ଚୋରା ସୁନା ଚାଲାଣ ଭାୟା ଭୁବନେଶ୍ୱର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ପରେ ଉଡ଼ାଣ ନେଇ ଯେତିକି ଚର୍ଚ୍ଚା ହୋଇନି ତାହାଠାରୁ ଅଧିକ ଚର୍ଚ୍ଚା ଚୋରା ସୁନା ଚାଲାଣକୁ ନେଇ ହେଲାଣି। ଭୁବନେଶ୍ୱରରୁ ବିଦେଶକୁ ବିମାନ ଉଡ଼ାଣ ହେବାର ୧୧ ମାସ ମଧ୍ୟରେ ଏହା ଚୋରା ସୁନା ଚାଲାଣର ପ୍ରମୁଖ ରୁଟ୍‌ ପାଲଟିଛି। ଏପରିକି ଗତ ୫ମାସ ମଧ୍ୟରେ ୨୧୪୭.୦୬ ଗ୍ରାମ୍‌ର ସୁନା ଚୋରା ଚାଲାଣ ହେଉଥିବାବେଳେ ଧରାପଡ଼ିଲାଣି। ଯାହାର ବଜାର ମୂଲ୍ୟ ୭୨.୨୩ଲକ୍ଷ। କେବଳ ଚୋରା ସୁନା ନୁହେଁ ବିଦେଶୀ ମୁଦ୍ରା ବି ଚୋରା ଚାଲାଣ ହେଉଛି। ସୁନା ସ୍ମଗଲର୍‌ମାନେ ଏବେ ଭୁବନେଶ୍ୱରକୁ ଭାୟା କରି ଚୋରା ସୁନା ନେଣଦେଣ କରୁଥିବା ଜଣାପଡ଼ିଛି। ବ୍ୟାଙ୍କକ୍‌ ଓ ମାଲେସିଆରୁ ଭୁବନେଶ୍ୱର ହୋଇ ଦେଶର ବିଭିନ୍ନ ସହରକୁ ସୁନା ଚୋରା ଚାଲାଣ ହେଉଥିବା କଷ୍ଟମ୍‌ସ ବିଭାଗ ସୁରାକ୍‌ ପାଇସାରିଲାଣି। ଏନେଇ ବିମାନବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାଞ୍ଚ୍‌ କଡ଼ାକଡ଼ି କରି ଦିଆଯାଇଥିବାବେଳେ ଯାହା ଉପରେ ସନ୍ଦେହ ହେଉଛି ତାଙ୍କୁ ସ୍ୱତନ୍ତ୍ର ରୁମ୍‌କୁ ନେଇ ସଂପୂର୍ଣ୍ଣ ଉଲଗ୍ନ କରି ଯାଞ୍ଚ କରାଯାଉଛି। କଷ୍ଟମ୍‌ସ ବିଭାଗ ଯାଞ୍ଚ୍‌ କଡ଼ାକଡ଼ି କରିବା ସତ୍ତ୍ୱେ କିଛି ସୁନା ବେପାରୀ ଚୋରା ଚାଲାଣରେ ସଫଳ ବି ହେଉଥିବା ଜାଣିବାକୁ ମିଳିଛି।

