ଲୁଟେରାଙ୍କ ନଜରରେ ଗହଣା ଦୋକାନୀ

ଭୁବନେଶ୍ବର: ଗତ କିଛି ମାସ ହେଲା ହାର୍ଡକୋର୍‌ ଲୁଟେରାମାନେ ରାଜଧାନୀରେ ଗହଣା ଦୋକାନୀମାନଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ପାଟ୍‌ କରୁଛନ୍ତି। କେତେବେଳେ ସଟର୍‌ ତାଡ଼ି ଲୁଟୁଛନ୍ତି ତ କେତେବେଳେ ବନ୍ଧୁକ, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ବ୍ୟବହାର କରି ଲୁଟୁଛନ୍ତି। ଗତ ମାସକ ଭିତରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଦୁଇ ଜୁଏଲର୍ସଙ୍କୁ ଲୁଟି ସାରିଲେଣି। ମାତ୍ର ପରିତାପର କଥା ପୁଲିସ ଏଭଳି ଲୁଟେରାମାନଙ୍କୁ ଟାର୍ଗେଟ୍‌ କରୁଥିଲେ ବି କାହାକୁ ଗିରଫ କରିପାରୁନାହିଁ। ରାଜଧାନୀରେ ପୁଲିସ କିଛି କୁଜି ଲୁଟେରାମାନଙ୍କୁ ଗିରଫ କରି ବାହାବା ନେଉଥିବା ବେଳେ ଗୁଳି ମାଡ଼ କରୁଥିବା ଲୁଟେରାମାନଙ୍କ ପତ୍ତା ପାଉନାହିଁ। ଫଳରେ ଦିନକୁ ଦିନ ଏହି ଲୁଟେରାମାନେ ଦିନ ବେଳା‌ ବି ଗୁଳି ଫୁଟାଇ ଲୁଟ୍‌ କରିବାକୁ ପଛାଉନାହାନ୍ତି।

ଗତ ୬ ମାସ ହେଲା ସ୍ମାର୍ଟ ସିଟି ଭୁବନେଶ୍ବରରେ ଆଇନଶୃଙ୍ଖଳା ସ୍ଥିତି ସଂଗିନ୍ ସ୍ତରରେ ପହଞ୍ଚିଛି। କେଉଁଠି ରାତାରାତି ଲୁଟେରାମାନେ ଦୋକାନ ସଟର କାଟି କଳାକନା ବୁଲାଉଛନ୍ତି ତ କେଉଁଠି ଦିନ ଦି’ପହରରେ ଖଣ୍ଡା, ଭୁଜାଲିରେ ଆକ୍ରମଣ କରି ଲୋକଙ୍କୁ ଲୁଟ୍‌ କରୁଛନ୍ତି। ତେବେ କେବଳ ଗତ ୬ମାସ ମଧ୍ୟରେ ରାଜଧାନୀରେ ୧୨ରୁ ଅଧିକ ସୁନା ଦୋକାନ ଓ ସୁନା ନେଇ ଦୋକାନରୁ ଘରକୁ ଫେରୁଥିବା ବେଳେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଲୁଟୁଛନ୍ତି ଲୁଟେରା। ଥରେ କି ଦି’ ଥର ନୁହେଁ, ଗତ ୬ ମାସ ମଧ୍ୟରେ ବାରମ୍ବାର ଏଭଳି ଲୁଟୁଛନ୍ତି ଲୁଟେରାମାନେ। ମାତ୍ର ପୁଲିସ ସେମାନଙ୍କୁ ଠାବ କରିପାରୁନଥିବାରୁ କମିସନରେଟ୍ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ଏହି ୧୨ରୁ ଅଧିକ ଲୁଟ୍ ମଧ୍ୟରୁ କେବଳ ଖଣ୍ଡଗିରିସ୍ଥିତ ଶ୍ରୀଲକ୍ଷ୍ମୀନାରାୟଣ ଜୁଏଲର୍ସ ଓ ତାଙ୍କ ମାଲିକ ଓମ୍ ପ୍ରକାଶ ସାହୁଙ୍କ ଉପରେ ମୋଟ ୪ଥର ଆକ୍ରମଣ ଓ ଲୁଟ୍ ଉଦ୍ୟମ ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ତାଙ୍କ ଦୋକାନରୁ ୭୦ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ବେଳେ ତାଙ୍କ ଵାର୍କସପ୍‌ରୁ ମଧ୍ୟ ଲୁଟ୍ ଉଦ୍ୟମ ହୋଇଥିଲା। ଏହା ପରେ ଗତ ମାର୍ଚ୍ଚ ୩ ଓ ଚଳିତ ମାସରେ ଲୁଟେରାମାନେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରି ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ସମସ୍ତ ଘଟଣାରେ ଖଣ୍ଡଗିରି ପୁଲିସ ହାତ ଖାଲି ରହିଛି।

ସେହିଭଳି ଗତ ମାର୍ଚ୍ଚ ମାସରେ ଯାଁଳା ବଜାରରେ ଥିବା ସାଗରିକା ଜୁଏଲର୍ସରେ ୨ଜଣ ଲୁଟେରା ଦିନ ଦି’ପହରରେ ଗୁଳି ଫୁଟାଇ ପ୍ରାୟ ୩୦ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଥିଲେ। ଏହି ଘଟଣାରେ ମଧ୍ୟ ଯାଁଳା ପୁଲିସର ହାତ ଖାଲି ରହିଛି। ଖାଲି ଏତିକି ନୁହେଁ, ମଞ୍ଚେଶ୍ବର ଥାନାରେ ହୋଇଥିବା ଗୁଳିକାଣ୍ଡ, ଜଳେଶ୍ବର ଵାର୍କସପରେ ସଟର୍ କାଟି ଗହଣା ଲୁଟ୍ ଉଦ୍ୟମ ଏହି କ୍ରମରେ ପ୍ରାୟ ୧୨ରୁ ଅଧିକ ସୁନା ଦୋକାନୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଲୁଟେରା ଲୁଟ୍ ପାଟ୍ କରୁଥିବା ବେଳେ ପୁଲିସ ହାତ ଖାଲି ରହିଛି। ସେହିଭଳି ଲକ୍ଷ୍ମୀସାଗରରେ ପେଟ୍ରୋଲ ପମ୍ପରେ ଗୁଳିକାଣ୍ଡ, ଘରେ ପଶି ଡକାୟତି, ଭୋର୍‌ରୁ ଗୁଳି ଫୁଟାଇ ୫ରୁ ଅଧିକ ଛିନ୍‌ତାଇ ଭଳି ମାଳମାଳ ଗୁଳିକାଣ୍ଡ ଜନିତ ମାମଲାରେ ପୁଲିସ ଅପରାଧୀଙ୍କ ଟେର୍ ପାଇନାହିଁ। ଆଜି ରାତିରେ ପୁଣି ୩/୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଯାଁଳା ବଜାରର ଜଣେ ଗହଣା ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ କରିଥିଲେ।

୨ ରାଉଣ୍ଡ ଗୁଳିମାଡ଼ରେ ଗହଣା ଦୋକାନୀଙ୍କ ପୁଅ ଲୋକନାଥ ସୁବୁଦ୍ଧି ଗୁରୁତର ହୋଇଛନ୍ତି। ଏମିତିକି ଦୁର୍ବୃତ୍ତମାନେ ଖସିଯିବା ପାଇଁ ଆଉ ୬ ରାଉଣ୍ଡ ଗୁଳି ଫୁଟାଇଛନ୍ତି। ଯଦି ମାର୍ଚ୍ଚ ମାସ ଗୁଳିମାଡ଼ ଓ ଲୁଟ୍‌ ମାମଲାରେ ପୁଲିସ ସଫଳ ହୋଇଥାନ୍ତା, ତେବେ ଆଜିର ମାମଲା ଘଟିନଥାନ୍ତା ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହିସବୁ ଆପରାଧିକ ମାମଲାରୁ ପୁଲିସର ପାଟ୍ରୋଲିଂ ବ୍ୟବସ୍ଥା ପୂରା ଦୁଃସ୍ଥ ଓ ହୁଗୁଳି ଯାଇଛି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟା ମିଳିଛି।

ସମ୍ବନ୍ଧିତ ଖବର