ହାଇକୋର୍ଟଙ୍କ ନିର୍ଦେଶ ମାନୁନି ସ୍ବାସ୍ଥ୍ୟ ବିଭାଗ, ହକ୍ ପାଇବାରୁ ବଞ୍ଚିତ ୫ଶହରୁ ଅଧିକ ଏମ୍‌ପିଏଚ୍‌ଏସ୍‌

ଭୁବନେଶ୍ବର: କୋଭିଡ୍‌ ମହାମାରୀ କାଳରେ ସ୍ବାସ୍ଥ୍ୟକର୍ମୀଙ୍କ ଗୁରୁତ୍ବ ଓ ଅବଦାନକୁ ଉପଲବ୍‌ଧି କରି ସେମାନଙ୍କୁ ଯୋଦ୍ଧା ସହ ବିବେଚନା କରାଯାଉଛି। ମାତ୍ର ବିଡ଼ମ୍ବନାର ବିଷୟ, ସମାନ ସମୟରେ ଅବସରପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ହକ୍‌ ମିଳୁ ନ ଥିବାରୁ ସେମାନେ ଦୁର୍ବିସହ ଜୀବନ ବିତାଉଛନ୍ତି। ଏପରିକି ୩ ବର୍ଷ ହେଲାଣି, ଓଡ଼ିଶା ହାଇକୋର୍ଟ ବାରମ୍ବାର ଏମାନଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ। ନିଜ ହକ୍‌ ତଥା ସଂଶୋଧିତ ଦରମା ଓ ପେନସନ୍‌ ନ ପାଇ କିଛି ଏମପିଏଚ୍‌ଏସ୍‌ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କରି ସାରି‌ଲେଣି।

ସୂଚନା ଅନୁସାରେ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦ୍ବାରସ୍ଥ ହୋଇଥିବା ବହୁ ଏମପିଏଚ୍‌ଏସ୍‌ (ମଲ୍ଟିପର୍ପୋଜ୍‌ ହେଲ୍‌ଥ ସୁପରଭାଇଜର, ପୁରୁଷ) ଅବସର ନେବାର ୧୦ ବର୍ଷ ପରେ ମଧ୍ୟ ନିଜ ହକ୍‌ ପାଇ ପାରିନାହାନ୍ତି। ସଂଶୋଧିତ ଦରମା କିମ୍ବା ବର୍ଧିତ ପେନସନ୍‌ ପାଇଁ ଏମାନେ ବିଭାଗୀୟ ଅବହେଳାର ଶିକାର ହେବା ପରେ ୨୦୧୭ ମସିହାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏମ୍‌ପିଏଚ୍‌ଏସ୍‌ଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ୧୬୬ ଓ ୧୧୩ ଜଣ ଏହାର ଉପକାର ବି ପାଇ ସାରିଛନ୍ତି। ତେବେ ଏଥିରୁ ବଞ୍ଚିତ ୫ଶହରୁ ଅଧିକ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସପକ୍ଷରେ ତୃତୀୟ ଥର ପାଇଁ ହାଇକୋର୍ଟ ୧୭/୭/୨୦୨୦ ମଧ୍ୟ ରାୟ ଶୁଣାଇଛନ୍ତି। ଏପରିକି ୩ ମାସ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଲାଗି ମଧ୍ୟ ନିର୍ଦେଶ ଦେଇଛନ୍ତି। ହେଲେ ଏହା ଭିତରେ ୪ ମାସ ବିତିଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ଭ୍ରୂକ୍ଷେପ କରୁନାହିଁ। ଅବସରକାଳୀନ ଦୁର୍ବିସହ ଜୀବନ ବିତାଉଥିବା ଶହ ଶହ ସ୍ବାସ୍ଥ୍ୟକର୍ମୀ ମାନସିକ ଚାପରେ ରହିଛନ୍ତି‌ ବୋଲି କହିଛନ୍ତି ନିଜେ ଉପେକ୍ଷିତ ତଥା ରାଜ୍ୟ ସଂଘର ପୂର୍ବତନ ଉପ ସଭାପତି ଘନଶ୍ୟାମ ମଙ୍ଗରାଜ।

ସମ୍ବନ୍ଧିତ ଖବର