ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା ନେଇ ତତ୍ପରତା

ଏବେ ଉଚ୍ଛେଦ ହେବନି ସାଲିଆସାହି, ୩୦ଏକର ଜଙ୍ଗଲ ଜମି କିସମ ବଦଳିବ

ସ୍ଥାନାନ୍ତର ହେବ ବାରମାଣ ୟୁପି ସ୍କୁଲ
୧୨.୩୨୯ ଏକର ଘରୋଇ ଜମି ଅଧିଗ୍ରହଣ ହେବ

ଚନ୍ଦ୍ରଶେଖରପୁର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବା ଲାଗି ବାମ ପାର୍ଶ୍ବରେ ନିର୍ମାଣ ଚାଲିଥିବା ସମାନ୍ତରାଳ ରାସ୍ତା ବାଟ ଫିଟାଇବାକୁ ଆରମ୍ଭ ହୋଇଛି ତତ୍ପରତା। କାମ କିଭଳି ଅଧିକ ତ୍ବରାନ୍ବିତ ହୋଇପାରିବ ସେନେଇ ସରକାରୀସ୍ତରରେ ବ୍ୟାପକ ବିଚାରବିମର୍ଶ କରାଯାଇଛି। ବିଶେଷକରି ରାସ୍ତା କାମ ଲାଗି ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବାରୁ ତାହା କିଭଳି ଶୀଘ୍ର ସମାଧାନ ହୋଇପାରିବ ସେନେଇ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ସୁନ୍ଦରପୁର ମୌଜାରେ ଥିବା ବାରମାଣ ୟୁପି ସ୍କୁଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯିବା ସହ ଏବେ ସାଲିଆସାହିକୁ ଉଚ୍ଛେଦ ନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ୧୨.୩୨୯ ଏକର ଘରୋଇ ଜମି ଅଧିଗ୍ରହଣ ନେଇ ମଧ୍ୟ ନକ୍ସା ପ୍ରସ୍ତୁତ କରିବାକୁ କୁହାଯାଇଛି।

ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗତକାଲି ପୂର୍ତ୍ତ ବିଭାଗ ଉପ ସଚିବ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ନିଷ୍ପତ୍ତି ହୋଇଛି ଯେ ବାମ ପାର୍ଶ୍ବରେ ନିର୍ମାଣ ଚାଲିଥିବା ଏହି ସମାନ୍ତରାଳ ରାସ୍ତା ଲାଗି ସାଲିଆସାହିରେ ପ୍ରାୟ ୧.୯୬୧ ଏକର ଜମିରୁ ଜବରଦଖଲ ହଟାଇବାକୁ ପଡ଼ିବ। ତେବେ ଏବେ ସ୍ଥିତି ସ୍ବାଭାବିକ ନ ଥିବାରୁ ସାଲିଆସାହିକୁ ଉଚ୍ଛେଦ କରାଯିବ ନାହିଁ। ବରଂ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ହେବା ପରେ ଭୁବନେଶ୍ବର ଆର ଆଣ୍ଡ୍‌ ବି-୩ର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କର୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାସ୍ତା ନିର୍ମାଣ ବେଳେ ସୁନ୍ଦରପୁର ମୌଜାରେ ୪୦ ଡେସିମିଲ୍‌ ଜାଗାରେ ଥିବା ବାରମାଣ ୟୁପି ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିବ। ଏଥିପାଇଁ ସ୍କୁଲ ନିକଟରେ ଥିବା ୧୦୦ ଡିସିମିଲ୍‌ ଜମି ଚିହ୍ନଟ ହୋଇଛି। ସେଠାକୁ ସ୍କୁଲ ସ୍ଥାନାନ୍ତର ହେବାକୁ ଥିବାରୁ ଏ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ, ଭୁବନେଶ୍ବର ତହସିଲଦାର ଓ ଭୁବନେଶ୍ବର ଆର୍‌ ଆଣ୍ଡ ବି ଡିଭିଜନ୍‌-୩ର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ରାସ୍ତା ନିର୍ମାଣରେ ୧୨. ୩୨୯ ଏକର ଘରୋଇ ଜମି ରହିଛି। ତାହାକୁ ଅଧିଗ୍ରହଣ କରିବା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜମି ମାଲିକଙ୍କ ଥଇଥାନ ଓ ପୁନର୍ବସତି ଯୋଜନାରେ ଅର୍ଥ ଦେବା ନେଇ ଭୁବନେଶ୍ବର ଉପ ଜିଲ୍ଲାପାଳ ଆସନ୍ତା ୫ ତାରିଖ ସୁଦ୍ଧା ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ଏହାପରେ ବିଭାଗୀୟ ଯୁଗ୍ମ ସଚିବ ଜମି ଅଧିଗ୍ରହଣ ପ୍ରସ୍ତାବକୁ ଯାଞ୍ଚ କରିବା ସହ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବାକୁ ଖୋର୍ଧା ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ।

ସବୁଠାରୁ ବଡ଼ ସମସ୍ୟା ‌ସୃଷ୍ଟି କରିଛି ଜଙ୍ଗଲ ଜମି। ୩୦ ଏକର ଜଙ୍ଗଲ ଜମିରେ ଏହି ରାସ୍ତା ଯିବାକୁ ଥିବାରୁ ଜମିର କିସମ ପରିବର୍ତନ କରିବାର ଆବଶ୍ୟକତା ରହିଛି। ଏନେଇ ଭୁବନେଶ୍ବର ଆର ଆଣ୍ଡ୍‌ ବି-୩ ପକ୍ଷରୁ ଜଙ୍ଗଲ ଜମି ସମ୍ପର୍କରେ ଏକ ନୀଳ ନକ୍ସା ପ୍ରସ୍ତୁତ କରାଯାଇ ଭୁବନେଶ୍ବର ତହସିଲ୍‌ଦାରଙ୍କୁ ପ୍ରଦାନ କରାଯାଇଥିଲା। ତେବେ ତହସିଲଦାର ଜଣାଇଛନ୍ତି ଯେ ଭୁବନେଶ୍ବର ତହସିଲ୍‌ ଅଞ୍ଚଳରେ ଏତେ ସଂଖ୍ୟକ ଖାଲି ଜମି ମିଳିବା କଷ୍ଟକର ହେଉଛି। ତେଣୁ ଖୋର୍ଧା ଜିଲ୍ଲାର ଅନ୍ୟ କୌଣସି ତହସିଲ୍‌ରେ ୩୦ ଏକର ଜମି ଚିହ୍ନଟ କରାଯାଇ ସେଠାରେ ବନୀକରଣ କରାଯାଉ। ଏଭଳି ପ୍ରସ୍ତାବ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଖୋର୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇ କୁହାଯାଇଛି ଯେ ଫେବ୍ରୁଆରି ୫ ସୁଦ୍ଧା ଗ୍ରାମାଞ୍ଚଳ ତହସିଲ୍‌ରେ ୩୦ ଏକର ଜମି ଚିହ୍ନଟ କରି ସେଠାରେ ବନୀକରଣ କରିବା ଦିଗରେ ପଦକ୍ଷେପ ନିଆଯାଉ। ପଥରଗାଡ଼ିଆ ନିକଟରେ ଯିବାକୁ ଥିବା ୩ କିମି ରାସ୍ତା ନିର୍ମାଣ ଏବେ ସମସ୍ୟା ସୃଷ୍ଟି କରିଛି। ତେଣୁ ଭୁବନେଶ୍ବର ଆର ଆଣ୍ଡ୍‌ ବି-୩ର କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ସମେତ ଭୁବନେଶ୍ବର ତହସିଲ୍‌ଦାର ଓ ଖୋର୍ଧା ଏଲ୍‌ଏଓ ମିଳିତ ଭାବେ ପୁରାତନ ଷ୍ଟ୍ରକ୍‌ଚରଗୁଡ଼ିକ ଚିହ୍ନଟ କରି ୫ ତାରିଖ ସୁଦ୍ଧା ପୂର୍ତ୍ତ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ। ଏହାପରେ ଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର