କଳିଙ୍ଗ ପୁସ୍ତକ ମେଳା ସମ୍ବର୍ଧନା ଉତ୍ସବ, ଘରେ ପଢ଼ା ପରିବେଶ ସୃଷ୍ଟି ହେଉ

ଭୁବନେଶ୍ବର: ଆଦର୍ଶ ଜୀବନ ପାଇଁ ବହିର ବିପୁଳ ଅବଦାନ ରହିଛି। ମାତ୍ର ପିଲାଏ ମେଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ା ବହି ବାଦ୍‌ ଅନ୍ୟ କିଛି ପଢ଼ିବାରେ ଆଗ୍ରହ ରଖନ୍ତି ନାହିଁ। ତେଣୁ ଘରେ ବାପା ମା’ମାନେ ବହି ପଢ଼ିଲେ, ଏହି ପଢ଼ା ପରିବେଶ ପିଲାଙ୍କୁ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି କହିଛନ୍ତି ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର। ‘କଳିଙ୍ଗ ପୁସ୍ତକ ମେଳା’ର ୯ମ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଏହା କହିଛନ୍ତି। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ଲେଖିକା ବନଜ ଦେବୀ ଅଭିଭାଷଣରେ କହିଲେ, ସାହିତ୍ୟ ଓ ଭାଷା ସାଧାରଣ ଲୋକଙ୍କ ତୁଣ୍ଡରେ ବଞ୍ଚି ରୁହେ। ତେଣୁ ବାପା ମା ପିଲାକୁ‌ ଯେତେ ଭାଷା ଶିଖାନ୍ତୁ ପଛେ କିନ୍ତୁ ମାତୃଭାଷାକୁ ଆଡ଼ କରି ନୁହେଁ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ବହି ଜ୍ଞାନର ପରିମାପକ। ଗୋଟେଗୋଟେ ବହି ଜୀବନ ବଦଳାଇ ଦିଏ। ବହି ପାଇଁ ଅନେକ ଆଦର୍ଶ ମଣିଷ ତିଆରି ହେବା ସହ ଭାରତ ତିଆରି ହୋଇଛି। ଭବିଷ୍ୟତରେ ବହିର ସ୍ବରୂପ ବଦଳିଯାଇପାରେ କିନ୍ତୁ ତା’ର ପ୍ରାଧାନ୍ୟ କମିବ ନାହିଁ ବୋଲି ସେ କହିଛନ୍ତି। ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଆସନ୍ତା ଫେବ୍ରୁଆରିରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ବିଶ୍ବ ବହି ମେଳା’ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ନାଲ୍‌କୋର ସିଏମ୍‌ଡି ତପନ ଚାନ୍ଦଙ୍କୁ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶ୍ରୀ ଚାନ୍ଦଙ୍କ ଅନୁପସ୍ଥିତିରେ ଆଶୁତୋଷ ରଥ ଏହି ସମ୍ମାନ ଗ୍ରହଣ କରିଥିଲେ। ‘ଝିଅ ନୁହେଁ ସେ ହୀରାଟିଏ’ ପୁସ୍ତକ ପାଇଁ ଅକ୍ଷୟ କୁମାର ସେଠୀଙ୍କୁ ଶିଶୁ ସାହିତ୍ୟ ସମ୍ମାନ, ‘ଧୂମାର୍ତ ଏ ଭୂଇଁରେ’ ପୁସ୍ତକ ପାଇଁ ସିପୁନ୍‌ ଜେନାଙ୍କୁ କବିତା ସମ୍ମାନ, ‘ଅମର ଜୀବନ’ ପାଇଁ ଅଜୟ କୁମାର ମଲ୍ଲିକଙ୍କୁ ପ୍ରବନ୍ଧ ସମ୍ମାନ, ‘ସମର୍ପଣ’ ପୁସ୍ତକ ପାଇଁ ପ୍ରତୀକ ମିଶ୍ରଙ୍କୁ ଗୀତି କବିତା ସମ୍ମାନ, ‘ଶିଳାଶ୍ରୀ’ର ସମ୍ପାଦିକା ବାସନ୍ତୀ ଦାସଙ୍କୁ ପତ୍ରିକା ସମ୍ମାନ ଏବଂ ସବିତା ବେହେରାଙ୍କୁ ‘ସ୍ମୃତି ଓ ସାନ୍ତ୍ବନା’ ପାଇଁ ନାରୀ ପତ୍ରିକା ସମ୍ମାନ ପ୍ରଦାନ କରାଯାଇଛି। ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାକୁ ଶ୍ରେଷ୍ଠ ସଚେତନତା ପୁରସ୍କାର ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ସମ୍ପାଦିକା ରେଣୁକା ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସୁଷମା ମିଶ୍ର ଅତିଥି ପରିଚୟ ଦେଇଥିଲେ। ପୂର୍ଣ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର