‘ଗୁହାରି-୨୦୨୨’ ଉଦ୍‌ଘାଟିତ: ଜଗନ୍ନାଥ କଲେ ଯା’ ଅନାଥରେ…

ଭୁବନେଶ୍ବର: ଜଗନ୍ନାଥ କଲେ ଯା’ ଅନାଥରେ ଆଉ କେ ହରିବ ଦୁଃଖ…। କୋଠ ଭୋଗ ଖିଆ ମୋ’ ଚକା ଆଖିଆ ଉଠ ହେ ପହଡ଼ ଭାଙ୍ଗି…। ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରୁ ଝରିପଡ଼ିଥିବା ଏହି ଭଜନ ଆଜି ବି ଶ୍ରୋତାଙ୍କୁ ବିମୋହିତ କରେ। ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରି-୨୦୨୨’ ଅବସରରେ ଆଜି ଭଞ୍ଜ କଳାମଣ୍ଡପରେ ଏହି ଭକ୍ତି ସଂଗୀତ ଶ୍ରୋତାମାନଙ୍କୁ ଭିକାରୀ ବଳଙ୍କ ଯୁଗକୁ ନେଇଯାଇଥିଲା। ସେହିଭଳି ଅନ୍ୟ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରି କଳାମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ।
ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆଜି ସଂଧ୍ୟାରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭା‌ବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ର, ଭଗବାନ ଜେନା, ଦୁଃଖୀଶ୍ୟାମ ତ୍ରିପାଠୀ, ମାନସୀ ପାତ୍ର, ଛନ୍ଦା ମିଶ୍ର, ନିମାକାନ୍ତ ରାଉତରାୟ, ଲୋଭା ବିଶ୍ୱାଳ, ପ୍ରତିଭା ପ୍ରଧାନ ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର