ବନ୍ଦ ହୋଇପାରେ ଖଣ୍ଡଗିରି ଯାତ୍ରା!

ଭୁବନେଶ୍ବର: ବନ୍ଦ ହୋଇପାରେ ୫୬ ବର୍ଷର ଯାତ୍ରା ପରମ୍ପରା। ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ସାଜୁଥିବା ଖଣ୍ଡଗିରି ଯାତ୍ରା ସମ୍ଭବତଃ ଆଉ ହେବ ନାହିଁ। କିଛି ଯାତ୍ରା ଦଳମାନଙ୍କର ରାତି ପିଛା ଅହେତୁକ ଦର ବୃଦ୍ଧି ଏବଂ ବିଏମ୍‌ସିର କର ବୃଦ୍ଧି ଜୁଲମ ପାଇଁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ‘ଖଣ୍ଡଗିରି ଯାତ୍ରା ସୁରକ୍ଷା ମଞ୍ଚ’। ବାସ୍ତବରେ ଖଣ୍ଡଗିରି ଯାତ୍ରା ବେଳେ ‌ହିଁ ଯାତ୍ରା ଦଳକୁ ବଇନା ଦେଇ ଆସନ୍ତାବର୍ଷକୁ ବୁକିଂ କରିବାକୁ ପଡ଼ିଥାଏ। ଏହି କ୍ରମରେ ଚଳିତବର୍ଷ ମଧ୍ୟ ଖଣ୍ଡଗିରିର ଯାତ୍ରା କମିଟିମାନେ ବଇନା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମୂଲ୍ୟବୃଦ୍ଧି ଶୁଣିବା ପରେ ଏନେଇ ଯାତ୍ରା କମିଟିର କର୍ମକର୍ତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଚଳିତ ବର୍ଷ ଯାତ୍ରା ମଂଚସ୍ଥ ପାଇଁ ରାତି ପିଛା କିଛି ଯାତ୍ରା ଦଳ ୨ଲକ୍ଷ ଟଙ୍କା ଦାବି କରିଥିଲେ। ତେଣୁ ଟିକେଟ୍‌ ମୂଲ୍ୟ ପୂର୍ବ ଭଳି ୨୦୦, ୧୫୦ ଓ ୧୦୦ ଟଙ୍କା ରହିଥିଲା। ତେବେ ଆସନ୍ତା ବର୍ଷରୁ ରାତି ପିଛା ଅଢ଼େଇ ଲକ୍ଷ ଟଙ୍କା ଦାବି କରୁଥିବାରୁ ଯାତ୍ରା ଟିକେଟ୍‌ ୩୦୦, ୨୫୦ ଓ ୨୦୦ କରିବାକୁ ଯାତ୍ରା କମିଟିମାନେ ବାଧ୍ୟ ହେବେ। ଯାହା ଦର୍ଶକଙ୍କ ପକ୍ଷେ ଗ୍ରହଣୀୟ ହେବ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ସୁରକ୍ଷା ମଞ୍ଚର ସଭ୍ୟମାନେ ଯାତ୍ରା ବନ୍ଦ କରିବାକୁ ଚିନ୍ତା କରୁଛନ୍ତି ବୋଲି ଖଣ୍ଡଗିରି ଯାତ୍ରା ସୁରକ୍ଷା ମଞ୍ଚର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ କହିଛନ୍ତି।

କେବଳ ସେତିକି ନୁହେଁ, ବିଏମ୍‌ସି ପକ୍ଷରୁ ମଧ୍ୟ ଆଦାୟ ହେଉଥିବା ଦେୟ ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୮ରେ ଦିନକ ପାଇଁ ୫ ହଜାର ଟଙ୍କା ହିସାବରେ କର ଦେବାକୁ ପଡ଼ୁଥିବାରୁ ୧୨ ଦିନ ପାଇଁ ଗୋଟେ ଯାତ୍ରା କମିଟିକୁ ୬୦ ହଜାର ଟଙ୍କା ଦେବାକୁ ପଡ଼ିଥିଲା। ତେବେ ୨୦୧୯ରେ ଏହାକୁ ବଢ଼ାଇ ଦିନ ପିଛା ୭ ହଜାର ଟଙ୍କା ଆଦାୟ କରାଗଲା। ତେଣୁ ପ୍ରତି ଯାତ୍ରା କମିଟିଠାରୁ ୮୪ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହେଲା। ମନଇଚ୍ଛା ଏହି କର ନେଇଥିଲେ ମଧ୍ୟ ବିଏମ୍‌ସି ଯେଉଁ ମୌଳିକ ଦାୟିତ୍ବ ତୁଲାଇବା କଥା, ତାହା ତୁଲାଇଲା ନାହିଁ। ପିଇବା ପାଣି, ଅସ୍ଥାୟୀ ଟଏଲେଟ୍‌, ଝାଡ଼ୁଦାର ନିଯୁକ୍ତ, ରାସ୍ତା ମରାମତି ଦିଗରେ ବିଏମ୍‌ସି ଆବଶ୍ୟକୀୟ ପଦକ୍ଷେପ‌ ନେଲା ନାହିଁ। ଏ ବାବଦରେ ଖଣ୍ଡଗିରି ଯାତ୍ରା ସୁରକ୍ଷା ମଞ୍ଚର ସଦସ୍ୟମାନେ ବିଏମ୍‌ସିର କିଛି ଅଧିକାରୀଙ୍କୁ ଭେଟି ଏ ବାବଦରେ ଜଣାଇଥିଲେ। ତେବେ ଏ କ୍ଷେତ୍ରରେ କୌଣସି ସୁଫଳ ମିଳି ନଥିଲା। ତେଣୁ ଏନେଇ ସ୍ବର ଉଠାଇବାରୁ ବିଏମ୍‌ସି ପକ୍ଷରୁ ପୁଲିସ୍‌ର ଭୟ ଦେଖାଗଲା ବୋଲି ଶ୍ରୀ ସୁନ୍ଦରାୟ କହିଛନ୍ତି। ଖଣ୍ଡଗିରି ମେଳା କେଉଁ କାଳରୁ ରହି ଆସିଥିଲେ ବି ଖଣ୍ଡଗିରି ଯାତ୍ରା ୧୯୬୪ରୁ ଆରମ୍ଭ ହୋଇଥିଲା। ଦିନେ ଗୋଟିଏ ଯାତ୍ରାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ଯାତ୍ରା ଏଇ କିଛି ବର୍ଷ ହେବ ୭ଟି ପେଣ୍ଡାଲ୍‌ରେ ହୋଇଆସୁଛି। ୧୪ରୁ ଅଧିକ ଯାତ୍ରା ଦଳ ଏଠାରେ ନାଟକ ମଂଚସ୍ଥ କରି ଯାତ୍ରା ବର୍ଷର ଶୁଭାରମ୍ଭ କରୁଛନ୍ତି। ମାତ୍ର କିଛି ଯାତ୍ରା ମାଲିକଙ୍କ ଯାତ୍ରା ମଂଚସ୍ଥ ପାଇଁ ‌ଅହେତୁକ ଦରବୃଦ୍ଧି ଏବଂ ବିଏମ୍‌ସିର ଜୁଲମ ଯୋଗୁଁ ଖଣ୍ଡଗିରି ମେଳା ପରମ୍ପରା ସହ ଯୋଡ଼ି ହୋଇଥିବା ଯାତ୍ରା ଅନୁଷ୍ଠିତ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର