କ୍ୟାରମ୍ ଖେଳରୁ ତୁମୁଳକାଣ୍ଡ: ମୁଣ୍ଡାସାହିରେ ପଶି କେନାଲବନ୍ଧସାହିର ୫୦ରୁ ଅଧିକ ଯୁବକଙ୍କ ଆତଙ୍କରାଜ

ଖଣ୍ଡାଚୋଟରେ ୮ ଆହତ, ହସ୍ପିଟାଲରେ ଭର୍ତ୍ତି, ଘଣ୍ଟାଏ ଧରି ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ବର : ସାମାନ୍ୟ କ୍ୟାରମ୍ ଖେଳକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗତକାଲିର ବଚସା ଶୁକ୍ରବାର ବିସ୍ଫୋରକ ରୂପ ନେଇଛି। ମଞ୍ଚେଶ୍ବର ଥାନା ଅଧୀନସ୍ଥ ମୁଣ୍ଡାସାହିରେ ପଶି ଶୁକ୍ରବାର ଚକେଇସିହାଣୀ କେନାଲବନ୍ଧସାହିର ୫୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲି, ରଡ୍, ବେସବଲ୍ ଷ୍ଟିକ୍ ଧରି ୧୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଛନ୍ତି। କେବଳ ଏତିକି ନୁହେଁ; ସମ୍ମୁଖରେ ଯିଏ ପଡ଼ିଲା ତାକୁ ଖଣ୍ଡାଚୋଟ ମାରିବା ସହ ଅଟୋ ଓ ଏକାଧିକ ବାଇକ୍ ଭଙ୍ଗାଯାଇଥିବା ଜଣାପଡ଼ିଛି। ହଣାକଟାରେ ମୁଣ୍ଡାସାହିର ଜଣେ ନାବାଳକ ସମେତ ୮ଜଣ ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ମୁଣ୍ଡାସାହି ବସ୍ତି ବାସିନ୍ଦା ଏହାକୁ ବିରୋଧ କରି ପଳାଶୁଣୀ ଜାତୀୟ ରାଜପଥରେ ରାସ୍ତାରୋକ କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମୁଣ୍ଡାସାହିର କିଛି ପିଲା କେନାଲବନ୍ଧସାହିକୁ କ୍ୟାରମ ଖେଳିବାକୁ ଯାଇଥିଲେ। ସେଠାରେ କିଛି ଘଟଣାକୁ ନେଇ କ୍ୟାରମ୍ ଖେଳୁଥିବା ପିଲାଙ୍କ ମଧ୍ୟରେ ହାତାହାତି ହୋଇଥିଲା। ତେବେ ଛୋଟ ପିଲାଙ୍କ ଗଣ୍ଡଗୋଳ ହୋଇଥିବାରୁ ଏହାକୁ ବେଶି ଆଗକୁ ନ ବଢ଼ାଇ ଆପୋସ ସମାଧାନ ହୋଇଥିଲା। ମାତ୍ର ଅଲଗା ସାହି ପିଲା କେନାଲବନ୍ଧ ସାହିରେ ଗଣ୍ଡଗୋଳ କରିବା କଥା ଅନ୍ୟମାନଙ୍କୁ ହଜମ ହୋଇନଥିଲା। ଏହା ପରେ ମାଡ଼ ମାରିଥିବା ମୁଣ୍ଡାସାହି ଲୋକଙ୍କୁ ପାନେ ଦେବା ପାଇଁ ସ୍ଥିର କରାଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ମୁଣ୍ଡାସାହି ନିକଟରେ ଥିବା ଖେଳପଡ଼ିଆରେ ଶତାଧିକ ପିଲା ବିଭିନ୍ନ ମାରଣାସ୍ତ୍ର ଧରି ଏକାଠି ହୋଇଥିଲେ। ଏହା ପରେ ସାହି ଭିତରେ ଥିବା ସମସ୍ତ ଷ୍ଟ୍ରିଟ୍ ଲାଇଟ୍‌କୁ ଖୁଣ୍ଟରୁ ଚଢ଼ି କାଟି ଦିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ୫୦ରୁ ଅଧିକ ଯୁବକ ଓ ନାବାଳକ ଏକତ୍ରିତ ହୋଇ ସାହି ଭିତରେ ଆତଙ୍କ ଖେଳାଇଥିଲେ। ପିଲାଠୁ ବୁଢ଼ା ଯିଏ ହାବୁଡ଼ରେ ପଡ଼ିଲା ତାକୁ ଖଣ୍ଡା ଚୋଟ ମାରିଚାଲିଲେ। ଏପରିକି ସାହି ଭିତରେ ଥୁଆ ହୋଇଥିବା ଅଟୋ ଓ ଏକାଧିକ ବାଇକ୍ ପିଟି ଭାଙ୍ଗିବା ସହିତ ଗତକାଲି କ୍ୟାରମ୍ ଖେଳକୁ ନେଇ ଗଣ୍ଡଗୋଳ କରିଥିବା ପିଲାଙ୍କୁ ଖୋଜିଖୋଜି ପିଟିଥିଲେ।

ଏଭଳି ଆତଙ୍କରାଜ ପରେ ମୁଣ୍ଡାସାହି ଲୋକ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଘଣ୍ଟାଏରୁ ଅଧିକ ସମୟ ମୁଖ୍ୟ ରାଜପଥ ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଜୋନ୍-୫ ଏସିପି ଅନୀଲ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର