ଗ୍ୟାସ୍ ରିଫିଲିଂ ଦୋକାନ ଜଳିଗଲା

୪ ସିଲିଣ୍ତର ଫାଟିଗଲା

ଖଣ୍ତଗିରି : ଶନିବାର ସଂଧ୍ୟାରେ ଯାଁଳା ଫାଣ୍ତି ମଦନପୁର ଗାଁରେ ଏକ ଖୁଚୁରା ଗ୍ୟାସ୍ ରିଫିଲିଂ ଦୋକାନରେ ସିଲିଣ୍ତର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା। ଦୋକାନ ଭିତରେ ୪ ସିଲିଣ୍ତର ବିସ୍ଫୋରଣ ହେବାରୁ ଘରଟି ପୂରା ଜଳି ଯାଇଥିଲା। ଏଥିରେ ଦୋକାନ ମାଲିକ ସୁଶୀଲ କୁମାର ଜେନା ଓରଫ୍ ବାଙ୍ଗୁଡ଼ିଙ୍କ ହାତ ପୋଡ଼ି ଯାଇଥିଲା। ତିନି ତିନିଟି ଦମକଳବାହିନୀ ପ୍ରାୟ ୨ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏ ନେଇ ଜଟଣୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ, ଗତ ୪ ମାସ ହେବ ଗାଁମୁଣ୍ତ ମେଳଣ ପଡ଼ିଆ ସଂଲଗ୍ନ ନିଜ କୋଠା ଘରେ ସୁଶୀଲ୍ ଏହି ଦୋକାନ ଚଳାଇ ଆସୁଥିଲେ। ୫ ଲିଟିରିଆ ବା ସେହିଭଳି ଛୋଟ ସିଲିଣ୍ତର ରିଫିଲିଂ କରାଉଥିଲେ। ଏଥିସହ ସେ ଗ୍ୟାସ୍ ସିଲିଣ୍ତର ମରାମତି କାମ ମଧ୍ୟ କରୁଥିଲେ। ସବୁଦିନ ଭଳି ଗତକାଲି ବି ସଂଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍ ହୋଇଥିଲା। ଏହି ସମୟରେ ସେ ମହମବତି ଲଗାଇ ଏକ ଛୋଟ ଗ୍ୟାସ୍ ସିଲିଣ୍ତର ରିଫିଲିଂ କରାଉଥିଲେ। ହଠାତ୍ ଗ୍ୟାସ୍ ଲିକ୍ ହୋଇଯିବାରୁ ପାଖରେ ଥିବା ମହମବତି ଶିଖା ଗ୍ୟାସ୍ ସଂସ୍ପର୍ଶରେ ଆସି ହୁତୁହୁତୁ ହୋଇ ଜଳିଲା। ସୁଶୀଲଙ୍କ ହାତ ପୋଡ଼ି ଯିବାରୁ ସେ ଭୟରେ ଦୋକାନ ବାହାରକୁ ପଳାଇ ଆସିଥିଲେ। ଚାହୁଁ ଚାହୁଁ ନିଆଁ ଯୋଗୁଁ ଅନ୍ୟ ଗ୍ୟାସ ଭର୍ତ୍ତି ଟାଙ୍କିରୁ ଗ୍ୟାସ୍ ଲିକ୍ ହେଲା ଓ ମାତ୍ର କେଇ ମିନିଟ୍ ମଧ୍ୟରେ ପୂରା ଘର ଜଳି ଉଠିଲା। ଘରର କବାଟ ଆଗ ଝରକା ଓ ପଛ ଝରକା ବାଟେ ପ୍ରବଳ ବେଗରେ ନିଆଁ ବାହାରକୁ ବାହାରୁଥିଲା। ପୂରା ଘରଟି ନିଆଁ ପିଣ୍ତୁଳା ପାଲଟି ଯାଇଥିଲା। ଖବର ପାଇ ଜଟଣୀରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୪ଟି ଯାକ ଗ୍ୟାସ ଭର୍ତ୍ତି ସିଲିଣ୍ତର ବିସ୍ଫୋରଣ ହୋଇସାରିଥିଲା। ଦୋକାନ ଭିତରେ ଥିବା ଖାଲି ସିଲିଣ୍ତରଗୁଡ଼ିକ ନିଆଁରେ ଅଧା ତରଳି ବଙ୍କାତେଡ଼ା ହୋଇଯାଇଥିଲା। ଘରର କାନ୍ଥ ଫାଟି ଯାଇଥିବା ବେଳେ କବାଟ ଝରକା ନଷ୍ଟ ହୋଇଯାଇଥିଲା। ସୌଭାଗ୍ୟକୁ ପାଖରେ ଅନ୍ୟ କାହାର ଘର ନଥିବାରୁ ଅଧିକ କ୍ଷୟକ୍ଷତି ହୋଇନଥିଲା। ପରେ ପରେ ଖୋର୍ଧା ଓ ଭୁବନେଶ୍ବରରୁ ଆଉ ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିଲା ଓ ଶେଷରେ ନିଆଁ ଆୟତ୍ତ ହୋଇଥିଲା।

ସମ୍ବନ୍ଧିତ ଖବର