ଇନ୍‌ଫୋସିଟି ଥାନା ଘେରିଲେ ବସ୍ତିବାସିନ୍ଦା : ଦୁର୍ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଚନ୍ଦ୍ରଶେଖରପୁର : ଉଚ୍ଚ ଶବ୍ଦରେ ମାଇକ୍‌ ବଜାଇବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚିରଗୋଲଟୋଲା ବସ୍ତିର ଶତାଧିକ ମହିଳା ଆଜି ଇନ୍‌ଫୋସିଟି ଥାନା ଘେରାଉ କରିଥିଲେ। ତେବେ ପରିସ୍ଥିତି ଜଟିଳ ହେବା ଆଗରୁ ଆଇଆଇସି ବିଶ୍ୱଜିତ୍‌ ମହାନ୍ତି ମହିଳାମାନଙ୍କୁ ବୁଝାସୁଝା କରିବା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବସ୍ତିରେ ଶିବିର କରିବା ପାଇଁ ଥାନା ପକ୍ଷରୁ କୌଣସି ପ୍ରକାର ଅନୁମତିପତ୍ର ଦିଆଯାଇ ନ ଥିବା ବେଳେ ଶିବିର ଚଲାଉଥିବା ଯୁବକମାନେ କାହିଁକି ଏପରି କରୁଥିଲେ ବୋଲି ସେମାନଙ୍କୁ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଏକ ନିର୍ଦ୍ଦିଷ୍ଟ ଦଳର କିଛି ଯୁବକ ଚିରଗୋଲଟୋଲା ବସ୍ତିରେ ଏକ ଶିବିର ଖୋଲିଥିଲେ। କିନ୍ତୁ ଯୁବକମାନେ ମାଇକ୍‌ ଯୋଗେ ସରକାରୀ ଦଳର ନିନ୍ଦା ପ୍ରଚାର କରୁଥିବାରୁ ସେଠାକାର କିଛି ମହିଳା ଏହାକୁ ବାରଣ କରିଥିଲେ। ମାଇକ୍ ବାଜିବାରୁ ପିଲାମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି ବୋଲି କହିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଘଟଣା ବଢ଼ିଯିବାରୁ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ଆଜି ବସ୍ତିର ଶତାଧିକ ମହିଳା ‌ଶିବିର ଚଳାଉଥିବା ଯୁବକଙ୍କ ବ‌ିରୋଧରେ ଅସଦାଚରଣ ଅଭିଯୋଗ ଆଣି ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଥାନା ଘେରାଉ କରିଥିଲେ। ଏହାସହ ଉଚ୍ଚ ଶବ୍ଦରେ ମାଇକ୍ ନ ବଜାଇବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର