ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର କଷ୍ଟମ ବିଭାଗ ୧୨ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଛି। କଷ୍ଟମ ବିଭାଗର ଅଧିକାରୀମାନେ ୩ଟି ଗୋଲ୍ଡ ବାର ଓ ୧୪୩ଟି ଗୋଲ୍ଡ ରିଙ୍ଗ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜବତ ହୋଇଥିବା ସୁନା ବ୍ୟାଙ୍ଗକକ୍‌ରୁ ଭୁବନେଶ୍ୱର ଆସୁଥିଲା। ଘଟଣା ସହିତ ଜଡ଼ିତ ମହାରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ।

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୧ରେ କଷ୍ଟମ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ମୁଦ୍ରା ଜବତ କରିଥିଲେ। ବ୍ୟାଙ୍ଗକକ୍‌ରୁ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ୪ଜଣ ଯାତ୍ରୀ ଏହି ସୁନା ନେଇ ଆସୁଥିଲେ। କଷ୍ଟମ ବିଭାଗ ଦିଲ୍ଲୀ, କୋଲକାତା ଓ କଟକ ଅଞ୍ଚଳର ୪ଜଣ ଯୁବକଙ୍କୁ ଅଟକ ରଖିଥିଲା। କେବଳ ସେତିକି ନୁହେଁ ବର୍ଷର ଅନେକ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରୁରୁ ସୁନା ଓ ସୁନା ଅଳଙ୍କାର ଜବତ କରାଯାଉଛି। ଚୋରାଚାଲାଣକାରୀଙ୍କ ପାଇଁ ବିଦେଶରୁ ବିମାନ ମାଧ୍ୟମରେ ଭୁବନେଶ୍ୱର ବିମାନ ବନ୍ଦର ଦେଇ ସୁନା ଚାଲାଣ କରିବା ସହଜ ହେଉଛି।

ସମ୍ବନ୍ଧିତ ଖବର