ଅନ୍‌ଲାଇନ୍‌ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ଗୁରୁତ୍ବ: ପ୍ରକାଶ ପାଇବ ଖିଲାପକାରୀଙ୍କ ତାଲିକା

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ୍‌ ଲାଇସେନ୍ସ ଫି ଆଦାୟ ବାଧ୍ୟତାମୂଳକ ହେବା ପରେ ବାଟମାରଣା ବନ୍ଦ ହୋଇଛି। ଗତବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ଯେତିକି ଅଫ୍‌ଲାଇନ୍‌ରେ ଆଦାୟ ହୋଇଥିଲା, ସେହି ଅବଧିରେ ଚଳିତବର୍ଷ ଅନ୍‌ଲାଇନ୍‌ରେ ୩ଗୁଣ ଅଧିକ ଆଦାୟ ହୋଇଛି। ଏଣୁ ‘ଭୁବନେଶ୍ବର ଡଟ୍‌ ଏମ୍‌ଇ’ ଆପ୍‌ କିଭଳି ଅଧିକରୁ ଅଧିକ ବ୍ୟବହାର ହେବ ଓ ଶତପ୍ରତିଶତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେବ ତାହା ଉପରେ ବିଏମ୍‌ସି ଗୁରୁତ୍ବ ଦେଇଛି। ଅନ୍‌ଲାଇନ୍‌ରେ ଏହାକୁ ବ୍ୟବହାର କରିବାରେ କେତେକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସିଟିଜେନ୍‌ ସର୍ଭିସ୍‌ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଆଜି ବିଏମ୍‌ସିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। ଏହି ବ୍ୟବସ୍ଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତି ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଭିନ୍ନ ସ୍ଥାନରେ ସିଟିଜେନ୍‌ ସର୍ଭିସ୍‌ ସେଣ୍ଟର ଖୋଲାଯିବ। ପୁନଃ ଆକଳନ ଆଶାନୁରୂପ ହୋଇପାରୁନଥିବାରୁ ଏହା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

କମିସନର ବିଜୟ ଅମୃତା କୁଲାଙ୍ଗେ କହିଥିଲେ, ଅନ୍‌ଲାଇନ୍‌ ଯୋଗୁ ଆର୍ଥିକ ଅନିୟମିତତା ବନ୍ଦ ହୋଇଛି ଓ ଏହି ବ୍ୟବସ୍ଥାରେ ସ୍ବଚ୍ଛତା ଆସିଛି। ନଗଦ ଆଦାୟ ବନ୍ଦ କରାଯାଇଛି। ପ୍ରତ୍ୟେକ ୱାର୍ଡକୁ ପିଓଏସ୍‌ ମେସିନ୍‌ ଯୋଗାଇ ଦିଆଯାଇଛି। ନଗଦ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅନେକ ସଂସ୍ଥା ବା ଲୋକ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ବାକି ରଖିଛନ୍ତି। ତାହାର ତାଲିକା ପ୍ରସ୍ତୁତ ହୋଇଛି। ତାହା ସର୍ବସାଧାରଣରେ ପ୍ରକାଶିତ ହେବ। ଏ ପର୍ଯ୍ୟନ୍ତ ୨୪୬ ମାମଲା ହୋଇଛି। ସେଥିରୁ ୪୬ଟି ଫଇସଲା ହୋଇ ଟ୍ୟାକ୍ସ ଆଦାୟ ହୋଇଥିବା ବେଳେ ୨ଶହଟି ଫଇସଲା ପାଇଁ ରହିଛି। ଅନ୍ୟମାନଙ୍କମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଡେପୁଟି ମେୟର, ଅତିରିକ୍ତ କମିସନର ବିନୟ କୁମାର ଦାସ, ଲକ୍ଷ୍କୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର(ଆଇଟି) କମଲଜିତ୍‌ ଦାସ ଓ ଡେପୁଟି କମିସନର ସପନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୨୧-୨୨ଆର୍ଥିକ ବର୍ଷରେ ୧୩୩ କୋଟି ୫୯ ଲକ୍ଷ ୫୦ ହଜାର ୫୪୮ ଟଙ୍କା ଆଦାୟ ହେବାକୁ ଥିବା ବେଳେ ୫୦ କୋଟି ୬୪ ଲକ୍ଷ ୯୮ ହଜାର ୬୫୪ ଟଙ୍କା ଆଦାୟ ହୋଇଛି। ୮୨ କୋଟି ୯୪ ଲକ୍ଷ ୫୧ ହଜାର ୮୯୪ ଟଙ୍କା ବାକି ପଡ଼ିଛି। ସେହିଭଳି ପୂର୍ବରୁ ବର୍ଷକୁ ୨୦ କୋଟିରୁ ୨୫ କୋଟି ଆଦାୟ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍‌ ମାସରୁ ଅଗଷ୍ଟ ୨୬ ଯାଏ ୨୦ କୋଟି ୩୭ ଲକ୍ଷ ୪୫ ହଜାର ୫୮୨ ଟଙ୍କା ଆଦାୟ ହୋଇଛି। ସେହିଭଳି ନୂଆ ହୋଲ୍ଡିଂ ଟ୍ୟାକ୍ସ ଆସେସ୍‌ମେଣ୍ଟ ପୂର୍ବରୁ ବର୍ଷକୁ ୩୦୦ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍‌ ମାସରୁ ଅଗଷ୍ଟ ୨୬ ଯାଏ ୪ ମାସରେ ୩୧୬୪ ଟି ହୋଇଛି।

ସମ୍ବନ୍ଧିତ ଖବର