ରାତି ଅଧରେ ଜମି ଜବରଦଖଲ ଉଦ୍ୟମ

ଜେସିବି ଜବତ, ଚାଳକ ଅଟକ

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ କଟକରୋଡ ବମିଖାଲ ନିକଟରେ ଏକ ଜମିକୁ କିଛି ବ୍ୟକ୍ତି ଶୁକ୍ରବାର ରାତି ଅଧରେ ଜୋର ଜବରଦସ୍ତ ଦଖଲ ଉଦ୍ୟମ କରିଛନ୍ତି। ଦୀର୍ଘ ଦିନ ଧରି ଉକ୍ତ ଜମିରେ ଥିବା ଏକ ଆଜବେଷ୍ଟସ ଘରକୁ ଜେସିବି ଲଗାଇ ଭାଙ୍ଗି ଦେବାକୁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏନେଇ ସେହି ଘରେ ରହୁଥିବା ସନ୍ତୋଷ ପ୍ରସାଦ ପୁଲିସ କଣ୍ଟ୍ରୋଲ ରୁମ୍‌ ଓ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବିକୁ ଜବତ କରିବା ସହିତ ଏହାର ଚାଳକଙ୍କୁ ଅଟକ ରଖିଛି। ସନ୍ତୋଷଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋରେ କିଛି ଲୋକ ଆସିଥିଲେ। ସେମାନେ ସାଙ୍ଗରେ ଏକ ଜେସିବି ମଧ୍ୟ ନେଇ ଆସିଥିଲେ। ସନ୍ତୋଷ ଓ ତାଙ୍କ ପରିବାର ଲୋକେ ଶୋଇଥିବାବେଳେ ଏହି ଲୋକମାନେ ଆଜବେଷ୍ଟସ ଘରକୁ ଜେସିବି ଲଗାଇ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଶବ୍ଦ ଶୁଣି ସନ୍ତୋଷ ବାହାରକୁ ଆସି ଡରି ଯାଇଥିଲେ ଏବଂ ତୁରନ୍ତ ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ଏ ସମ୍ପର୍କରେ ସହିଦନଗର ଥାନା ପୁଲିସ କହିଛି ଜମିଜମା ବିବାଦକୁ ନେଇ ଏଭଳି ଘଟଣା ଘଟିଛି। ପୁଲିସ ଜେସିବି ଜବତ କରିବା ସହିତ ଚାଳକକୁ ଅଟକ ରଖିଛି। ସନ୍ତୋଷଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର