ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ୩ୟ ସନ୍ଧ୍ୟା, ନୃତ୍ୟ ଛନ୍ଦରେ କୃଷ୍ଣ-କାଳୀ ଉପାଖ୍ୟାନ

ଭୁବନେଶ୍ବର: ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ସହ ସାରଙ୍ଗୀ ବାଦନର ଧୁନ୍‌ରେ ଭିଜିଥିଲେ ଦର୍ଶକ। ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଖ୍ୟାତ ସାରଙ୍ଗୀ ବାଦକ ସବୀର ଖାନ୍‌ଙ୍କ ହିନ୍ଦୁସ୍ତାନୀ ଧୁନ୍‌ ବାଦନରେ ଆନନ୍ଦ ଓ ବିଷାଦର ଭାବ ବେଶ୍‌ ଉପଭୋଗ୍ୟ ହୋଇଥିଲା। ପରେ ‘ନୟନା ମୋରେ ତରସ ଗୈୟ ବାଲମ..କୁ ସାରଙ୍ଗୀ ବାଦନ ମାଧ୍ୟମରେ ଉପସ୍ଥାପନ କରି ଆସରକୁ ସେ ଆହୁରି ଜମାଇଥିଲେ।

ବାଦ୍ୟ ପରିବେଷଣ ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ନିହାରିକା ମହାନ୍ତିଙ୍କ ଦ୍ବାରା ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ। କାଲିଫର୍ଣ୍ଣିଆରେ ରହୁଥିବା ନିହାରିକା ବେହାଗ ପଲ୍ଲବୀ ଏବଂ ‘ବ୍ରଜକୁ ଚୋର ଆସିଛି..ଗୀତରେ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଯଶୋଦା କହ୍ନେଇଙ୍କୁ ଶୁଆଇବାକୁ ପ୍ରୟାସ କରୁଥିବା ସମୟର ଅନାବିଳ ଦୃଶ୍ୟକୁ ନୃତ୍ୟ‌ରେ ଭେଟି ଦେଇ ଦର୍ଶକଙ୍କ ବାଃ ବାଃ ସାଉଁଟିଥିଲେ। ପରେ ଶ୍ରୀକୃଷ୍ଣ ଓ ‌କାଳୀଙ୍କ ସଂଯୋଗ ଉପାଖ୍ୟାନକୁ ସେ ନୃତ୍ୟରେ ଭେଟି ଦେଇଥିଲେ। ଗୁରୁ ରାମହରି ଦାସ ସଂଗୀତ ସଂଯୋଜନା କରିଥିବା ବେଳେ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ବର ସ୍ବାଇଁ। ଏହି ଉପାଖ୍ୟାନର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ। ଉତ୍ସବରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା, ହୋଟେଲ୍‌ କ୍ରାଉନ୍‌ର ନିର୍ଦେଶକ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସୃଜନ ଅନୁଷ୍ଠାନର ନିର୍ଦେଶକ ରତିକାନ୍ତ ମହାପାତ୍ର ଉପସ୍ଥିିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।

ସମ୍ବନ୍ଧିତ ଖବର