ଆରମ୍ଭ ହେଲା ‘ଗୁରୁ ପଙ୍କଜ ଉତ୍ସବ’

ଭୁବନେଶ୍ୱର: ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଗୁରୁ ପଙ୍କଜ ଉତ୍ସବ’ ଓ ‘ମାହାରୀ ସମ୍ମାନ ପ୍ରଦାନ ସମାରୋହ’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶୀ ନୃତ୍ୟ ସଙ୍ଗୀତ ଜଗତକୁ ବିଶେଷ ଅବଦାନ ଓ ଜୀବନବ୍ୟାପୀ ସାଧନା ପାଇଁ ଗୁରୁ ଶରତ କୁମାର ରଥଙ୍କୁ ‘ମାଦେଳି’, ସୁରମଣୀ ରମେଶ ଚନ୍ଦ୍ର ଦାସଙ୍କୁ ‘ବୀଣାକାର’, ଗୁରୁ ସିକତା ଦାସଙ୍କୁ ‘ନାଚୁଣୀ ସମ୍ପ୍ରଦା’ ଓ ଗୁରୁ ନିମକାନ୍ତ ରାଉତଙ୍କୁ ‘ଗାଉଣୀ ସମ୍ପ୍ରଦା ଉପାଧି’ ପ୍ରଦାନ କରାଯାଇଥିଲା। ଶେଷ‌ରେ ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ମନୋରମ ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଥିଲା। ପ୍ରଥମେ ଆଦିଗୁରୁଙ୍କୁ ସ୍ମରଣ କରି ତାଙ୍କ ସମ୍ମାନାର୍ଥେ ନୃତ୍ୟଶିଳ୍ପୀମାନେ ଗୁରୁ ବନ୍ଦନା କରିଥିଲେ। ଏକକ ନୃତ୍ୟର ଏହି ଉତ୍ସବରେ ପ୍ରଥମେ ମଞ୍ଚକୁ ଆସିଥିଲେ ବର୍ଷା ମୋହିନୀ ଦାସ। ସେ ମଙ୍ଗଳାଚରଣରେ ‘ସାନ୍ତାକାରାମ…’ ଓ ନୃତ୍ୟାଭିନୟରେ ‘ଲାଜେ ମୁଁ ସରିଗଲି ଆଜ…’ ପରିବେଷଣ କରିଥିଲେ। ରୋଜାଲିନ୍‌ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ପରେ ଯୁବ ନୃତ୍ୟଶିଳ୍ପୀ ଅଙ୍କିତା ଦାସ ‘କହିବୁ ଯାଇ ଶ୍ୟାମବନ୍ଧୁକୁ’ ପରିବେଷଣ କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ଗୁରୁ ପ୍ରଶାନ୍ତ ବେହେରା। ଏହାପରେ ମଞ୍ଚକୁ ଆସିଥିଲେ ଆସାମର ସାତ୍ରିୟ ନୃତ୍ୟଶିଳ୍ପୀ ଡିମ୍ପି ବୈଶ୍ୟ। ପରେ ପରେ ସ୍ୱୟଂପ୍ରଭା ମିଶ୍ର ଗୁରୁ କୁମ୍‌କୁମ୍ ମହାନ୍ତିଙ୍କ ସଂଯୋଜିତ କିରିବାଣୀ ପଲ୍ଲବୀ ପରିବେଷଣ କରିଥିଲେ। ସେହିପରି ନୃତ୍ୟଶିଳ୍ପୀ ମନୋସ୍ମିତା ପଣ୍ଡାଙ୍କ ଦ୍ୱାରା ‘ଆହେ ନୀଳଶୈଳ… ଓ ରୁଦ୍ରପ୍ରସାଦ ସ୍ୱାଇଁଙ୍କ ଦ୍ୱାରା ‘ଅର୍ଦ୍ଧନାରୀଶ୍ୱର… ପରିବେଷିତ ହୋଇଥିଲା।

ସନ୍ଧ୍ୟାରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ବଟକୃଷ୍ଣ ତ୍ରିପାଠୀ ଓ ନିର୍ଦ୍ଦେଶକ ଶରତ ଦାସ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର