ଦୁର୍ଘଟଣାରେ ହେଟାବାଘ ମୃତ

ବାଲିଅନ୍ତା : ଫୁଲନଖରା–ନିଆଳି ମୁଖ୍ୟ ରାସ୍ତାର ପଞ୍ଚବଟୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଏକ ହେଟାବାଘର ମୃତ୍ୟୁ ହୋଇଛି। କେହି କେହି ଏହାକୁ ଗଧିଆ ବୋଲି କହୁଛନ୍ତି। ଗାଡ଼ି ଧକ୍କାରେ ନା ଲୋକଙ୍କ ଆକ୍ରମଣରେ ତାର ମୃତ୍ୟୁ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନି। ହେଟାର ମୁହଁ ଓ ଶରୀରରେ ଗଭୀର ଭାବେ କ୍ଷତାକ୍ତ ହୋଇଛି। ନଖରା ବନ ବିଭାଗ ହେଟାର ଶବ ବ୍ୟବଚ୍ଛେଦ କରି ନଥିବାରୁ ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିନି। ସବୁଠାରୁ ବଡ଼ କଥା ହେଉଛି ନଖରା ରେଞ୍ଜ କାର୍ଯ୍ୟାଳୟକୁ ସ୍ଥାନୀୟ ଲୋକମାନେ ସକାଳେ ଏ ସଂପର୍କରେ ଜଣାଇଥିଲେ ମଧ୍ୟ ଅଧିକାରୀମାନେ ପହଞ୍ଚି ଏହାର ତଦନ୍ତ କରିବାକୁ ଆଗ୍ରହ ଦେଖାଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ରାସ୍ତାକଡ଼ରେ ହେଟାର ମୃତଦେହ ଦୀର୍ଘ ସମୟ ଧରି ପଡ଼ିରହିବା ଫଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ଅନ୍ୟତ୍ର ଫିଙ୍ଗି ଦେଇଥିବା ଜଣେ ବ୍ୟକ୍ତି କହିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ମୃତ ହେଟାବାଘର ଉଚ୍ଚତା ପ୍ରାୟ ଅଢ଼େଇଫୁଟ ଓ ଲମ୍ବ ସାଢ଼େ ୩ଫୁଟ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସ୍ଥାନୀୟ ଗୁଆଳିଗଡ଼ ଓ ଗଙ୍ଗେଶ୍ବରଗଡ଼ ଲଟାଜଙ୍ଗଲରୁ ଜନବସତି ଆଡ଼କୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି। ସୂଚନାଯୋଗ୍ୟ ଗତ କିଛି ମାସ ତଳେ ଏଠାରୁ ଦୁଇକିମି ଦୂର ବାମ୍ଫିଗଡ଼ ନିକଟରେ ଅନୁରୂପ ଭାବେ ଆଉ ଗୋଟିଏ ହେଟାର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ହେଲେ ନଖରା ବନ ବିଭାଗ ଏହି ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର