ଜର୍ମାନ ଦେବ ୩୦କୋଟି

ସ୍ମାର୍ଟ ସିଟିରେ ହେବ ନିରନ୍ତର ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଦୂଷଣମୁକ୍ତ ଗମନାଗମନ ବ୍ୟବସ୍ଥା ପାଇଁ ଜର୍ମାନର ଜର୍ମାନ କର୍ପୋରେସନ ଫର୍‌ ଇଣ୍ଟରନ୍ୟାସନାଲ କୋଅପରେସନ୍‌ ବା ଜିଆଇଜେଡ୍‌ ସହଯୋଗ କରିବ। ରାଜଧାନୀରେ ଧୂଆଁ ବିହୀନ ଗାଡ଼ି ଚଳାଚଳ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ସହ ୪ମିଲିଅନ୍‌ ୟୁରୋ ବା ୩୦କୋଟି ୪୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇବ। ଏନେଇ ଆସନ୍ତା ୮ତାରିଖରେ ଇଣ୍ଡୋ-ଜର୍ମାନ୍‌ ଦୁଇପାକ୍ଷିକ ବୈଷୟିକ ସହାୟତା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଓ ଜର୍ମାନ୍‌ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ ବିଡିଏ ପକ୍ଷରୁ ପ୍ଲାନିଂ ମେମ୍ବର ସୁଧିରଂଜନ ମହାନ୍ତି ଏବଂ ଜିଆଇଜେଡ୍‌ର ପ୍ରତିନିଧିଙ୍କ ମଧ୍ୟରେ ଏହି ଚୁକ୍ତିପତ୍ର ସ୍ୱାକ୍ଷର ହେବ।

ଏହି ପ୍ରକଳ୍ପ ମାଧ୍ୟମରେ ଦୀର୍ଘସ୍ଥାୟୀ ପରିବହନ ଯୋଜନା ପ୍ରଣୟନ ଦିଗରେ ଏହି ସଂସ୍ଥା ବୈଷୟିକ ସହାୟତା ଯୋଗାଇ ଦେବ। ଏଥିପାଇଁ ଜିଆଇଜେଡ୍‌ ପକ୍ଷରୁ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପରାମର୍ଶଦାତା ନିୟୁକ୍ତି ପାଇବେ ଯାହାର ସମସ୍ତ ଦେୟ ବହନ କରିବ ସଂପୃକ୍ତ ସଂସ୍ଥା। ଏହି ଚୁକ୍ତିନାମା ଅନୁସାରେ ଜନ ପରିବହନକୁ ସୁଗମ ଓ ଲୋକାଦୃତ କରାଇବା, ପରିବହନ ଜନିତ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ମୁଖ୍ୟ ଲକ୍ଷ୍ୟ ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଏବଂ ଜାତୀୟସ୍ତରରେ ଏକାଧିକ ଷ୍ଟିଅରିଂ କମିଟି ଗଠନ ହେବ ଯେଉଁଥିରେ ବିଡିଏ, ବିଏମ୍‌ସି ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଅନ୍ତର୍ଭୁକ୍ତ ହେବେ। ଆଗାମୀ ଦିନରେ କଟକ ଓ ପୁରୀକୁ ଏହି ଯୋଜନାରେ ସାମିଲ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର