ଐତିହ୍ୟ ରେଳଇଞ୍ଜିନ୍‌ ସ୍ଥାନାନ୍ତରକୁ ବିରୋଧ

ଫେରିଗଲା କ୍ରେନ୍‌, ଲୋଡିଂ ଟ୍ରକ୍‌, ସମୁଦ୍ରକୂଳ ଥାନାରେ ଅଭିଯୋଗ

ପୁରୀ : ଐତିହ୍ୟ ରେଳ ଇଞ୍ଜିନ ସ୍ଥାନାନ୍ତରକୁ ନେଇ ତେଜିଛି ଅସନ୍ତୋଷ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏ‌ହାକୁ ବିରୋଧ କରାଯିବା ପରେ ରେଳ ବିଭାଗ ପକ୍ଷରୁ ଏହାକୁ ଭୁବନେଶ୍ବର ନେବା ଯୋଜନା ପଣ୍ଡ ହୋଇଛି। ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ୍‌ ପରିସରରେ ଏହି ଇଂଜିନ୍‌କୁ ମରାମତି କରିବା ପରେ ଆଜି ଭୁବନେଶ୍ବର ନେବାପାଇଁ ହୋଟେଲ୍‌ର କାନ୍ଥ ଭଙ୍ଗା ଯାଇଥିଲା। କ୍ରେନ୍‌ ସହ ଲୋଡିଂ ଟ୍ରକ୍‌ ମଧ୍ୟ ଆସି ପହଞ୍ଚି ସାରିଥିଲା। ମାତ୍ର ଶ୍ରୀଜଗନ୍ନାଥ ସେନା, ଭଏସ୍‌ ଅଫ୍ କମନ ମ୍ୟାନ୍‌, ଛାତ୍ର କଂଗ୍ରେସର କର୍ମୀମାନଙ୍କ ବିରୋଧ ପରେ ଏହ କ୍ରେନ୍‌ ଫେରାଇ ନେବାକୁ ବାଧ୍ୟ ହୋଇଛି ରେଳ ବିଭାଗ।

ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ୍‌ ପରିସରରେ ଶୋଭା ପାଉଥିବା ୧୯୦୪ ମସିହାର ବାଷ୍ପଚାଳିତ ରେଳ ଇଂଜିନ୍‌ ପିଏଲ୍‌-୬୯୨ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲା। ଲୁଣି ହାୱା ବାଜି ନଷ୍ଟ ହୋଇ ଯାଇଥିଲେ ହେଁ ହୋଟେଲ୍‌ ପକ୍ଷରୁ ଏହାର ଯତ୍ନ ନିଆଯାଉନଥିଲା। ଏନେଇ କିଛି ଗବେଷକ ଅଭିଯୋଗ ମଧ୍ୟ କରିଥିଲେ। ତେଣୁ ଏହାର ମରାମତି କରାଯାଇ ଭୁବନେଶ୍ବରସ୍ଥିତ ରେଳ ସଂଗ୍ରହାଳୟରେ ରଖିବା ନେଇ ନିଷ୍ପତ୍ତି ହୋଇଥିଲା। ମାତ୍ର ପୁରୀର ଐତିହ୍ୟ ଯେଉଁଠାରେ ରଖାଯାଇଛି ସେଇଠାରେ ହିଁ ରଖାଯାଇ ତା’ର ଯତ୍ନ ନେବା ସହିତ ପର୍ଯ୍ୟଟକମାନେ ତାହା ପରିଦର୍ଶନ କରିବାର ସୁଯୋଗ ଦେବାକୁ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଦାବି କରିଛନ୍ତି।

ଭଏସ୍‌ ଅଫ୍ କମନ ମ୍ୟାନ୍‌ର ହେକ୍ଟର ମିଶ୍ର ଏନେଇ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍ଆର୍‌ ହୋଟେଲ୍‌ର ମ୍ୟାନେଜରଙ୍କ ନାମରେ ଏତଲା ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ବି ଭାରତରେ ସେହି ସମୟର ୧୨ଟି ବାଷ୍ପଚାଳିତ ରେଳ ଇଂଜିନ୍‌ ରହିଛି। ଦାର୍ଜିଲିଙ୍ଗ ହିମାଳୟନ ରେଲୱେରେ ଏବେ ବି ସେଇ ସମୟର ଏକ ‌ଇଂଜିନ୍‌ ରହିଥିବା ବେଳେ ୟୁନେସ୍କୋ ଏହାକୁ ଐତିହ୍ୟ ଭାବେ ଗ୍ରହଣ କରିଛି। ପୁରୀରେ ଥିବା ଏହି ରେଳ ଇଂଜିନ୍‌ ଓ ରେଳ ଡବାକୁ ମିଶାଇ ପ୍ରାୟ ୩୫ ହଜାର ଟଙ୍କା ବିନିମୟରେ ତିଆରି କରାଯାଇଥିଲା। ଏହା ମଧ୍ୟରେ ଏକ ଭିଆଇପି କୋଚ୍‌ ରହିଥିବା ବେଳେ ଭାରତର ତତ୍‌କାଳୀନ ବଡ଼ଲାଟ୍‌ ଏହି ଟ୍ରେନ୍‌ରେ ପୁରୀ ଆସିଥିଲେ। ତେଣୁ ଏହାକୁ ପୁରୀରେ ହିଁ ଏହି ହୋଟେଲ୍ ପରିସରରେ ରଖାଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହ ପୁରୀର ଏହି ପ୍ରାଚୀନ ହୋଟେଲ୍‌ରୁ ମେହଗାନୀ କାଠର ବହୁ ଆସବାବ, ରୁପା ଚାମଚ ଓ ପୁରୁଣା ପେଣ୍ଟିଂ ଭଳି ବହୁ ଦୁର୍ଲଭ ଜିନିଷ ମଧ୍ୟ ଉଭାନ ହୋଇଗଲାଣି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ଜିନିଷଗୁଡ଼ିକ ବାବଦରେ ଅନୁଧ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି।

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏହା ଆମ ପୁରୀର ଗୌରବ ଗାଥା ବୟାନ କରୁଛି। ଐତିହ୍ୟ ଇଂଜିନ୍‌କୁ ସ୍ଥାନାନ୍ତର କରାଯିବା ଅର୍ଥ ଆମ ଇତିହାସକୁ ପୁରୀର ପୃଷ୍ଠଭୂମିରୁ ଲିଭାଇ ଦେବା। ପୁରୀର ଐତିହ୍ୟକୁ ଏଇଠାରେ ରଖାଯିବା ସହ ୧୬ ତାରିଖରେ ରେଳ ମନ୍ତ୍ରୀ ଆସିଲେ ତାଙ୍କୁ ମଧ୍ୟ ଦାବିପତ୍ର ଦିଆଯିବ ବୋଲି ସେ କହିଛନ୍ତି।

ସେହିଭଳି ପୁରୀ ଛାତ୍ର କଂଗ୍ରେସର ଆଶୁତୋଷ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ରେଳ ଇଂଜିନ୍‌ ସ୍ଥାନାନ୍ତରକୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର