ଟାଟା କମ୍ପାନି ଚାକିରି ନାଁରେ ଶହଶହ ଆଶାୟୀଙ୍କୁ ଠକେଇ, ଖଣ୍ଡଗିରି ଥାନାରେ ୨୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ନିଯୁକ୍ତି ପତ୍ର, ପରିଚୟପତ୍ର ସବୁ କିଛି ଜାଲ୍
ସାରା ଦେଶରୁ ୩ ହଜାର ପିଲାଙ୍କୁ ଠକିଛି ଗ୍ୟାଙ୍ଗ୍‌ ମୁଖ୍ୟ

ଭୁବନେଶ୍ବର : ରାଜଧାନୀରେ ଜାଲ ବିଛାଇଛନ୍ତି ଠକ। ଚାକିରି ନାଁରେ କୋଟି କୋଟି ଟଙ୍କା ଚଳୁ କରୁଛନ୍ତି। ରେଳବାଇ, ପୋଷ୍ଟାଲ ପରେ ଏବେ ଟାଟା ପାଵାର ଓ ଷ୍ଟିଲ୍‌ରେ ଚାକିରି ନାଁରେ ବିପୁଳ ପରିମାଣର ଠକେଇ ସାମ୍ନାକୁ ଆସିଛି। ଏନେଇ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଭକ୍ତମଧୁନଗର ଅଞ୍ଚଳରେ ରହୁଥିବା ଜଗତସିଂହପୁରର ସତ୍ୟଜିତ ବେହେରା ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ତାଙ୍କ ସହ ଠକାମିର ଶିକାର ହୋଇଥିବା ଆଉ ୭ ଜଣଙ୍କ ନାଁ ମଧ୍ୟ ରହିଛି। ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଚୈତାଳି ସାରା ଦେଶରୁ ୯ ବର୍ଷ ଭିତରେ ୩ ହଜାରରୁ ଅଧିକ ଚାକିରି ଆଶାୟୀଙ୍କୁ ଠକିଥିବା ଜଣାପଡ଼ିଛି। ପୁଲିସ ଏନେଇ ତନାଘନା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଠକାମିର ଶିକାର ହୋଇଥିବା ଚାକିରି ଆଶାୟୀମାନେ ଜାମ୍‌ସେଦପୁରରେ ଥିବା ଆର୍‌ଡି ଟାଟା ବୈଷୟିକ ଶିକ୍ଷାକେନ୍ଦ୍ରରେ ଏନ୍‌ଟିଟିଏଫ୍‌ରେ ନାମ ଲେଖାଇଥିଲେ। ସେଠାରେ ଟାଟା ପାଵାର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଟିପିଏସ୍‌ଡିଆଇ) ପକ୍ଷରୁ ସ୍ବଳ୍ପ ମିଆଦି ପାଠ୍ୟକ୍ରମ(ଏସ୍‌ଟିପି) ପ୍ରଦାନ କରାଯାଉଥିଲା। କଟକ ପାଲଟଣ ସାହିର ଅଭିଜିତ ପ୍ରଧାନ, ଶୁଭମ୍ କୁଣ୍ଡୁ, ଶୁଭ୍ର ସମ୍ବିତ ବକ୍ସି ଓ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ ନିଜକୁ ଟାଟା ଷ୍ଟିଲ୍ କର୍ମଚାରୀ ପରିଚୟ ଦେଇ ନିୟମିତ ପଢ଼ାଉଥିଲେ। ସୌମ୍ୟ ପ୍ରଧାନ, ଅଜୟ କୁମାର, ଶାନ୍ତନୁ ବାରିକ, ବିକାଶ ନାୟକ, ଅଭିଜିତ୍ ପାଲ୍, ପ୍ରବୀଣ ପାତ୍ର ଓ ଯତୀଶ ସଂଯୋଜକ ଓ ବ୍ରୋକର ଭାବେ କାର୍ଯ୍ୟ କରୁଥିଲେ। ପାଠ ପଢ଼ା ୨୦୧୯ ଜାନୁଆରିରୁ ଆରମ୍ଭ ହୋଇ ୨୦୨୦ ସେପ୍ଟେମ୍ବରରେ ଶେଷ ହୋଇଥିଲା। ଏହା ପରେ ଟାଟା ଷ୍ଟିଲ୍ ଲିମିଟେଡରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଔପଚାରିକତା ସମ୍ପାଦନା କରା ଯାଉଥିଲା। ନିଯୁକ୍ତି ଆଶାୟୀଙ୍କ ରହଣି ପାଇଁ ଟାଟା ଷ୍ଟିଲ୍ କର୍ମଚାରୀଙ୍କ କ୍ବାର୍ଟର୍ସ ଦିଆ ଯାଇଥିଲା। ଯାହା ନିୟମିତ ବ୍ୟବଧାନରେ ବଦଳୁ ଥିଲା।

ଦୀପିକା ବାନାର୍ଜୀ, ପ୍ରଶାନ୍ତ ଦାସ ଓ ଶିବ କୁମାର ନିଜକୁ ଟାଟା ଷ୍ଟିଲର ମାନବସମ୍ବଳ ଓ ମାର୍କେଟିଂ ବିଭାଗରେ କର୍ମଚାରୀ ପରିଚୟ ଦେଉଥିଲେ। ଆଶାୟୀମାନଙ୍କୁ ଟାଟା ଷ୍ଟିଲ୍ ଓ ଟାଟା ପାଵାରରେ ଚାକିରି କରାଇବାର ପ୍ରତିଶ୍ରୁତି ଦେଇ ସେମାନେ ୮ ଜଣଙ୍କ ଠାରୁ ୨୭ ଲକ୍ଷ ଟଙ୍କା ନେଇଥିଲେ। ତାଳଚେର ଭରତପୁରର ଦେବାଶିଷ ନାୟକ ଓ ପ୍ରହ୍ଲାଦ କୁମାର ସାହୁଙ୍କୁ ଏହି ଟଙ୍କା ନଗଦ ଓ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଦିଆଯାଇଥିଲା। ଏହା ପରେ ଠକମାନେ କ୍ୟାମ୍ପସ ଚୟନ ନାଁରେ ଆଶାୟୀଙ୍କ ଠାରୁ ଆହୁରି ଅଧିକ ଟଙ୍କା ଦାବି କରିଥିଲେ। ଏହା ପରେ ସେମାନଙ୍କୁ ଟାଟା ଷ୍ଟିଲର ନିଯୁକ୍ତିପତ୍ର ଓ ଆଚରଣ ସଂହିତା ଦେଇଥିଲେ। ତା ପରେ ଅନଲାଇନ୍ ପରୀକ୍ଷା ବାହାନାରେ ପିଲାମାନଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଁଏ ଦାବି କରିଥିଲେ। ଏନ୍‌ଟିଟିଏଫ୍ କ୍ୟାମ୍ପସରେ ଏହି ପରୀକ୍ଷା ହୋଇଥିଲା। ୨୦୨୧ରେ ଫେବ୍ରୁଆରିରେ ଠକାମିର ଶିକାର ହୋଇଥିବା ଆଶାୟୀମାନେ ଅନୁଗୁଳରେ ରୁଜୁ ହୋଇଥିବା ଏକ ମାମଲା ବିଷୟରେ ଜାଣିବାକୁ ପାଇଥିଲେ। ଆଶାୟୀଙ୍କୁ ଠକମାନେ ନକଲି ନାଁରେ ଠକୁଥିଲେ। ଏହା ପରେ ସେମାନଙ୍କ ପ୍ରକୃତ ନାମ ପଦାକୁ ଆସିଥିଲା।

ଠକ ଦୀପିକା ବାନାର୍ଜୀଙ୍କ ପ୍ରକୃତ ନାମ ହେଉଛି ଚୈତାଳି ତପନ ମୁଖାର୍ଜୀ, ଶିବ କୁମାରର ପ୍ରକୃତ ନାମ ମୃଗାଙ୍କ ଗୁପ୍ତା ଓ ପ୍ରଶାନ୍ତ ଦାସର ପ୍ରକୃତ ନାମ ହେଉଛି ପ୍ରଶାନ୍ତ ଶତପଥୀ। ପରେ ଆଶାୟୀମାନେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କୁ ଦିଆ ଯାଇଥିବା ନିଯୁକ୍ତିପତ୍ର, ପରିଚୟପତ୍ର ଓ ଅନ୍ୟ କାଗଜପତ୍ର ସବୁ ଜାଲ୍ ଥିଲା। ଠକ ଚୈତାଳି ୨୦୧୩ ପର ଠାରୁ ଏହିଭଳି ଭାବେ ନିୟମିତ ଠକୁଥିଲା। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହି ୯ ବର୍ଷ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ଠକେଇ କରିଥିବା ଜଣାପଡ଼ିଛି। ଏହା ପଛରେ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଥିବା ଜଣାପଡ଼ିଛି। ଓଡ଼ିଶାରୁ ଶତାଧିକ ଯୁବକ ଯୁବତୀ ଏହି ରୢାକେଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ପୁଲିସ – ୪୧୯, ୪୨୦, ୪୬୭, ୪୬୮, ୪୭୧, ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର