ଭିକ୍ଷାବୃତ୍ତିରେ ଶିଶୁଙ୍କୁ ନିୟୋଜିତ ଘଟଣା : ଡିସିପିଙ୍କୁ ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ସମ୍ବାଦ ପ୍ରଭାବ

ଭୁବନେଶ୍ବର : ଭିକ୍ଷାବୃତ୍ତି‌ରେ କଅଁଳ ଶିଶୁଙ୍କୁ ନିୟୋଜିତ କରାଯିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। ଏହି ଶିଶୁମାନେ କେଉଁଠାରୁ ଆସୁଛନ୍ତି ଓ ଏମାନଙ୍କ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାର ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବା ଲାଗି ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି କମିସନ୍‌। ରିପୋର୍ଟ ପାଇବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିସନ୍‌ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀରେ ଭିକ୍ଷା ମାଗିବାକୁ କଅଁଳ ଛୁଆଙ୍କୁ ଭଡ଼ାରେ ଲଗାଯାଉଛି। ରୁଗ୍‌ଣ ପତଳା ଛୁଆ ଘଣ୍ଟାକୁ ୨୦ ଟଙ୍କା ଓ ଟିକେ ହୁଷ୍ଟପୁଷ୍ଟ ହେଲେ ଘଣ୍ଟାକୁ ୧୦ ଟଙ୍କା ହିସାବରେ ସେମାନଙ୍କୁ ଭଡ଼ାରେ ଲଗାଯାଉଛି। ଛୋଟ ଛୁଆଙ୍କ ରୁଗ୍‌ଣ ଚେହେରାକୁ ଦେଖାଇ ଲୋକଙ୍କ ସହାନୁଭୂତି ହାସଲ କରୁଛନ୍ତି କିଛି ଦଲାଲ। ଦିନକୁ ପ୍ରାୟ ୧୪ରୁ ୧୫ଘଣ୍ଟା ଏହି କଅଁଳ ଛୁଆମାନେ ଭଡ଼ାରେ ଲାଗୁଛନ୍ତି। ସେମାନଙ୍କୁ ଭଲରେ ଖାଇବାକୁ କି ଶୋଇବାକୁ ଦିଆଯାଉନି। ସେମାନେ କେବଳ ରୋଜଗାରର ମାଧ୍ୟମ ପାଲଟିଛନ୍ତି। ଦଲାଲମାନେ ପିଲାଙ୍କ ବାପା-ମା’ଙ୍କୁ ଭଡ଼ା ପଇସା ଦେଇ ବେଶ୍‌ ମୋଟା ଅଙ୍କର ଟଙ୍କା ସବୁଦିନେ ନେଉଛନ୍ତି। ଛୋଟ ଛୁଆଙ୍କୁ ଭଡ଼ାରେ ପଠାଇ ବାପା-ମା’ ବି ଖୁସ୍। ସେମାନେ ନିର୍ଦ୍ବନ୍ଦ୍ବରେ ଦିନକୁ ୨୮୦ରୁ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ସାଂଘାତିକ ବିଷୟ ହେଲା ଯେ ସେମାନେ ନିଜ ପିଲାକୁ ସବୁବେଳେ ରୁଗ୍‌ଣ ରଖିବାକୁ ଚାହାନ୍ତି। କାରଣ ରୁଗ୍‌ଣ ଦେଖାଗଲେ ହିଁ ଅଧିକ ଭଡ଼ା ଆସିବ। କିଛି ମା’ ନିଜେ ରୁଗ୍‌ଣ ଛୁଆକୁ ମାଧ୍ୟମ କରି ସିଧାସଳଖ ଭିକ୍ଷାବୃତ୍ତି କରୁଛନ୍ତି। ଏମିତି ହୃଦୟବିଦାରକ ଦୃଶ୍ୟ ନିଇତି ରାଜଧାନୀରେ ଦେଖିବାକୁ ମିଳୁଛି। ଏ ସଂପର୍କରେ ଏକ ରିପୋର୍ଟ ଗତ ୧୬ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା। ତେବେ ଏହାକୁ ମାନବାଧିକାର କମିସନ୍‌ ଗୁରୁତ୍ବର ସହ ନେଇଛନ୍ତି। ଭିକ୍ଷାବୃତ୍ତିରେ ଶିଶୁମାନଙ୍କୁ ନିୟୋଜିତ କଲେ ଦଣ୍ଡାଦେଶ ରହିଥିଲେ‌ ହେଁ ଏହାକୁ କାଡ଼ାକଡ଼ି ଭାବେ ଲାଗୁ କରାଯାଉନାହିଁ। ଫଳରେ ଶିଶୁ ଭିକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ରାଜଧାନୀରେ କେତେ ସଂଖ୍ୟକ ଶିଶୁ ଭିକ୍ଷାବୃତ୍ତିରେ ନିୟୋଜିତ ହୋଇଛନ୍ତି, ସେ ସଂପର୍କରେ କମିସନ୍‌ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର