ବ୍ୟାଙ୍କ କର୍ମଚାରୀଙ୍କ କବ୍‌ଜାରେ ଜଗନ୍ନାଥଙ୍କ ଜମି: ୧୧ ବର୍ଷ ‌ହେବ ମାଡ଼ିବସିଛନ୍ତି

ଭୁବନେଶ୍ବର: ରସୁଲଗଡ଼ କେନାଲ୍‌ରୋଡ୍‌ ବାସୁଦେବନଗର ଅଞ୍ଚଳରେ ଥିବା ଜଗନ୍ନାଥଙ୍କ ଜମିକୁ ନେଇ ବିବାଦ ଦେଖାଦେଇଛି। କେହି ସାଧାରଣ ଲୋକ ନୁହେଁ ଜଣେ ବ୍ୟାଙ୍କ କର୍ମଚାରୀ ଜମିକୁ ନିଜ କବ୍‌ଜାକୁ ନେଇଛନ୍ତି। ଆଉ ଗତ ୧୧ ବର୍ଷରୁ ଊର୍ଧ୍ବ ହେବ ସେ ବେଆଇନ୍‌ ଭାବେ ଜମିକୁ ଦଖଲ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜୁଛି। ବିବାଦ ଏବେ ଥାନାରୁ ଡିସିପିଙ୍କ କୋର୍ଟରେ ପହଞ୍ଚିଛି।

ସୂଚନା ମୁତାବକ, ସ୍ଥାନୀୟ ବାସୁଦେବନଗର ଅଞ୍ଚଳରେ ଥିବା ବାସୁଦେବ ମନ୍ଦିରକୁ ଲାଗି ଜଗନ୍ନାଥଙ୍କ ୪ଶହ ଡିସିମିଲିରୁ ଅଧିକ ଜମି ରହିଛି। ଯାହାକି ମନ୍ଦିର ମାର୍ଫତଦାରଙ୍କ ହେପାଜତରେ ଥିଲା। ୨୦୦୩ ମସିହାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଜମି ମାର୍ଫତଦାରଙ୍କ ଠାରୁ ପୁରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ନାମକୁ ଚାଲିଯାଇଥିଲା। ହେଲେ ୨୦୦୯ ମସିହାରେ ଜଣେ ବ୍ୟାଙ୍କ କର୍ମଚାରୀ ଚଞ୍ଚକତା କରି ମାର୍ଫତଦାରଙ୍କ ଠାରୁ ଶାଗମାଛ ଦରରେ ଜମି ହାତେଇ ନିଜ ନାମରେ କରିଥିଲେ। ଆଉ ସେଠାରେ ନିଜର ଦବ୍‌ଦବା ଜାହିର କରିଥିଲେ। ଜମି ଉପରକୁ କାହାକୁ ଛାଡ଼ି ନଥିଲେ। ଯାହାକୁ ନେଇ ବାସୁଦେବନଗର ୱେଲ୍‌ଫେୟାର ସଂଘ ପକ୍ଷରୁ ସଭାପତି ସୁମନ୍ତ ନାୟକ ଓ ସମ୍ପାଦକ ଉମେଶ ଦାସ ମ‌ଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ମଧ୍ୟ ବିବାଦର ସମାଧାନ ହୋଇପାରି ନଥିଲା। ବିବାଦ ନଥମିବାରୁ ସେଠାରେ ୧୪୪ ଧାରା ଜାରି ପାଇଁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର