ଆଜି ଭାରତ ବନ୍ଦ : ରାଜଧାନୀରେ ୧୫ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷିନୀତି ପ୍ରତ୍ୟାହାର ଦାବିରେ ୪୦ କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ରାଜଧାନୀ‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ୧୫ ପ୍ଲାଟୁନ୍‌ ଫୋର୍ସ ସହ ୬୦ ଅଫିସର୍‌ଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ଲୋକସେବା ଭବନ, ଖାରବେଳ ଭବନ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ସହରର ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପୁଲିସର କଡ଼ା ପହରା ଦିଆଯିବାକୁ ଯୋଜନା ହୋଇଛି। ଏହି ବନ୍ଦ ପାଳନ ସମୟରେ ଯେପରି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଅଫିସର୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନକାରୀ ଯେଭଳି କୌଣସି ପ୍ରକାରର ହିଂସାରେ ଜଡ଼ିତ ନ ହୁଅନ୍ତି, ସେଥିପାଇଁ ନଜର ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି। ପିକେଟିଂ ଛଡ଼ା ଅନ୍ୟ କୌଣସି ପ୍ରକାରର ହିଂସାକାଣ୍ଡରେ ଆନ୍ଦୋଳନକାରୀ ସାମିଲ ହେଲେ ଗିରଫ କରିବା ପାଇଁ ନିର୍ଦ୍ଦେଶ ରହିଛି। ନିକଟ ଅତୀତରେ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ‌ଖୋଲା ରହିଥିଲା। ସେଗୁଡ଼ିକର ଶୃଙ୍ଖଳିତ ପରିଚାଳନା ପାଇଁ ପୁଲିସ ଉପରେ ଚାପ ରହିଥିଲା। କିନ୍ତୁ ଏଥର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ପାଇଁ ଘୋଷଣା ହୋଇଛି। ଏଣୁ ପୁଲିସ ଉପରେ ଚାପ କମ୍‌ ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର