ଆଶା ଆଶଙ୍କାରେ ମୂର୍ତ୍ତି କାରିଗର, ଅନ୍ତ ହେବ କି କରୋନା କାଳ କଷଣ!

ଖ‌ଣ୍ଡଗିରି: ଗତବର୍ଷ ମହାମାରୀ କରୋନା ପାଇଁ ମୂର୍ତ୍ତି କାରିଗରମାନେ ରୋଜଗାର ହରାଇ ବଡ଼ କଲବଲ ହୋଇଥିଲେ। ବହୁ ମୂର୍ତ୍ତି କାରିଗରଙ୍କ ପରିବାର ଭୋକ ଉପାସରେ ଦିନ କାଟିଥିବା ବେଳେ ଅନେକ ଋଣ ବୋଝରେ ହନ୍ତସନ୍ତ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ହେବ ବୋଲି ଆଶଙ୍କା ଦେଖାଗଲାଣି। କରୋନାର ଦ୍ବିତୀୟ ଲହର ବହୁତ ଭୟଙ୍କର ପରିଣାମ ଦେଇଥିବା ବେଳେ ପୁଣି ଡରାଇଲାଣି ତୃତୀୟ ଲହର। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପୁଣି ସେମାନଙ୍କ ଭାତହାଣ୍ଡିରେ ପାହାର ପକାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ମୂର୍ତ୍ତି କାରିଗରମାନଙ୍କ ଚିନ୍ତା ବଢ଼ିଯାଇଛି।

ଗତବର୍ଷ ପାର୍ବଣ ଋତୁ ସାରା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ କଟିଥିଲା। ପୂଜା ଋତୁ କରୋନା ମାଡ଼ରେ ଛିନ୍‌ଛତ୍ର ହୋଇଯାଇଥିଲା। ତେଣୁ ମୂର୍ତ୍ତି କାରିଗରମାନେ ହାତବାନ୍ଧି ବସିବାକୁ ବାଧ୍ୟ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ମୂର୍ତ୍ତି ଗଢ଼ିବା ପାଇଁ ଧାରକରଜ କରି ବିଭିନ୍ନ ଉପକରଣ କିଣି ହତାଶ ହୋଇଥିଲେ। ଏମିତିକି ମାଟି କିଣା ପଇସା ବି ପାଣିରେ ପଡ଼ିଥିଲା। ଚଳିତ ବର୍ଷ କ୍ଷତିଭରଣା ହେବ ବୋଲି ସେମାନେ ମନରେ ବଡ଼ ଆଶା ବାନ୍ଧିଥିଲେ। କିନ୍ତୁ କରୋନା ମହାମାରୀ ଥମିବା ନାଁ ଧରୁନାହିଁ। ପୁଣି ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଉଛି ଓ ସତର୍କ ରହିବାକୁ ପ୍ରଶାସନ ତୁହାକୁ ତୁହା ପ୍ରଚାର କରୁଛ। ଏଭଳି ସ୍ଥିତିରେ ଚଳିତ ବର୍ଷ ବି ସେମାନେ ରୋଜଗାର ହରାଇବେ ବୋଲି ସେମାନେ ପ୍ରମାଦ ଗଣିଲେଣି। ଲଗାତର ଦୁଇ ଦୁଇ ବର୍ଷ ହାତ ବାନ୍ଧି ବସିଲେ, ସେମାନେ ତଳିତଳାନ୍ତ ହୋଇଯିବେ ବୋଲି କହିଛନ୍ତି।

ଆସନ୍ତା ଅଗଷ୍ଟ ୨୯ତାରିଖରେ ପଡ଼ୁଛି ଭାଦ୍ରବ ମାସର ପ୍ରଥମ ରବିବାର। ଖୁଦୁରୁକୁଣୀ ବ୍ରତ ଆରମ୍ଭ ହେବ। ସେପ୍ଟେମ୍ବର ୧୦ରେ ଗଣେଶ ପୂଜା। ତେଣୁ ଏବେଠାରୁ ମୂର୍ତ୍ତି କାରିଗରମାନେ ଛାଞ୍ଚ ତିଆରି କରିବା ଆରମ୍ଭ କରିଛନ୍ତି। କିନ୍ତୁ ମନରେ ଭରି ରହିଛି ଭୟ। ପୂର୍ବରୁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଆଗୁଆ ମୂର୍ତ୍ତି ବୁକିଂ କରୁଥିଲେ। ଏହି ସମୟକୁ ବଡ଼ବଡ଼ ମୂର୍ତ୍ତି କରାଦ ହୋଇଯିବା କଥା। କିନ୍ତୁ ଚଳିତ ବର୍ଷ ଖୁଦୁରୁକୁଣୀ ହେଉ କି ଗଣେଶ ପୂଜା, ଏପର୍ଯ୍ୟନ୍ତ କେହି ଜଣେ ବି ଆଗୁଆ ବରାଦ ଦେଇ ନାହାନ୍ତି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଥିଲେ ହେଁ ପୂଜା ପାଇଁ ଅନୁମତି ନମିଳିବା ସମ୍ଭାବନା ବେଶି। ତେଣୁ ପୁଣି ଥରେ ମୂର୍ତ୍ତି କାରିଗରମ‌ାନେ ରୋଜଗାର ହରାଇବା ଆପାତତଃ ଥୟ। ପୂର୍ବରୁ ରାଜଧାନୀରେ ୫୦ରୁ ଅଧିକ ସ୍ଥାନରେ ମୂର୍ତ୍ତି କାରିଗର ମୂର୍ତ୍ତି ଗଢ଼ୁଥିଲେ। ଗତବର୍ଷ ପରେ ଅନେକ ଏହି ବେଉସା ଛାଡ଼ି ଘରକୁ ଚାଲି ଯାଇଛନ୍ତି। ଏବେ ଯେତିକି ଅଛନ୍ତି, ସେମା‌ନେ ବି ଘରମୁହାଁ ହେବା ଜଳଜଳ ହୋଇ ଦେଖାଗଲାଣି। ନାକାଗେଟ୍‌ ଛକର ମୂର୍ତ୍ତି କାରିଗର ବିଜୟ କୁମାର ପଣ୍ଡାଙ୍କ କହିବା କଥା, ୪୦ବର୍ଷ ହେ‌ଲା ସେ ଏଠାରେ ମୂର୍ତ୍ତି ଗଢୁଛନ୍ତି। ଗତବର୍ଷ ବିପୁଳ କ୍ଷତି ସହିଥିଲେ। ମାଟି କିଣା ପଇସା ବି ଉଠିନଥିଲା। ମୁହଁ ମାଡ଼ି ପଡ଼ି ରହିଛନ୍ତି। କାଳେ ଏବର୍ଷ କିଛି ବେପାର ହେବ। ତେଣୁ ପିଷ୍ଟ୍ ତିଆରି ସାରି ନଡ଼ା ବନ୍ଧା ସାରିଲେଣି। କିନ୍ତୁ ମନରେ ଭୟ ରହିଛି। ଚଳିତ ବର୍ଷ ମାଟି ଟ୍ରିପ୍‌କୁ ୪ ହଜାର ଟଙ୍କା ଦରରେ କିଣିଛନ୍ତି। ଗତବର୍ଷଠାରୁ ଟ୍ରିପ୍‌ ପିଛା ୫ ଶହ ଟଙ୍କା ଅଧିକ ଗଣିଛନ୍ତି। ସେହିଭଳି ରଙ୍ଗ ଆଦି ଦାମ ବି ବଢ଼ିଛି। ତେଣୁ ପୁଣି ଲକ୍‌ଡାଉନ୍‌ ହେଲେ, ତାଙ୍କ ଭାଗ୍ୟ ବି ଲକ୍‌ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର