲ୍‌ ବାହାରକୁ ଯିବାକୁ ପଡ଼ୁଛି। ଏପରିକି ରୋଗୀଙ୍କ ଦେହରେ ସାଲାଇନ୍‌ ଲାଗିଥିଲେ ମଧ୍ୟ ତାଙ୍କୁ ବାହାରକୁ ନେବାକୁ ପଡ଼ୁଛି। ତୁରନ୍ତ ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମେସିନ୍‌ ଅଚଳ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଡା. ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର