ଚାଷୀ, ମହିଳା ଓ ଗରିବଙ୍କ ବଜେଟ୍

‘ଲୋକେ ଯାହା ଆଶା କରିଥିଲେ ବଜେଟରେ ତାହା ପ୍ରତିଫଳିତ ହୋଇଛି।’ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପନ ହେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପାଳନ କରାଯାଇଛି। କାଳିଆ ଯୋଜନାରେ ସବୁ ବର୍ଗର କୃଷକ, ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ଗୁରୁତ୍ବ ଦେଇ ଅଧିକ ବ୍ୟୟବରାଦ କରାଯାଇଥିବାବେଳେ ମହିଳାଙ୍କ ସ୍ବାସ୍ଥ୍ୟବୀମା ସହାୟତାକୁ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା କରାଯାଇଛି। କାଳିଆ ଯୋଜନାରେ ୭୫ ଲକ୍ଷ ହିତାଧିକାରୀ ଉପକୃତ ହେବେ।

ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ପ୍ରଦାନ କରାଯିବାକୁ ଥିବା ବାର୍ଷିକ ସ୍ବାସ୍ଥ୍ୟ ବୀମା ସହାୟତା ସାରା ଦେଶରେ ସର୍ବାଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫନି ବାତ୍ୟା ପୁନର୍ନିମାଣ ପାଇଁ ବଜେଟରେ ବ୍ୟୟବରାଦ କରାଯିବା ସହ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଅର୍ଥ ବରାଦ ହେବା ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଜାଗା ମିସନରେ ବସ୍ତିବାସିନ୍ଦାଙ୍କ ପାଇଁ ବାସଗୃହ ବାବଦରେ ୧୦୦ କୋଟି ଓ ଗ୍ରାମ ପଞ୍ଚାୟତ ସ୍ତରରେ ମିସନ ଶକ୍ତି ଗୃହ ପାଇଁ ୧୩୦ କୋଟି ବ୍ୟୟବରାଦ କରାଯାଇଛି। ମୋଟାମୋଟି ଗୃହରେ ଆଗତ କରାଯାଇଥିବା ବଜେଟ ଚାଷୀ, ମହିଳା ଓ ଗରିବଙ୍କ ସ୍ବାର୍ଥରକ୍ଷା କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ବଡ଼ ବଜେଟ୍‌ ପାଇଁ ଟଙ୍କା ଆସିବ କେଉଁଠୁ?

ରାଜ୍ୟ ସରକାରଙ୍କ ବାର୍ଷିକ ଆୟ ହେଉଛି ୪୫ ହଜାର କୋଟି ଟଙ୍କା। ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍‌ ପାଇଁ ଅର୍ଥ ଆସିବ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବଜେଟ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଥିଲେ, ଅର୍ଥମନ୍ତ୍ରୀ ଆଗତ କରିଥିବା ୨୦୧୯-୨୦ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗରିବ ଓ ଖଟିଖିଆଙ୍କ ପାଇଁ କିଛି ବ୍ୟୟବରାଦ କରାଯାଇନି। ଏହା ସମ୍ପୂର୍ଣ୍ଣ ନୈରାଶ୍ୟଜନକ ବଜେଟ୍। ଚାଷୀମାନଙ୍କୁ ଚକଲେଟ୍‌ ଧରାଇ ସରକାର ହଇରାଣ କରିଛନ୍ତି। କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଦେଲେ ଚାଷୀର କିଛି ବି ବିକାଶ ହେବନି। ଧାନର ଉତ୍ପାଦନ ବାବଦରେ ଚାଷୀର କୁଇଣ୍ଟାଲ ପିଛା ଖର୍ଚ୍ଚ ହେଉଛି ୨୩୪୪ ଟଙ୍କା। ଅଥଚ ଚାଷୀ ୧୭୫୦ ଟଙ୍କାରେ ବିକିବ। ଏଥିରେ ଚାଷୀ ଯେତିକି ଉତ୍ପାଦନ ପାଇଁ ଖର୍ଚ୍ଚ କରୁଛି ତାର ମୂଳ ଟଙ୍କା ପାଇପାରୁନି।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବଜେଟ୍ ସମ୍ପୂର୍ଣ୍ଣ ନୈରାଶ୍ୟଜନକ

ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଶ୍ରୀ ନାୟକ କହିଛନ୍ତି, କେବଳ ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାର ବଜେଟରେ ବ୍ୟୟବରାଦ କରିଛନ୍ତି କିନ୍ତୁ ବାସ୍ତବରେ ସେ ଅର୍ଥ ଲୋକଙ୍କ କାମରେ ଲାଗିବନି। ଭିତ୍ତିଭୂମି, କର୍ମସଂସ୍ଥାନ ଓ ଦକ୍ଷତା ବୃଦ୍ଧି କରିବାରେ ସରକାର କିଛି ବି ବଜେଟ୍‌ରେ ବ୍ୟବସ୍ଥା କରିନାହାନ୍ତି।
ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା

ବେକାରଙ୍କ ପାଇଁ ବଜେଟ୍‌ରେ କିଛି ନାହିଁ

ଜାତୀୟସ୍ତରରେ ବେକାରୀ ହାର ୬.୧% ଥିବାବେଳେ ଓଡ଼ିଶାରେ ତାହା ୭.୧% ରହିଛି। ବେକାରଙ୍କୁ ନିଯୁକ୍ତି ଦେବା ପାଇଁ ବଜେଟରେ କିଛି ବି ବ୍ୟୟ ବରାଦ କରିନାହାନ୍ତି ସରକାର। ‘କାଳିଆ’ ଟଙ୍କା ବିତରଣରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିପାରେ ସତ କିନ୍ତୁ ଏଥିରେ ଚାଷୀଙ୍କ ବିକାଶ ହେବ ନାହିଁ। ପ୍ରତ୍ୟେକ ବ୍ଲକ୍‌ରେ ଶୀତଳଭଣ୍ଡାର, କୃଷିଜାତ ଉତ୍ପାଦ ପାଇଁ ବଜାର ସୃଷ୍ଟି କରିବା ପାଇଁ କିଛି ବି ବ୍ୟୟ ବରାଦ କରାଯାଇନି।
ଦିବାକର ନାୟକ,
ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ, ସିପିଆଇ

ସମ୍ବନ୍ଧିତ ଖବର