ରାଜଧାନୀ ଭୁବନେଶ୍ବରରେ ଫିକା ପଡ଼ିଲା ହୋଲି ପର୍ବ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏଥର ଭାଇଚାରର ପର୍ବ ହୋଲିକୁ କରୋନା ଭୂତାଣୁ ଗ୍ରାସିଲା। ରାସ୍ତାଘାଟ, କ୍ଲବ୍, ପଡ଼ିଆ, ପାର୍କ ସବୁଠି ଖାଁ ଖାଁ। କୋଉଠି ବି ବାଜୁନଥିଲା ଉଚ୍ଚ ଶବ୍ଦରେ ଗୀତ। କାହାରି ମୁହଁରୁ ଶୁଭୁ ନ ଥିଲା ହୋଲି ପର୍ବର ଶୁଭ ବାର୍ତ୍ତା। ସାଙ୍ଗ ଦେହରେ ରଙ୍ଗ ଲଗାଇବା, ଦହି ହାଣ୍ଡି ଭାଙ୍ଗିବା, ରଙ୍ଗ ଖେଳ ପରେ ନଈକୁ ଯାଇ ସାଂଗ ହୋଇ ଗାଧେଇବା ଆଦିକୁ ଯେମିତି ରାଜଧାନୀବାସୀ ମନରୁ ପୋଛିଦେଇଥିଲେ। କରୋନା ଭୂତାଣୁ ପାଇଁ ସମସ୍ତେ ଯେମିତି ହୋଲିକୁ ଏକପ୍ରକାର ବାସନ୍ଦ କରି ଦେଇ ଥିଲେ। ଅନେକ ସାମୂହିକ ହୋଲି ଖେଳରୁ ଯଥା ସମ୍ଭବ ଦୂରେଇ ରହିଥିଲେ। ଏପରିକି କିଛି ଜାଗାରେ ଘର ମୁରବିଙ୍କ ଆକଟ ମଧ୍ୟ ଦେଖିବାକୁ ମିଳିଥିଲା। ଛୋଟରୁ ବଡ଼ ସମସ୍ତେ ଅତି ସତର୍କ ଥିଲା ପରି ଦେଖା ଯାଉଥିଲା। ଅନ୍ୟ ପକ୍ଷରେ କିଛି ଯୁବଗୋଷ୍ଠୀ ବି ପରମ୍ପରାର ଦ୍ବାହି ଦେଇ ହୋଲି ଖେଳରେ ମସଗୁଲ୍ ଥିଲେ। କରୋନା ଭୟ ହୋଲିରେ ରଙ୍ଗ ଖେଳକୁ ପାଣିଚିଆ କରିଥିଲେ ସୁଦ୍ଧା ଲୋକଙ୍କ ଖୁସିରେ ରୋକ୍ ଲଗାଇ ପାରି ନ ଥିଲା। ଲୋକେ ରାସାୟନିକ ରଙ୍ଗ ଖେଳରୁ ବିରତ ରହି ହର୍ବାଲ ହୋଲିକୁ ପ୍ରାଧାନ୍ୟ ଦେଇଥିଲେ। ଖୋର୍ଦ୍ଧାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସହ ହର୍ବାଲ ରଙ୍ଗ ଖେଳି ଯୁବଗୋଷ୍ଠୀ ଖୁସି ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ମଧୁରମୟୀ ଶିକ୍ଷା ନିକେତନ ପକ୍ଷରୁ ଛୋଟପିଲାଙ୍କ ସହ ହୋଲି ଖେଳିବା ପାଇଁ ଆୟୋଜନ କରାଯାଇଥିଲା। ସେହିଭଳି ଚନ୍ଦକା ନେଚର୍ ରିସର୍ଟ ପକ୍ଷରୁ ହୋଲି ଖେଳିବା ପାଇଁ ‘ରଙ୍ଗ ଦେ ମାହି’ର ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିବା ବେଳେ ନୟାପଲ୍ଲୀସ୍ଥିତ ବ୍ରିଟ୍ କଲୋନିରେ ‘ଲେଟ୍ସ ପ୍ଲେ ହୋଲି’ରେ ସବୁବର୍ଗର ଲୋକେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ରବୀନ୍ଦ୍ରମଣ୍ଡପରେ ଗ୍ରାଣ୍ଡ ମ୍ୟୁଜିକାଲ୍ ନାଇଟ୍ ପକ୍ଷରୁ ହୋଲିର ଆସର ଜମିଥିବା ବେଳେ ହୋଟେଲ୍ ଏଚ୍ଏଚ୍ଆଇରେ ‘ରଙ୍ଗିଲାରେ’ ନାମକ ହୋଲି ଉତ୍ସବରେ ଲୋକେ ନିଜକୁ ଭାଗୀଦାରି କରି ଖୁସି ମନାଇଥିଲେ।

ଅନ୍ୟପକ୍ଷରେ ଚଳଚ୍ଚିତ୍ର ପରଦାରେ ମୁକ୍ତିଲାଭ କରିଥିବା ଟାଇଗର୍ ଶ୍ରଫ୍‌ଙ୍କ ଆକ୍ସନ୍ ଫିଲ୍ମ ବାଗି-୩ ଓ କମେଡିରେ ଭରପୂର ଗୌରୀ ଖାଁଙ୍କ ପ୍ରଯୋଜିତ କାମିୟାବ ଫିଲ୍ମ ଲୋକଙ୍କୁ ମନୋରଞ୍ଜନ କରିବାର ଖୋରାକ୍ ଯୋଗାଇଥିଲା। ତେବେ ଏସବୁ ଖୁସି ରାଜଧାନୀ ଲୋକଙ୍କୁ ରଙ୍ଗମୟ କରିବା ଯଥେଷ୍ଟ ନ ଥିଲା। ଉପରେ ଭୟ ଓ ମନ ଭିତରେ ଗୋଟିଏ କଥା ବାରମ୍ବାର ଗୁଞ୍ଜରଣ ହେଉଥିଲା ବଞ୍ଚିଥିଲେ ଆରଥରକୁ…..

ପୂଜିଲେ, ହୋଲି ନ ଖେଳି ସତର୍କ କଲେ
ପୁରୁଣା ଭୁବନେଶ୍ୱର : ଭୀମଟାଙ୍ଗି ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ରାଧାକୃଷ୍ଣ ଓ ଦୋଳଗୋବିନ୍ଦଙ୍କୁ ଫଗୁ ଲାଗି କରାଯାଇଥିଲା। ଏଥିସହ ମନ୍ଦିରରେ ଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯାଇଥିଲା। ଏପରିକି ଦେବଦେବୀ ସୁସଜ୍ଜିତ ପାଲିଙ୍କିରେ ବିଭିନ୍ନ ଭକ୍ତଙ୍କ ଘର ପାଖକୁ ଯାଇ ଭୋଗ ଖାଇଥିଲେ। ତେବେ କରୋନା ପାଇଁ ସତର୍କ ରହି ଲୋକେ ହୋଲି ଖେଳିନଥିଲେ। ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ କରୋନା ପାଇଁ ସଚେତନ କରାଇଥିଲେ।

୫୦କେଜି ହଳଦୀରେ ହୋଲି
ପୁରୁଣା ଭୁବନେଶ୍ୱର : ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟି ଭଳି ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ ପୁରୁଣା ଭୁବନେଶ୍ୱରବାସୀ। ମହତାବ ରୋଡ୍ ଡାକବଙ୍ଗଳା ଛକଠାରେ ଜାଗେଶ୍ୱରୀ କ୍ଲବ ପକ୍ଷରୁ ଆୟୋଜିତ ୫୦କେଜି ହଳଦୀ ହୋଲିର ଏଥର ମୁଖ୍ୟ ଆକର୍ଷଣ ଥିଲା। ବିଭିନ୍ନ ରୋଗରୁ ରକ୍ଷା ପାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏପରି ଅଭିନବ ହୋଲି ପାଳନ କରାଯାଇଥିଲା। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଛୋଟପିଲା ପର୍ଯ୍ୟନ୍ତ ସବୁ ଏଥିରେ ସାମିଲ ହୋଇଥିଲେ। ହଳଦୀ ହୋଲିରେ ସାମିଲ ହୋଇଥିବା ସବୁ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲା। କ୍ଲବର ସମ୍ପାଦକ ଶିବ ପ୍ରସାଦ ବେହେରା ଓ ସଭ୍ୟମାନେ ଏହାକୁ ପରିଚାଳନା କରିଥିଲେ।

ଫୁଲରେ ଖେଳିଲେ ହୋଲି: ‘ସାଇନିଂ ଇଭେଣ୍ଟ୍’ ଅନୁଷ୍ଠାନ ପକ୍ଷରୁ ଲୋକଙ୍କ ମୁଣ୍ଡରେ ଗେଣ୍ଡୁଫୁଲ ପାଖୁଡ଼ା ପକାଇ ହୋଲି ପାଳନ କରାଯାଇଛି। କରୋନା ଭୟରେ ଲୋକମାନେ ହୋଲିରେ ରଙ୍ଗ ନ ଖେଳିବା ପାଇଁ ଅନୁଷ୍ଠାନ ଏହି ନିଆରା ଉପାୟ ଆପଣାଇଥିଲା। ଏହା ସହିତ ସେ ଲୋକମାନଙ୍କୁ କରୋନା ଭୂତାଣୁଠାରୁ ଦୂରେଇ ରହିବା ନେଇ ସଚେତନ ମଧ୍ୟ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟ ପବନ କୁମାର ପରିଡ଼ା ସମ୍ପାଦନା କରିଥିଲେ।

ହୋଲିରେ ଆର୍ଟ ଅଫ୍ ଗିଭିଂ: ଗରିବ ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇବା ଉଦ୍ଦେଶ୍ୟରେ ‘କଳିଙ୍ଗ ସିନେ ଆର୍ଟସ୍’ ଅନୁଷ୍ଠାନ ପକ୍ଷରୁ ଚୁଡ଼ଙ୍ଗଗଡ଼ ଆଦିବାସୀ ବସ୍ତିରେ ପାଳିତ ହୋଇଯାଇଛି ‘ହୋଲି ଆର୍ଟ ଅଫ୍ ଗିଭିଂ’। ଲୋକଙ୍କ ମଧ୍ୟରେ ଖାଦ୍ୟ ଓ ପୋଷାକ ବଣ୍ଟାଯିବା ସହ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟାଯାଇ ସେମାନଙ୍କୁ ଅବିର ଲଗାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଭ୍ୟମାନେ ବସ୍ତିର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଅଳିଆଗୁଡ଼ିକୁ ଉଠାଇ ପରିଷ୍କାର କରିଥିଲେ। ଅନୁଷ୍ଠାନର ସଭାପତି ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ ଓ ପ୍ରତିଷ୍ଠାତା ପ୍ରିୟାଂଶୀ ପ୍ରତ୍ୟାଶା ସେବାକାର୍ଯ୍ୟ ପରିଚାଳନା କରିଥିଲେ।

ଯିଏ ଆସିଲା ସିଏ ପିଇଲା ହାଣ୍ଡିଆ: ମଞ୍ଚେଶ୍ବର ଆଦିବାସୀ ସାହିରେ ଦେଖିବାକୁ ମିଳିଥିଲା ନିଆରା ହୋଲି। ଖୁସିରେ ମସଗୁଲ୍ ହୋଇ ହାଣ୍ଡିଆ ପିଇ ଲୋକମାନେ ଆଦିବାସୀ ନୃତ୍ୟରେ ଝୁମିଥିଲେ। ବସ୍ତିର ମଧ୍ୟଭାଗ ପୂଜାପଡ଼ିଆରେ ମାରାଂବୁରୁଙ୍କ ପୂଜା କରାଯିବା ସହ ଲୋକମାନେ ହାଣ୍ଡିଆକୁ ପ୍ରସାଦ ରୂପେ ବାଣ୍ଟିଥିଲେ। ଯିଏ ହୋଲି ମେଳଣରେ ସାମିଲ ହେଲା ‌ସିଏ ହାଣ୍ଡିଆ ମନଭରି ପିଇବାକୁ ପାଇଲା। ଫଳରେ ପୁରୁଷ ଓ ମହିଳା ଏକାଠି ହୋଇ ରଙ୍ଗ ବୋଳାବୋଳି ହୋଇ ଢୋଲ ମାଦଳ ବାଦ୍ୟରେ ନାଚି ଉଠିଥିଲେ।

ଦିନତମାମ ପଣା ଓ ଅନ୍ନଛତ୍ର: ହୋଲି ଉତ୍ସବକୁ ଗରିବ ସେବା ଉଦ୍ଦେଶ୍ୟରେ ପାଳନ କରିବା ନେଇ ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟ ରଙ୍ଗମାଟିଆ ମା’ ବାସୁଳାଇ ଯୁବକ ସଂଘ ପକ୍ଷରୁ କ୍ଲବ ପରିସରରେ ଅନୁଷ୍ଠିତ ହୋଇଛି ହୋଲି ଉତ୍ସବ। ସେଠାରେ ଦିନତମାମ ସର୍ବସାଧାରଣଙ୍କୁ ଦହିପଣା ଓ ଅନ୍ନ ଖାଇବାକୁ ଦିଆଯାଇଥିଲା। ପ୍ରାୟ ୫ଶହ ଲୋକଙ୍କ ପାଇଁ ସଂଘର ସଭ୍ୟମାନେ ଖାଦ୍ୟ ବ୍ୟବସ୍ଥା କରିଥିଲେ। ପ୍ରଶାନ୍ତ କୁମାର ମହାନ୍ତି, କେଦାର ନାଥ ବାରିକ, ‌ସନ୍ତୋଷ ମହାନ୍ତି ପ୍ରମୁଖ ମିଳିମିଶି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଦହିବରା ସହ ହଳଦୀ ହୋଲି: ‘କଳିଙ୍ଗ ଆଡଭାନ୍ସ୍ ପବ୍ଲିକ୍ ସ୍କୁଲ୍’ ପକ୍ଷରୁ ସତ୍ୟବିହାରରେ କୁନିକୁନି ପିଲାଙ୍କୁ ନେଇ ଆୟୋଜିତ ହୋଇଯାଇଛି ହର୍ବାଲ୍ ହୋଲି। ହଳଦୀ ଲଗାଇ ହୋଲି ଖେଳିବାର ନିଆରା ଅନୁଭୂତି ପାଇ ପିଲାମାନେ ରାସାୟନିକ ରଙ୍ଗରେ ହୋଲି ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ। ଏହା ସହିତ ବାରମ୍ବାର ହାତ ଧୋଇବା, ମୁହଁ, ଆଖି ଓ ନାକରେ ହାତ ନ ମାରିବା ପାଇଁ ପିଲାମାନଙ୍କୁ ସ୍କୁଲ୍‌ର ପ୍ରଧାନାଚାର୍ଯ୍ୟା ସାଗରିକା ଦାସ ସଚେତନ କରାଇଥିଲେ। ଆଉ ଏହି ଉତ୍ସବରେ ସାମିଲ ହୋଇଥିବା ଅଭିଭାବକମାନଙ୍କୁ ଦହିବରା ଖାଇବାକୁ ଦିଆଯାଇଥିଲା।

ଓୗଷଧ ବାଣ୍ଟିଲେ, କରୋନା ସଚେତନ କଲେ: ‘କଳିଙ୍ଗ ସାମ୍ବାଦିକ ସଂଘ’ ପକ୍ଷରୁ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରେ ଅନୁଷ୍ଠିତ ହୋଇଯାଇଛି କରୋନା ସଚେତନତା କାର୍ଯ୍ୟକ୍ରମ। ଏହି ଅବସରରେ ସଂଘ ପକ୍ଷରୁ ସ୍ଥାନୀୟ ‌ଲୋକମାନଙ୍କ ମଧ୍ୟରେ ହୋମିଓପାଥିକ୍ ପ୍ରତିଷେଧକ ଓୗଷଧ ଓ ମାସ୍କ୍‌ ବଣ୍ଟନ କରାଯାଇଥିଲା। ସଭ୍ୟମାନେ ରଙ୍ଗ ନ ଖେଳି ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆବାହକ ସୁକାନ୍ତ ରାଉତ, ସଭାପତି ଲିଙ୍ଗରାଜ ରାଉତ, ସଂପାଦକ ବିଦ୍ୟାଧର ବାରିକ ଓ କୋଷାଧ୍ୟକ୍ଷ ଗୌରୀପ୍ରସାଦ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର