ପରିଚୟ ଫାଉଣ୍ଡେସନ୍‌ର ‘ଆର୍ଯ୍ୟା ସମ୍ମାନ’ ସମାରୋହ: କୁମ୍‌କୁମ୍‌ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଉଦ୍ୟୋଗିତାରେ ତନୟା, ଭାଷା ଓ ସାହିତ୍ୟରେ ଗାୟତ୍ରୀବାଳା ସମ୍ମାନିତ

ଭୁବନେଶ୍ବର: ଭାରତୀୟ କଳା ଓ ସଂସ୍କୃତିକୁ ସୁଦୂରପ୍ରସାରୀ କରିବା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବାରେ କାର୍ଯ୍ୟରତ ‘ପରିଚୟ ଫାଉଣ୍ଡେସନ୍’ ପକ୍ଷରୁ ଆଜି ‘ଆର୍ଯ୍ୟା ସମ୍ମାନ’ ସମାରୋହର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଗାୟତ୍ରୀବାଳା ପଣ୍ଡାଙ୍କୁ ଭାଷା, ସାହିତ୍ୟ ପାଇଁ ଓ ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କୁ ଉଦ୍ୟୋଗିତା କ୍ଷେତ୍ରରେ ସଫଳତା ପାଇଁ ଆର୍ଯ୍ୟା ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଅନ୍ୟ ୧୬ଜଣ ମହିଳାଙ୍କୁ ଆର୍ଯ୍ୟା ସମ୍ମାନରେ ସମ୍ମାନିତ କରାଯାଇଥିଲା। କଳା ଓ ସଂସ୍କୃତି କ୍ଷେତ୍ରରେ ବିଜୟା ଆମୁଜୁରେ, ସମାଜସେବା କ୍ଷେତ୍ରରେ ଗୀତାଞ୍ଜଳି ରାଉତ ଓ ବିଜେତା ରାଣାଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି ବନ୍ୟଜନ୍ତୁ ସଂରକ୍ଷଣରେ ସସ୍ମିତା ଲେଙ୍କା, ଏନ୍‌ଆର୍‌ଓରେ ଗୀତା ଦାସ, ଶିକ୍ଷା ଓ ଗବେଷଣାରେ ସୁଚେତା ପ୍ରିୟବାଦିନୀ, ସଙ୍ଗୀତରେ ଲୋପିତା ମିଶ୍ର ଓ ନାଜିଆ ଆଲାମ୍, ସ୍ବତନ୍ତ୍ର ଆବୃତିରେ ଭାଗ୍ୟଶ୍ରୀ ସାହୁ ଓ ଅମିତା ସିଂହ, କ୍ରୀଡ଼ାରେ ଶ୍ରୀମତୀ ଭୂୟାଁ ଓ ଜୟନ୍ତୀ ବେହେରା, ଚିକିତ୍ସା ବିଜ୍ଞାନ, ମନୋରଂଜନ, ଗଣମାଧ୍ୟମରେ ଯଥାକ୍ରମେ ଲୋଟସ୍ ମିଶ୍ର, ରିଆ ରେଶ୍ମା ବାରି ଓ ଜୟନ୍ତୀ ବାରୁଦ, ସ୍ବତନ୍ତ୍ର ବିଭାଗରେ ସୁଚରିତା ରଥଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି ଏସ୍‌ବିଆଇ ଭୁବନେଶ୍ବର ଶାଖାର ମୁଖ୍ୟ ରୁମା ଦେ ଓ ଏ.ବି.ରଥଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ହୋଟେଲ୍ କ୍ରାଉନ୍‌ରେ ଅନୁଷ୍ଠିତ ଏହି ସମାରୋହରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ, ପ୍ରଖ୍ୟାତ ଓଡ଼ିଶୀ ଶିଳ୍ପୀ କୁମ୍‌କୁମ୍ ମହାନ୍ତି, କଥକ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ, ସମାଜସେବୀ ନମ୍ରତା ଚଢ଼ା ଓ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ଶୋଭନା ନାରାୟଣ କଥକ ନୃତ୍ୟ ମାଧ୍ୟମରେ ମହାଭାରତର କଥାବସ୍ତୁ ଚିତ୍ରଣ କରିଥିଲେ। ଏହି ଅବସରରେ ନୂତନ ଚିନ୍ତାଧାରାକୁ ନେଇ ‘ପରିଣିତି ହସ୍ତଶିଳ୍ପ’ ନୂଆ କରି ଆରମ୍ଭ ହୋଇଥିଲା। ପରିଣିତିର ମୁଖ୍ୟ ଶ୍ବେତା ହୋତା ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର