ବିଶ୍ୱ ମହିଳା ଦିବସ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ମହିଳା ଦିବସ : ଜାଗ୍ରତ ମହିଳା ହିଁ ସଶକ୍ତ ମହିଳା

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ମହିଳା ଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ମହିଳା ଶାଖା ସଭାନେତ୍ରୀ ପ୍ରଣତି ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରସ ଓଡ଼ିଶା ଶାଖାର ସଭାପତି, ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ। ୟୁନାଇଟେଡ ଷ୍ଟିଲ ଓ୍ଵାର୍କର୍ସ୍‌ ୟୁନିୟନ୍‌ କାନାଡାର ଶ୍ରମିକ ନେତା ଜର୍ଜ ଗାରସିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାଗ୍ରତ ମହିଳା ହିଁ ସଶକ୍ତ ମହିଳା ବୋଲି କହିଥିଲେ। ସବୁ ଅଧିକାର ହାସଲ ପାଇଁ ଏବେ ବି ତାଙ୍କ ଦେଶ କାନାଡାରେ ସବୁ ମହିଳାମାନଙ୍କୁ ମଧ୍ୟ ରାଜରାସ୍ତାକୁ ଆସି ଲଢ଼େଇ କରିବାକୁ ପଡ଼ୁଛି। ଆନ୍ତର୍ଜାତିକ ନିର୍ମାଣ ଓ ଜଙ୍ଗଲ ଶ୍ରମିକ ମହାସଂଘ, ଦକ୍ଷିଣ ଏସିଆର ଶିକ୍ଷା ନିର୍ଦ୍ଦେଶିକା ପ୍ରେରଣା ପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହିଂସା ଓ ଅନ୍ୟାନ୍ୟ କ୍ଷେତ୍ରରେ ହେଉଥିବା ହିଂସା ପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳର ଅସଂଗଠିତ ଶ୍ରମିକ ସେଲର ଜାତୀୟ ଆବାହକ ମହାରାଷ୍ଟ୍ର ନାଗପୁରର ବିଶିଷ୍ଟ ଶ୍ରମିକ ନେତା ଦାଦାସାହେବ ଡୋଗ୍ରେ, କଂଗ୍ରେସର ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ଧଳ, ବିଦ୍ୟାଧର ମହାନ୍ତି, ଶିଲି ସେଠୀ, ବାସନ୍ତୀ ସାମଲ, କାମିନି ମହାରଣା, ଭାଗ୍ୟଶ୍ରୀ ପ୍ରଧାନ, ମେନେକା ଜେନା, ବିଦ୍ୟୁତ୍‌ ମହାସଂଘର ସାଧାରଣ ସଂପାଦକ ଅକ୍ଷୟ ତ୍ରିପାଠୀ, ଭୁବନ ସାହୁ, ଘନ କୁମାର ସବର, ସରୋଜ ଦାସ, ମାନସ ମହାପାତ୍ର, ମିଟୁ ପରିଡା, କିଶୋର ସ୍ୱାଇଁ, ଅଯୋଧ୍ୟା ସାହୁ, ମାନସ କର, ଯୋଗେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏଲିସ୍‌ ମିଞ୍ଜ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ଓକେସିଏଲ୍‌ର ବିଶ୍ୱ ମହିଳା ଦିବସ

ଭୁବନେଶ୍ୱର : ମହିଳାମାନଙ୍କର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ମନେ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଓକେସିଏଲ୍‌ ସାରା ରାଜ୍ୟରେ ୫୦୦ରୁ ଊର୍ଧ୍ୱ ସୀକୃତିପ୍ରାପ୍ତ ତାଲିମ୍‌ କେନ୍ଦ୍ରରେ ମାର୍ଚ୍ଚ ୧ରୁ ୮ତାରିଖ ପର୍ଯ୍ୟନ୍ତ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି। ମନୁଷ୍ୟ ଭାବରେ ନାରୀ ଓ ପୁରୁଷ ଭିନ୍ନ ନୁହନ୍ତି, କିନ୍ତୁ ବାସ୍ତବରେ ଦେଖିଲେ ମହିଳା ଶକ୍ତି ହିଁ ଅସୀମ ଶକ୍ତି। ଏହି ଉକ୍ତିକୁ ଓକେସିଏଲ୍‌ ହୃଦୟଙ୍ଗମ କରି ମହିଳାମାନଙ୍କ ନିକଟରେ ପ୍ରଯୁକ୍ତି ବିଦ୍ୟା ସହ ପରିଚୟ କରାଇ ଆହୁରି ଅଧିକ ସଶକ୍ତ କରି ସମାଜର ମୁଖ ସ୍ରୋତରେ ସାମିଲ୍‌ କରିବାକୁ ଉତ୍ସାହିତ କରିଛି। ଗ୍ରାମାଞ୍ଚଳ ମହିଳାମାନଙ୍କୁ ସମାଜରେ ସାମିଲ କରିବା ପାଇଁ ସାରାରାଜ୍ୟରେ ଥିବା ୫୦୦ ସୀକୃତିପ୍ରାପ୍ତ ତାଲିମ୍‌ କେନ୍ଦ୍ର ମାଧ୍ୟମରେ ଲକ୍ଷ୍ୟ ରଖିଛି। ଏହି ତାଲିମ୍‌ କେନ୍ଦ୍ର ସ୍ଥାନୀୟ ମହିଳା, ସ୍ୱୟଂ ସହାୟକ ସଂଘ, ଗୃହିଣୀମାନଙ୍କୁ ନିଜ କେନ୍ଦ୍ର ନିମନ୍ତ୍ରଣ କରାଇ ସେମାନଙ୍କୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହ ପରିଚିତ କରାଇବାର ଏକ ପ୍ରୟାସ କରିଥିଲେ।

ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର : ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ପ୍ରେସ୍‌ ଫର୍‌ ଚେଞ୍ଜ’ ଥିମ୍‌କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଡ. ସ୍ୱପ୍ନା ମହାପାତ୍ର, ସିଫାର ଡ. କାନ୍ତା ଦାସ ମହାପାତ୍ର, ସାମାଜିକକର୍ମୀ ନମ୍ରତା ଚଢା ପ୍ରମୁଖ ଯୋଗ ଦେଇଥିଲେ। ସଶକ୍ତକରଣ ମାଧ୍ୟମରେ ଲିଙ୍ଗଗତ ଅସମାନତା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ଅନୁଷ୍ଠାନର ନିର୍ଦେଶକ ଡ. ଅଜୟ ପରିଡ଼ା ଆଲୋଚନାଚକ୍ର ସଞ୍ଚାଳନ କରିଥିଲେ। ଡ. ମାମୋନି ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର