ରିମାଣ୍ଡ ସରିଲା, ଜେଲ୍‌ ଗଲା ବନ୍ଧୁକ ବେପାରୀ : ଝାଡ଼ଖଣ୍ଡରୁ ଆସୁଥିଲା ବନ୍ଧୁକ

ଭୁବନେଶ୍ୱର : ଗତକାଲି ରିମାଣ୍ଡ ଅବଧି ଶେଷ ହେବା ପରେ ଦୁଇ ବନ୍ଧୁକ ବେପାରୀ ଆଜି ଜେଲ୍‌ ଯାଇଛନ୍ତି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଜୟନ୍ତଗଡ଼ର ସାନୁ ପୋଦ୍ଦାର ଓ ଆଇଟିଇଆର କଲେଜ୍‌ ନିକଟ ଲେକ୍‌ ଭ୍ୟାଲି-୨ରେ ରହୁଥିବା ଗଞ୍ଜାମର ସୁରେଶ ପାଣିଗ୍ରାହୀଙ୍କୁ ଏସ୍‌ଟିଏଫ୍‌ ଆଜି କୋର୍ଟରେ ଉପସ୍ଥାପନ କରିଥିଲା। କୋର୍ଟଙ୍କ ଆଦେଶକ୍ରମେ ସେମାନେ ଝାରପଡ଼ା ଜେଲ୍‌ ଯାଇଛନ୍ତି। ୫ଦିନିଆ ରିମାଣ୍ଡରେ ହୋଇଥିବା ପଚରା ଉଚରା‌ରେ ଏସ୍‌ଟିଏଫ୍‌କୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି। ସେମାନେ ଝାଡ଼ଖଣ୍ଡରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିଲେ। ଏଠାରେ ଠିକାଦାର, ଗୁଣ୍ଡା, ଖଣି ମାଫିଆ ଓ କେତେକ ହୋଟେଲ ମାଲିକ ବନ୍ଧୁକ ନେଉଥିବା ଅଭିଯୁକ୍ତଦ୍ବୟ ସ୍ବୀକାର କରିଛନ୍ତି। ଝାଡ଼ଖଣ୍ଡର ମୂଳ ବେପାରୀକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଏକ ଟିମ୍‌ ଝାଡ଼ଖଣ୍ଡ ଯିବ। ଏଥିପାଇଁ ଝାଡ଼ଖଣ୍ଡ ପୁଲିସ ସହ ଯୋଗାଯୋଗ କରାଯାଇଛି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପଟେ ଏମାନଙ୍କଠାରୁ ବନ୍ଧୁକ ନେଉଥିବା ଗ୍ରାହକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା ଓ ବାଲିଅନ୍ତାର କେତେକ ଠିକାଦାର ବନ୍ଧୁକ ନେଇଛନ୍ତି। ଖୋର୍ଦ୍ଧା ଅଞ୍ଚଳରେ କେତେକ ଖଣି ମାଫିଆ ମଧ୍ୟ ଏମାନଙ୍କଠାରୁ ଚୋରା ବନ୍ଧୁକ କିଣିଛନ୍ତି। ପୁରୀର କେତେକ ହୋଟେଲ ମାଲିକ ମଧ୍ୟ ଏମାନଙ୍କ ସହ ଚୋରା କାରବାର କରିଛନ୍ତି। ଏ ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୯ତାରିଖ ରାତିରେ ଗଣ୍ଡମୁଣ୍ଡାଠାରେ ଚୋରା ବନ୍ଧୁକ କାରବାର ହେଉଥିବା ବେଳେ ଏସ୍‌ଟିଫ୍‌ ଚଢ଼ଉ କରି ଏହି ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୭.୬୫ ଏମ୍‌ଏମ୍‌ର ୩ଟି ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ, ୨୨ଟି ଗୁଳି ଓ ୫ଟି ମାଗାଜିନ ଜବତ କରିଥିଲା। ସେମାନେ ମାଓବାଦୀଙ୍କୁ ବନ୍ଧୁକ ଯୋଗାଉ ଥିଲେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ରିମାଣ୍ଡ ବେଳେ ପଚରା ଉଚରାରେ ସେଭଳି ତଥ୍ୟ ମିଳିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର