ଦାଦାବଟି ନ ଦେବାରୁ ବୁଲ୍‌ଡୋଜର ଲଗାଇ ସୋ’ରୁମ୍‌ ଭାଙ୍ଗିଲେ

ଭୁବନେଶ୍ବର: ଦାଦାବଟି ନ ଦେବାରୁ ବୁଲ୍‌ଡୋଜର୍‌ ଲଗାଇ ନୂଆ ସୋ’ରୁମ୍‌ ଭାଙ୍ଗିଦେଲେ। ଆଉ ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନୂଆ ମେସିନ୍‌ ଏବଂ କେତେକ ଜିନିଷ ନେଇଗଲେ। ଏଭଳି ଏକ ଘଟଣା ଘଟିଛି କେଶୁରା ଅଞ୍ଚଳରେ। ଏନେଇ ସୋ’ରୁମ୍‌ ମାଲିକ ସୁଜିତ୍ ସ୍ବାଇଁ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ଜାନୁଆରି ୭ ତାରିଖରେ ଝାରପଡ଼ା ଅଞ୍ଚଳର କେତେକ ଯୁବକ ତାଙ୍କୁ ୫ଲକ୍ଷ ଟଙ୍କା ବଟି ମାଗିଥିଲେ। ହେଲେ ସେ ବଟି ନ ଦେବାରୁ ଯୁବକମାନେ ତାଙ୍କ ବାପାଙ୍କୁ ମାଡ଼ ମାରିବା ସହ ସୋ’ରୁମ୍‌ ଭାଙ୍ଗିଦେବାକୁ ଧମକ ଦେଇଥିଲେ। ତେବେ ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟାରେ ସେ କେଶୁରାସ୍ଥିତ ସୋ’ରୁମ୍‌ରେ ଶୋଇଥିଲେ। ଏହି ସମୟରେ ହଠାତ୍‌ ୧୦ରୁ ୨୦ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସୋ’ରୁମ୍‌ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେ କିଛି ବୁଝିବା ପୂର୍ବରୁ ଯୁବକମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଲକ୍ଷ ଟଙ୍କା ମୂଲ୍ୟର ମେସିନ୍‌ ଏବଂ କେତେକ ଜିନିଷପତ୍ର ନେଇଯାଇଥିଲେ। ଏହାପରେ ସାଙ୍ଗରେ ଆଣିଥିବା ଏକ ନମ୍ବର ବିହୀନ ବୁଲ୍‌ଡୋଜର୍‌ ଲଗାଇ ସୋ’ରୁମ୍‌କୁ ଭାଙ୍ଗି ଦେଇଥିଲେ। ଏଥିରେ ପାଖାପାଖି ୪୦ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର