ଚିନ୍ତାରେ ହଷ୍ଟେଲ ଛାଡ଼ିଲେ ପିଲା: କେମିତି ହେବ ୟୁଜି, ପିଜି ପରୀକ୍ଷା?

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଆଜିଠାରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ହୋଇଛି। ଆଜି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ରାଜଧାନୀରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଇତିମଧ୍ୟରେ ହଷ୍ଟେଲ ଛାଡ଼ି ଘରକୁ ପଳାଇଛନ୍ତି। ଗତ ଦୁଇ ଦିନ ହେଲା ବାଣୀବିହାର ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ପର୍ଯ୍ୟାୟକ୍ରମେ ହଷ୍ଟେଲ ଛାଡ଼ିଥିବା ବେଳେ ଦୂରଦୂରାନ୍ତର ଆଉ କିଛି ପିଲା ଆଜି ହଷ୍ଟେଲ ଛାଡ଼ିଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।

ତେବେ ସେମିଷ୍ଟର ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି। ପରୀକ୍ଷା କେବେ ଓ କେମିତି ହେବ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଶ୍ରେଣୀଗୃହରେ ବସି ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ନା ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ରାସ୍ତାକୁ ଓହ୍ଲାଇବା ସହ ଭଙ୍ଗାରୁଜା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବରଂ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ପରେ ଶିକ୍ଷାନନୁଷ୍ଠାନ ଓ ପରୀକ୍ଷା ଏବେ ବନ୍ଦ ରହିଛି। ପୁଣି କେବେ ପରୀକ୍ଷା ହେବ ତାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯ‌ାୟୀ ଅନ୍‌ଲାଇନ୍‌ ପରୀକ୍ଷା ନ କରିବାକୁ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନର ମୁଖ୍ୟମା‌ନେ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବାରମ୍ବାର ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବା ଠିକ୍‌ ହେବ ନାହିଁ। ମେ’ ମାସରେ କରୋନା ସ୍ଥିତିକୁ ଦେଖି ଅଫ୍‌ଲାଇନ୍‌ ପରୀକ୍ଷା ନେଇ ସମୀକ୍ଷା କରାଯାଉ। ଯଦି ସଂକ୍ରମଣ କମିଥିବ ତେବେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ସଂକ୍ରମଣ କମି ନଥିଲେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ ଦେବାକୁ ପ୍ରସ୍ତାବ ଦିଆଯାଇଛି। ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ହେଲେ ସେମାନେ ପାରମ୍ପରିକ ପଦ୍ଧତିରେ ପରୀକ୍ଷା ଦେଇପାରିବେ। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଘରେ ରହି ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ। ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରାଯିବ। ସ୍ଥିତି ଦେଖି ପରୀକ୍ଷା କେମିତି ହେବ ଭବିଷ୍ୟତରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର