‘ଜୀବନ ବହୁରୂପୀ’ର ଦ୍ବିତୀୟ ସଂସ୍କରଣ ଲୋକାର୍ପିତ, କଳ୍ପନା ନୁହେଁ ଜୀବନର ଅନୁଭବ ବଖାଣିଛି ପୁସ୍ତକ

ଭୁବନେଶ୍ବର: ସ୍ବର୍ଗତ ଉମାକାନ୍ତ ମହାପାତ୍ରଙ୍କ ଲିଖିତ ଗଳ୍ପ ପୁସ୍ତକ ‘ଜୀବନ ବହୁରୂପୀ’ର ଦ୍ବିତୀୟ ସଂସ୍କରଣ ଲୋକାର୍ପିତ ହୋଇଯାଇଛି। ୟୁଏ କଥାଚିତ୍ର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରେସ୍‌ କ୍ଲବ୍‌ ପରିସରରେ ଆୟୋଜିତ ଏକ ସାରସ୍ବତ ସଭାରେ ବିଶିଷ୍ଟ କବି ରମାକାନ୍ତ ରଥ ଓ ବିଶି‌ଷ୍ଟ ଗାଳ୍ପିକ ବିଭୂତି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବହିକୁ ଲୋକାର୍ପଣ କରିଛନ୍ତି। ରମାକାନ୍ତ ରଥ ନିଜ ବଡ଼ ଭାଇ ଉମାକାନ୍ତ ମହାପାତ୍ରଙ୍କ ଲେଖକ ଜୀବନ ବାବଦରେ ସମ୍ୟକ ଆଲୋକପାତ କରିଥିଲେ। ବିଭୂତି ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସାହିତ୍ୟିକା ଅର୍ଚନା ନାୟକ ଉନ୍ମୋଚିତ ପୁସ୍ତକର ୧୬ଟି ଗପ ମଧ୍ୟରୁ ୧୪ଟି ଗପ ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ସ୍ବର୍ଗତ ଉମାକାନ୍ତ ମହାପାତ୍ର କଳ୍ପନା ଆଧାରରେ ନଲେଖି ଜୀବନର ଅନୁଭବକୁ ନିଜ ଲେଖା ମାଧ୍ୟମରେ ପ୍ରତିଫଳିତ କରିଥିଲେ ବୋଲି ଅତିଥିମାନେ କହିଥିଲେ। ସ୍ବର୍ଗତ ମହାପାତ୍ରଙ୍କ ୨୦ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକାଶକ ଅଶୋକ ମହାପାତ୍ର ଏବଂ ମହେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଯାବତ ସ୍ବର୍ଗତ ମହାପାତ୍ରଙ୍କର ୯ଟି ପୁସ୍ତକ ପ୍ରକାଶ ପାଇସାରିଥିବା ବେଳେ ଏହାକୁ ୨ଟି ଗ୍ରନ୍ଥାବଳୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସୂଚନାଯୋଗ୍ୟ ଏହି ଗଳ୍ପ ବହିର ପ୍ରଥମ ଗଳ୍ପ ‘ଯୋଶେଫ୍‌’କୁ ନେଇ ତାଙ୍କ ପୁତ୍ର କ୍ୟା‌ପ୍‌ଟେନ୍‌ ଅଶୋକ ମହାପାତ୍ର ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରିଛନ୍ତି।

ସମ୍ବନ୍ଧିତ ଖବର