ଅବ୍ୟବସ୍ଥାରେ ସରକାରୀ ଆୟୁର୍ବେଦିକ ହସ୍ପିଟାଲ, କାର୍ଯ୍ୟରେ ଯୋଗଦେଲେ ଉପ-ଅଧୀକ୍ଷକ

ଭୁବନେଶ୍ବର: ଅବ୍ୟବସ୍ଥାରେ ରାଜଧାନୀର ଏକମାତ୍ର ସରକାରୀ ଆୟୁର୍ବେଦିକ ହସ୍ପିଟାଲ। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ପରସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କ ବେଡସିଟ୍‌ ବଦଳାଇବା ପାଇଁ ମଧ୍ୟ କର୍ମଚାରୀ ନାହାନ୍ତି। ସୁରକ୍ଷା କର୍ମଚାରୀଙ୍କଠାରୁ ମାଳି ପର୍ଯ୍ୟନ୍ତ ସବୁ ପଦବି ଖାଲି ପଡ଼ିଛି। ନୂତନ ନିଯୁକ୍ତି ହେଉ ନ ଥିବାରୁ କର୍ମଚାରୀ ସଂଖ୍ୟା କମିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଆୟୁଷ ଚିକିତ୍ସାକୁ ଅବହେଳା କରାଯାଉଥିବା ଜଳ ଜଳ ବାରି ହୋଇ ପଡ଼ୁଛି। ପୁରୁଣା ଭୁବନେଶ୍ବରରେ ରହିଛି ୪୩ ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ହସ୍ପିଟାଲ। ଏଠାରେ ଆୟୁର୍ବେଦର ପଞ୍ଚକର୍ମ ଓ କ୍ଷାରସୂତ୍ର ଚିକିତ୍ସା ସେବା ଦିଆଯାଉଛି। ଚଳିତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ପରେ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଥିଲା। ପଞ୍ଚକର୍ମ, କ୍ଷାରସୂତ୍ର ଭଳି ‌ଚିକିତ୍ସା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ସମ୍ଭବ ନ ଥିବାରୁ ହସ୍ପିଟାଲ ବନ୍ଦ ରହିଥିଲା। କେବଳ ଓପିଡି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଏବେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଥିବାରୁ ହସ୍ପିଟାଲ ଏକପ୍ରକାର ଅବହେଳିତ ହୋଇପଡ଼ିଛି।

ହସ୍ପିଟାଲରେ ବିଶେଷଜ୍ଞଙ୍କୁ ମିଶାଇ ସମୁଦାୟ ୯ ଡାକ୍ତର ପଦବି ଥିବା ବେଳେ ଏଥିରେ ଅଛନ୍ତି ୫ଜଣ। ସେହିପରି ୨୯ଜଣ ତୃତୀୟ/ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ଥିବା ବେଳେ ତହିଁରୁ ୧୫ଟି ପଦବିକୁ ସରକାର ଉଚ୍ଛେଦ କରି ଦେଇଛନ୍ତି। ତେବେ ବଳକା ୧୪ ପଦବିରୁ ଏଥିରେ ୯ଜଣ ରହିଛନ୍ତି। ହସ୍ପିଟାଲରେ ଜଣେ ହେଲେ ସୁରକ୍ଷା କର୍ମୀ ନାହାନ୍ତି। ଏପରିକି ରୋଗୀଙ୍କ ବେଡସିଟ୍‌ ଧୋଇବା ଲାଗି ଧୋବି ମଧ୍ୟ ନାହାନ୍ତି। ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନ୍ୟ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରିବାକୁ ପଡ଼ୁଛି। ସେହିପରି ହସ୍ପିଟାଲରେ ରୋଗୀଙ୍କ ପାଇଁ ୪ଟି କ୍ୟାବିନ୍ ରହିଛି। ଅଧିକାଂଶ ସମୟରେ କ୍ୟାବିନ୍‌ ଭର୍ତି ରହୁଛି। ହେଲେ କ୍ୟାବିନ୍ ସଂଖ୍ୟା ବଢ଼ାଇବା ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଛି। ହେଲେ ଏହି ନିଷ୍ପତ୍ତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଅପରପକ୍ଷରେ ହସ୍ପିଟାଲ ପରିସରରେ ପୂର୍ବରୁ ଏକ ଔଷଧୀୟ ବଗିଚା ରହିଥିଲା। ମାତ୍ର ଏଥିପାଇଁ ନିୟୋଜିତ ମାଳିଙ୍କ ଅବସର ପରେ ରକ୍ଷଣାବେକ୍ଷଣା ଅଭାବରୁ ବଗିଚାଟି ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ପିଏଚ୍‌ସି ସ୍ତରରେ ଯୋଗ ଓ ୱେଲନେସ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ମାତ୍ର ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଅବହେଳିତ ଅବସ୍ଥାରେ ରହିଛି।

ଏ ସଂପର୍କରେ ହସ୍ପିଟାଲର ଉପ-ଅଧୀକ୍ଷକ ଡା.ହରୀଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଆଜି ଦାୟିତ୍ବ ଗ୍ରହଣ କରିଛି। ହସ୍ପିଟାଲରେ ଯେଉଁସବୁ ପଦବି ଖାଲି ରହିଛି ସେସବୁ କିଭଳି ପୂରଣ କରାଯିବ ସେଥିପାଇଁ ଆୟୁଷ ନିର୍ଦେଶକଙ୍କ ସହିତ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କରୋନା ସଂକ୍ରମଣ ପରେ ଏବେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। କ୍ୟାବିନ୍ ସଂଖ୍ୟା ବଢ଼ାଇବା ଲାଗି ମଧ୍ୟ ଆଲୋଚନା‌ ହେବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

କାର୍ଯ୍ୟରେ ଯୋଗଦେଲେ ଉପ-ଅଧୀକ୍ଷକ
ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ନବନିଯୁକ୍ତ ଉପ-ଅଧୀକ୍ଷକ ଡା.ହରୀଶ ଚନ୍ଦ୍ର ପାଣିଗ୍ରାହୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଡା.ଧନେଶ୍ବର ବଳିୟାରସିଂହ ଅବସର ଗ୍ରହଣ କରିବା ପରେ ଡା.ବାସୁଦେବ ପ୍ରଧାନ ଉପ-ଅଧୀକ୍ଷକ (ଭାରପ୍ରାପ୍ତ) ଦାୟିତ୍ବରେ ରହିଥିଲେ। ନିକଟରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଉପ-ଅଧୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। କାର୍ଯ୍ୟରେ ଯୋଗଦେବା ପରେ ଡା.ପାଣିଗ୍ରାହୀ ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସହିତ ହସ୍ପିଟାଲ ସଂପର୍କରେ ଆଲେଚାନା କରିଛନ୍ତି।

ସମ୍ବନ୍ଧିତ ଖବର