ପାହାଳରେ ରସଗୋଲା କ୍ଲଷ୍ଟର ପାଇଁ ସରକାର ଦେଲେ ଦେଢ଼ ଏକର ଜାଗା

ବ୍ୟୟ ହେବ ୧୦ କୋଟି

ଭୁବନେଶ୍ୱର : ମିଠା ପ୍ରେମୀ ଓ ପାହାଳ ମିଠା ବିକ୍ରେତାଙ୍କ ପାଇଁ ମିଠା ଖବର। ଦୀର୍ଘ ଦିନ ଧରି ଝୁଲି ରହିଥିବା ‘ରସଗୋଲା କ୍ଲଷ୍ଟର’ ଯୋ‌ଜନା କାର୍ଯ୍ୟକାରୀ ହେବା ପାଇଁ ରାସ୍ତା ଫିଟିଛି। ଏଥିପାଇଁ ରାଜ୍ୟ ସରକାର ପାହାଳରେ କମନ୍‌ ଫେସିଲିଟି ସେଣ୍ଟର (ସିଏଫ୍‌ସି) ନିମନ୍ତେ ଦେଢ଼ ଏକର ଜାଗା ଯୋଗାଇ ଦେଇଛନ୍ତି। ମିଠା କାରିଗରମାନଙ୍କୁ ସଂଗଠିତ କରି ସେମାନଙ୍କ ବିକାଶ ଦିଗରେ ଏହି କ୍ଲଷ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ। ପାହାଳର ୮୪ଜଣ ମିଠା କାରିଗର ଏହି କ୍ଲଷ୍ଟର ଜରିଆରେ ଉପକୃତ ହେବେ। ଅତ୍ୟାଧୁନିକ ଉପାୟରେ ମିଠା ପ୍ରସ୍ତୁତି ସହ ରାଜ୍ୟ ଓ ଦେଶ ବାହାରକୁ ମିଠା ପଠାଇ ଅଧିକ ରୋଜଗାରକ୍ଷମ ହେବେ। ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ପାହାଳ ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବାରେ ଏହା ସହାୟକ ହେବ।

ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ କଟକସ୍ଥିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ସହଯୋଗରେ ଏହି କ୍ଲଷ୍ଟର ସ୍ଥାପନ ହେବ। ଏଥିପାଇଁ ମୋଟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। କଟକସ୍ଥିତ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦେଶକ ଡ. ସୁକାନ୍ତ କୁମାର ସାହୁ କହିଛନ୍ତି ଯେ ବ୍ୟୟ ହେବାକୁ ଥିବା ଖର୍ଚ ବାବଦ ଟଙ୍କାରୁ ୭ କୋଟି ଟଙ୍କା ଭାରତ ସରକାର, ୨ କୋଟି ଟଙ୍କା ରାଜ୍ୟ ସରକାର ଏବଂ ୧ କୋଟି ଟଙ୍କା ମିଠା କାରିଗରମାନେ ବହନ କରିବେ। ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ହେବ। ଏହାର ଡାଏଗ୍ନୋଷ୍ଟିକ୍‌ ଷ୍ଟଡି ପ୍ରସ୍ତୁତ କରି ଅନୁମୋଦନ ପାଇଁ ଭାରତ ସରକାରଙ୍କୁ ପଠାଇ ଦିଆଯାଇଛି। କମନ୍‌ ଫେସିଲିଟି ସେଣ୍ଟର ମଧ୍ୟରେ ରସଗୋଲା, ଛେନାପୋଡ଼, ଛେନାଗଜା ଓ କ୍ଷୀରରୁ ଛେନା ପ୍ରସ୍ତୁତି ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପ୍ୟାକେଜିଂ, ଷ୍ଟୋରେଜ୍‌, ଟେଷ୍ଟିଂ ଲାବରୋଟାରି ଓ ଗୋଦାମ ରହିବ। ଫଳରେ ମିଠା କାରିଗରମାନେ ଅଧିକ ଉତ୍ପାଦନ ସହ ଏହାକୁ ରାଜ୍ୟ ଓ ଦେଶ ବାହାରକୁ ପଠାଇ ଭଲ ରୋଜଗାର କରିପାରିବେ।

ସମ୍ବନ୍ଧିତ ଖବର