ଛାଇ ଟିକେ ଲୋଡ଼ା, ଟୋପାଏ ପାଣି ପାଇଁ ଡହଳବିକଳ

ଭୁବନେଶ୍ବର : ରାଜଧାନୀରେ ତାତି ୪୦ଡିଗ୍ରି ପାଖାପାଖି ରହୁଛି। ପାରଦ ୩୮ଡିଗ୍ରିରୁ ତଳକୁ ଖସୁନି। ଆକାଶରୁ ନିଆଁ ଖସିଲା ଭଳି ଖରା ହେଉଛି। ଏମିତିରେ ମଣିଷଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖରାରେ ଝାଉଁଳି ଗଲେଣି। ଖରାରେ ଦି’ଖୋଜେ ଚାଲିଲେ ଛାଇ ଖୋଜୁଛନ୍ତି। ସବୁଆଡ଼େ ଖରା ପ୍ରବଳ ହେଉଥିବାରୁ ପଶୁପକ୍ଷୀ ବି ଟିକିଏ ଛାଇ ପାଇଲେ ବସି ପଡ଼ୁଛନ୍ତି।

ରାଜଧାନୀରେ ପାରଦ ଯଦିଓ ୪୨ଡିଗ୍ରି ଟପିନି କିନ୍ତୁ ଗୁଳୁଗୁଳି ଓ ତାତି ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ତଣ୍ଟି ଶୁଖି ଯାଉଛି। ଦେହ ହାତ ସିଝି ଯାଉଛି। ମୁଣ୍ଡ ଉପରେ ଟାଣ ଖରା, ପିଚୁ ଓ କଙ୍କ୍ରିଟ ରାସ୍ତାରୁ ବାହାରୁଥିବା ତାତି ଦେହକୁ ସିଝେଇ କଳା ପକାଇ ଦେଉଛି। ଗୃହପାଳିତ ପଶୁ ତ ଖରାରେ ଖାଇ ପାରୁନାହାନ୍ତି। ଚରିବା ତ ଦୂରର କଥା। ପକ୍ଷୀଙ୍କ ଡେଣା ବି ଖରା ତାତିରେ ହାଲିଆ ହୋଇଯାଉଛି। ଖୋଜେ ବାଟ ଉଡ଼ିଲେ ଥକ୍କା ମାରି ଗଛ ଉପରେ ନହେଲେ ବିଦ୍ୟୁତ ତାର ଓ ଖୁଣ୍ଟରେ ବସିପଡ଼ୁଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ଏଥର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଏମ୍‌ସି ସହାୟତାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଥିବାବେଳେ କେଉଁଠି ବି ପଶୁପକ୍ଷୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ନାହିଁ। ବିଏମ୍‌ସି କି ଜନସ୍ବାସ୍ଥ୍ୟ ବିଭାଗ ବି ଏମାନଙ୍କ ପାଇଁ କେଉଁଠି ପିଇବା ପାଣିର ବ୍ୟବସ୍ଥା କରୁନି। ଲୋକଙ୍କୁ ପିଇବା ପାଣି ଯୋଗାଇ ପାରୁ ନଥିବା ଜନସ୍ବାସ୍ଥ୍ୟ ବିଭାଗଠାରୁ ବି ପଶୁପକ୍ଷୀଙ୍କ ପାଇଁ କିଛି ବ୍ୟବସ୍ଥା ଆଶା କରିବା ବୃଥା।

ସେହିପରି ପ୍ରତିବର୍ଷ ଜଳଛତ୍ରଗୁଡ଼ିକରେ ମଣିଷଙ୍କ ସମେତ ପଶୁପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଚଳିତବର୍ଷ କୌଣସି ବି ଜଳଛତ୍ରରେ ପଶୁପକ୍ଷୀଙ୍କ ପାଇଁ ଏହିଭଳି ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳୁନି। କେତେକ ଜଳଛତ୍ର କେବଳ ଉଦ୍‌ଘାଟନ ପାଇଁ ଖୋଲା ଯାଇଥିବାବେଳେ ଏଠାରେ ହାଣ୍ଡି ମାଠିଆ ଗଡ଼ୁଛି। କେଉଁଠି କୁକୁର, ଷଣ୍ଢ ଛାଇ ପାଇଁ ‌େଶାଇଛନ୍ତି ତ କେଉଁଠି ବାଉଁଶ ବାଡ଼ ପଡ଼ୁଛି। କେତେକ ସ୍ଥାନରେ ଯଦିଓ ଜଳଛତ୍ର ଖୋଲା ରହିଛି, ସେଠାରେ କିନ୍ତୁ ଲୋକଙ୍କ ଗହଳି ଜମୁନି।

ସମ୍ବନ୍ଧିତ ଖବର