ଭୁବନେଶ୍ୱରର ଜଣେ ସୁନା ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, ମାଲେସିଆ ଓ ବ୍ୟାଙ୍କକ୍‌ରେ ସୁନା ଦାମ୍‌ ଏଠାକର ସୁନା ଦାମ୍‌ ତୁଳନାରେ ଅପେକ୍ଷାକୃତ କମ୍‌ ରହୁଛି। ଅନ୍ତର୍ଜାତୀୟ ବଜାରରେ ଦୁବାଇ, ସାଉଦିଆରବ ପରେ ମାଲେସିଆ ଓ ବ୍ୟାଙ୍କକ୍‌ ସୁନାର ଚାହିଦା ଅଧିକ ରହୁଛି। ଏହା ଅପେକ୍ଷାକୃତ ଭଲ ସୁନା ହୋଇଥିବାରୁ ବ୍ୟବସାୟୀମାନେ ଏଠାରୁ ସୁନା ଆମଦାନୀ କରୁଛନ୍ତି। ଯେଉଁମାନେ ବଡ଼ ବଡ଼ ସୋରୁମ୍‌ କରିଛନ୍ତି ସେମାନେ ଏହିଭଳି ସୁନା ଆଣନ୍ତିନି। ଛୋଟ ସୁନା ବ୍ୟବସାୟୀମାନେ ଏହିଭଳି ସୁନା ଆଣୁଥିବେ। ଏବେ ଭୁବନେଶ୍ୱରକୁ ମାଲେସିଆ, ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ଆରମ୍ଭ ହୋଇଯାଇଥିବାରୁ ଏହି ଚୋରା ସୁନା ଚାଲାଣରେ ଆମ ରାଜ୍ୟର କେହି ବ୍ୟବସାୟୀ ନଥିବେ ବୋଲି କହିହେବନି। ଅପରପେକ୍ଷ ବ୍ୟାଙ୍କକ୍‌ ଓ କ୍ୱାଲାଲମ୍ପପୁରକୁ ଯେଉଁ କେତୋଟି ସହରରୁ ବିମାନ ଉଡ଼ାଣ ହେଉଛି ସେଥି ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦର ଅପେକ୍ଷାକୃତ ଛୋଟ। ଏଠାରେ ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ି ନୁହେଁ। ତେଣୁ ଚୋରା ସୁନା ଚାଲାଣକାରୀମାନେ ଭାୟା ଭୁବନେଶ୍ୱର ହୋଇ ଯାତାୟାତ କରୁଛନ୍ତି। କେତେକ ଖସିଯାଉଛନ୍ତି, ଆଉ କିଛି ଧରାପଡ଼ୁଛନ୍ତି। ଏହାବାଦ୍‌ କେତେକ ଲୋକ ବିଦେଶରେ ରହୁଥିବାରୁ ଘରକୁ ଫେରିବା ସମୟରେ କିଛି ସୁନା ଆଣିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବହୁଳ ପରିମାଣର ସୁନା ଆଣିଲେ କଷ୍ଟମ୍‌ସ ବିଭାଗ ଜରିମାନା ଆଦାୟ କରିବାର ଭୟ ଥିବାରୁ କେତେକ ଲୋକ ଏହିଭଳି ଲୁଚାଇ ଆଣୁଛନ୍ତି।

୫ମାସରେ ୨କେଜି ଚୋରା ସୁନା ଜବତ
ମଳଦ୍ୱାର ସାଜିଛି ସୁରକ୍ଷିତ ସ୍ଥାନ
ଓଡ଼ିଶା ଆସୁଛି ନା ବାହାରକୁ ଯାଉଛି?

ମାଲେସିଆରୁ କେମିତି ଆସୁଛନ୍ତି ଜାଣିପାରୁନୁ: କଷ୍ଟମ୍‌ସ ବିଭାଗ

ଏନେଇ କଷ୍ଟମ୍‌ସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କିପରି ଯାତ୍ରୀମାନେ ବ୍ୟାଙ୍କକ୍‌ ଓ କ୍ୱାଲାଲମ୍ପୁରରୁ ଏତେ ପରିମାଣର ସୁନା ଆଣୁଛନ୍ତି ଆମେ ଜାଣିପାରୁନୁ। ସେଠାରେ କଷ୍ଟମ୍‌ସ ଚେକିଂ ସମୟରେ ଏହା କିପରି ଖସିଯାଉଛି ସେନେଇ ଆଶ୍ଚର୍ଯ୍ୟ ଲାଗୁଛି। ବିଦେଶରେ କଡ଼ାକଡ଼ି ଚେକିଂ ହେଉଥିଲେ ହେଁ ଚୋରା ସୁନା ଚାଲାଣକାରୀ କିପରି ଖସି ଆସୁଛନ୍ତି ସେନେଇ ଆମେ ଅନୁସନ୍ଧାନ ଜାରି ରଖିଛୁ। ଏପରିକି କେତେକ ଚୋରା ଚାଲାଣକାରୀଙ୍କ ଜେରା ସମୟରେ ଜଣାପଡ଼ିଛି ଯେ, ସେମାନେ ସେଠାରେ ବିମାନବନ୍ଦର କର୍ମଚାରୀଙ୍କୁ ଲାଞ୍ଚ ଦେଇ ସୁନା ଆଣୁଛନ୍ତି। ତେଣୁ ଏହି ଚୋରା ସୁନା ଚାଲାଣ କିପରି ବନ୍ଦ ହେବ ସେନେଇ ଆମେ ବ୍ୟାଙ୍କକ୍‌ ଓ ମାଲେସିଆ କଷ୍ଟମ୍‌ସ ବିଭାଗକୁ ଚିଠି ଲେଖିବୁ। ଏହାସହ ଚୋରା ଚାଲାଣକାରୀଙ୍କ ବୟାନ ରେକର୍ଡ ପ୍ରମାଣ ଭାବେ ପଠାଇବୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। କଷ୍ଟମ୍‌ସ ବିଭାଗର ଉକ୍ତ ଅଧିକାରୀ କହିବାନୁଯାୟୀ, ଅଧିକାଂଶ ସ୍ମଗଲର୍‌ ମଳଦ୍ୱାର, କପଡ଼ା ଭିତରେ ସିଲାଇ କରି ସୁନା ଆଣୁଛନ୍ତି। ଯାହାକୁ ଧରିବା ବହୁତ କଷ୍ଟକର। କିନ୍ତୁ ଆମେ ଏହାକୁ ଧରିବାରେ ସଫଳ ହୋଇଛୁ।

କେବେ କେତେ ସୁନା ଧରାପଡ଼ିଛି

ସୂଚନାଯୋଗ୍ୟ ଯେ, ଗତ ୫ମାସ ମଧ୍ୟରେ ୪ଥର ସୁନା ଚୋରା ଚାଲାଣକାରୀଙ୍କୁ ଧରାହୋଇଛି। ନଭେମ୍ବର ୧୩ତାରିଖରେ ମାଲେସିଆରୁ ତାମିଲନାଡୁକୁ ଚୋରା ଚାଲାଣ ହେଉଥିବା ୬୬୧.୫୩ଗ୍ରାମ୍‌ର ୩୪ଟି ସୁନା ଖଣ୍ଡକୁ ଭୁବନେଶ୍ୱର ବିମାନବନ୍ଦରରେ ଜବତ କରାଯାଇଥିଲା। ତାମିଲନାଡୁର ମହମ୍ମଦ କବିର (୪୬) ନାମକ ଜଣେ ବ୍ୟକ୍ତି ସ୍କୃ ଡ୍ରାଇଭରରେ ଏହି ସୁନା ଆଣିଥିବାବେଳେ ଧରାପଡ଼ିଥିଲେ। ଯାହାର ମୂଲ୍ୟ ୧୯ଲକ୍ଷ ୪୬ହଜାର ୪୯୫ଟଙ୍କା। ଚେକିଂ ସମୟରେ କବିରଙ୍କ ମଳକୋଷରେ ଏକ ସୁନା ଖଣ୍ଡ ଥିବା ଜଣାପଡ଼ିବା ପରେ ତାଙ୍କ ଠାରୁ ଚୋରା ସୁନା ଜବତ ହୋଇଥିଲା। ସେ ୩୩ଟି ସ୍କୃ ଡ୍ରାଇଭର୍‌ରେ ସୁନା ଆଣିଥିଲେ। ଯାହା ଏଥିପାଇଁ ହିଁ ପ୍ରସ୍ତୁତ କରାଯାଇଥିଲା। ମାର୍ଚ୍ଚ ୫ତାରିଖରେ ବ୍ୟାଙ୍କକ୍‌ରୁ ଭାୟା କ୍ୱାଲାଲମ୍ପୁର ଦେଇ ଚୋରା ଚାଲାଣ ହେଉଥିବା ୬୦୭.୧୬୦ ଗ୍ରାମର ୪ଟି ସୁନା ଖଣ୍ଡକୁ ଜବତ କରାଯାଇଥିଲା। ମହାରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତି (ବୟସ ୫୨) ନିଜ ମଳଦ୍ୱାରରେ ବ୍ଲାକଟେପ୍‌ ମାରି ଏହି ସୁନା ଖଣ୍ଡକୁ ରଖିଥିଲେ। ଏହାର ବଜାର ମୂଲ୍ୟ ୧୯ଲକ୍ଷ ୧୨ହଜାର ୫୫୩ଟଙ୍କା। ଏହାପରେ ମାର୍ଚ୍ଚ ୧୦ତାରିଖରେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିବା ଚାରିଜଣ ଯାତ୍ରୀଙ୍କଠାରୁ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଥିଲା। ଏହାର ବଜାର ମୂଲ୍ୟ ୨୨ଲକ୍ଷ ୨୩ହଜାର ୩୫ଟଙ୍କା ଥିଲା। ଚାରି ଜଣ ଯାତ୍ରୀ ସୁନା ଚେନ୍‌, ଲିପଷ୍ଟିକ୍‌ ଖୋଳ ଭିତରେ ସୁନା ଷ୍ଟିକ୍‌, ବଡ଼ ବଡ଼ ସୁନା ମୁଦି (ଉପରେ ରୁପା ଲେପ ଦିଆଯାଇଥିବା) ମାଧ୍ୟମରେ ସୁନା ଚୋରା ଚାଲାଣ କରୁଥିଲେ। ମାର୍ଚ୍ଚ ୨୭ ତାରିଖରେ (ଗତକାଲି) ପୁଣି ଥାନେ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ୩୩୮.୩୭୦ ଗ୍ରାମର ସୁନା ଚାଲାଣ କରୁଥିବାବେଳେ ଧରାପଡ଼ିଛନ୍ତି। ଯାହାର ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା।

ବିମାନବନ୍ଦରରୁ ପୁଣି ୧୨ଲକ୍ଷ ଟଙ୍କାର ସୁନା ଜବତ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଚୋରା ଚାଲାଣ ହେଉଥିବା ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ମାଲେସିଆ ହୋଇ ଭୁବନେଶ୍ୱର ଆସିଥିବା ମହାରାଷ୍ଟ୍ରର ଥାନେ ଅଞ୍ଚଳର ଦୁଇ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧୨ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଏଥିରେ ୩ଟି ସୁନା ଖଣ୍ଡ ଥିବାବେଳେ ୧୪୩ଟି ରିଙ୍ଗ୍‌ ଅଛି। ଏହି ସୁନାର ଓଜନ ୩୭୮.୩୭୦ ଗ୍ରାମ୍‌ ବୋଲି ଭୁବନେଶ୍ୱର ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଆରପିଏସ୍‌ ରାଜଓ୍ଵାର କହିଛନ୍ତି। ପୂର୍ବଥର ଭଳି ଯାତ୍ରୀମାନେ ସେମାନଙ୍କ ମଳଦ୍ୱାରରେ ସୁନା ଖଣ୍ଡଗୁଡ଼ିକୁ ଲୁଚାଇ ରଖିଥିବାବେଳେ ରିଙ୍ଗ୍‌ଗୁଡ଼ିକୁ ଜିନ୍ସ ସାର୍ଟର ପକେଟ୍‌, ଜିନ୍ସ ପ୍ୟାଣ୍ଟର ବଟମ୍‌, ପକେଟ୍‌ରେ ସିଲେଇ କରି ରଖିଥିଲେ। ଯାଞ୍ଚ୍‌ ସମୟରେ ଏହା ଜଣାପଡ଼ିଥିବା କଷ୍ଟମ୍‌ସ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଆରପିଏସ୍‌ ରାଜଓ୍ଵାରଙ୍କ ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଥାନେ ଅଞ୍ଚଳର ଦୁଇ ଜଣ ଯାତ୍ରୀ ବ୍ୟାଙ୍କକ୍‌ରୁ ଏଫ୍‌ଡି-୩୧୫ ବିମାନରେ ମାଲେସିଆ ଆସିଥିଲେ। ସେଠାରୁ କ୍ୱାଲାଲମ୍ପୁରରୁ ଏୟାର ଏସିଆ ବିମାନ ଏକେ-୩୧ରେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ପ୍ୟାଣ୍ଟ ପକେଟ୍‌ରେ ସୁନା ରିଙ୍ଗ୍‌ ଥିବା ଜଣାପଡ଼ିଥିଲା। ଏହାପରେ ଦୁଇ ଜଣ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଏହି ସୁନା ଚୋରା ଚାଲାଣ ହେଉଥିବା ସନ୍ଦେହ ହେଉଛି। ତେଣୁ ସୁନା କେଉଁଠି ଆଣିଥିଲେ, କାହାକୁ ଦେଇଥାନ୍ତେ ସେନେଇ ଅଧିକ ପଚରାଉଚରା ଚାଲିଛି ବୋଲି କଷ୍ଟମ୍‌ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର